ଜୟପୁର ବସ୍ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟି ଦୁଇଟି ବସ୍ ଜଳିଗଲା

ଜୟପୁର ୩/୧୧ (ସଖପ୍ର): ଜୟପୁର-ବୋରିଗୁମ୍ମା ଜାତୀୟ ରାଜପଥ କଡ଼ରେ ଥିବା ବସ୍ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିବା ୨ଟି ସିଟି ବସ୍ରେ ଆଜି ସନ୍ଧ୍ୟାରେ ନିଆଁ ଲାଗିଯାଇଛି। ଜୟପୁର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ନିଆଁ କେମିତି ଲାଗିଲା ସେ ନେଇ ସ୍ପଷ୍ଟ ହୋଇନି। ରାସ୍ତାକଡ଼ରେ ୨୦ଟି ସିଟି ବସ ଦୀର୍ଘ ବର୍ଷ ହେଲା ବ୍ୟବହାର ନ ହୋଇ ପଡ଼ି ରହିଛି। ଗତ କିଛି ମାସ ତଳେ ଏହାକୁ ସ୍କ୍ରାପ୍ରେ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୬ ମସିହାରେ ରାଜ୍ୟ ସରକାର ୨୦ଟି ବସ୍କୁ ନେଇ ଜୟପୁରରେ ଆରମ୍ଭ କରିଥିଲେ ‘ସିଟି ବସ୍ ସେବା’। ଜୟପୁରରୁ କୋରାପୁଟ, ବୋରିଗୁମ୍ମା, କୋଟପାଡ, କୁନ୍ଦୁରା, ପଟାଙ୍ଗି, ସୁନାବେଡା, ସେମିଳିଗୁଡ଼ାକୁ ଏହି ବସ୍ ସେବା ଯୋଗାଉଥିଲା। ଜୟପୁର କୋରାପୁଟ ସୁନାବେଡ଼ା ଅର୍ବାନ ଟ୍ରାନ୍ସପୋର୍ଟ ଟ୍ରଷ୍ଟ ଏହାର ପରିଚାଳାନା କରୁଥିଲା। ଅଧ୍ୟକ୍ଷ ଭାବେ ଜିଲ୍ଲାପାଳ, ଟ୍ରଷ୍ଟର ସଭ୍ୟ ଭାବେ ଏସ୍ପି, ଜୟପୁର, ସୁନାବେଡ଼ା, କୋରାପୁଟ ଓ କୋଟପାଡ଼ ପୌରନିର୍ବାହୀ ଅଧିକାରୀ, କ୍ରିଟ ସଂପାଦକ, ଆରଟିଓ, ହାଲ୍, ନାଲ୍କୋ ଓ ବିଭାଗର ଜଣେ ମନୋନୀତ ପ୍ରତିନିଧି ଏଥିରେ ସଭ୍ୟ ଥିଲେ। ଜୟପୁର ପୌରପାଳିକା ଏହି ଟ୍ରଷ୍ଟ ପାଇଁ ୪ ଲକ୍ଷ, କୋରାପୁଟ ପୌରପାଳିକା ୨ ଲକ୍ଷ, ସୁନାବେଡ଼ା ପୌରପାଳିକା, କ୍ରିଟ୍, ନାଲ୍କୋ ଓ ହାଲ୍ ୧ ଲକ୍ଷ ଲେଖାଏଁ ଏଭଳି ୧୦ ଲକ୍ଷ ଟ୍ରଷ୍ଟରେ ଜମା କରିଥିଲେ। ହେଲେ ଆରମ୍ଭର ମାତ୍ର ୩ ମାସରେ ବସ୍ ସେବା ଠପ୍ ହୋଇଯାଇଥିଲା। ତା ପରଠାରୁ ସବୁ ବସ ଗୋଟିଏ ପଡିଆରେ ପଡି ରହି ଖତ ଖାଉଛି। ଜାନୁଆରି ମାସରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ସଚିବ ବସ ଗୁଡ଼ିକୁ ସ୍କାପରେ ବିକ୍ରିକରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଆଜି ପର୍ଯ୍ୟନ୍ତ ବସ୍ ଗୁଡିକ ବିକ୍ରି ହୋଇପାରୁନି। ଫଳରେ ଦିନକୁ ଦିନ ଏହି ବସ୍ ଗୁଡିକ ଭିତରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମିବାରେ ଲାଗିଛି।