ଜୟପୁର ଠାରେ “ଓଡିଶା ସାମ୍ବାଦିକ ୟୁନିୟନ୍” ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଅନୁଷ୍ଠିତ
କୋରାପୁଟଜିଲ୍ଲା/ଜୟପୁର (ସଖପ୍ର): ଜୟପୁରସ୍ଥିତ ସଂଧ୍ୟା ଫଙ୍କସନ୍ ହଲ୍ ଠାରେ ଓଡିଶା ସାମ୍ବାଦିକ ୟୁନିଅନ୍ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ଶ୍ରୀ ମୁନା ଖାଁ ଯୋଗ ଦେଇଥିଲେ। ଜୟପୁର ସହର ପାଇଁ ରହିଥିବା ବିମାନ ସେବା, କେନ୍ଦ୍ରୀୟ ବିଦ୍ୟାଳୟ, ବିକ୍ରମଦେବ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବିକୁ ମଧ୍ୟ ସେ ପୁରଣ ପାଇଁ ଚେଷ୍ଟା କରିବେ ବୋଲି କହିବା ସହ ନିଜ ରାଜନୈତିକ ଜୀବନୀ ସମ୍ପର୍କରେ କହିଥିଲେ । କୋରାପୁଟ ଜିଲ୍ଲା ସାମ୍ବାଦିକ ସଙ୍ଘ ତରଫରୁ ଆୟୋଜିତ ହୋଇଥିବା ଏହି ବୈଠକରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଶତାଧିକ କାର୍ଯ୍ୟରତ ସାମ୍ବାଦିକ ଯୋଗଦେଇଥିଲେ। ସାମ୍ୱାଦିକଙ୍କ ସବୁ ସମସ୍ୟା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟିକୁ ନେଇ ସମାଧାନ ପାଇଁ ଚେଷ୍ଟା କରିବାର ପ୍ରତିଶ୍ରୁତି ଦେଇଛନ୍ତି ରାଜ୍ୟସଭା ସାଂସଦ ମୁନ୍ନା ଖାଁ। କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ଯୋଗ ଦେଇ ସାମ୍ବାଦିକଙ୍କ ବୀମାରାଶି ବୃଦ୍ଧି, ପେନସନ ସମ୍ପର୍କରେ ସରକାରଙ୍କ ଠାରେ ଦାବି କରିବେ ବୋଲି କହିଥିଲେ । ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ଭବାନୀ ଶଙ୍କର ମିଶ୍ର,ବରିଷ୍ଟ ସାମ୍ବାଦିକ ପ୍ରମୋଦ ସାମନ୍ତରାୟ , ଅକ୍ଷୟ ସାହୁ, ଉପସଭାପତି ଉପନ ସାହୁ ପ୍ରମୁଖ ଯୋଗ ଦେଇ ସାମ୍ବାଦିକଙ୍କ ସମସ୍ୟା ସମ୍ପର୍କରେ କହିଥିବା ବେଳେ ସାଧାରଣ ସମ୍ପାଦକ ରାଜେନ୍ଦ୍ର କୁମାର ଗୌଡ଼ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମାଲକାନଗିରିର ବରିଷ୍ଟ ସାମ୍ବାଦିକ ସୁଧାକର ଦାଶଙ୍କ ମୃତ୍ୟୁରେ ବୈଠକ ଏକ ପ୍ରକାର ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା। ଏହି ଅବସରରେ ଅତିଥି ମାନେ odranews.com ନୂତନ ଓ୍ବେବ୍ ପୋର୍ଟାଲର ଶୁଭ ଉନ୍ମୋଚନ କରିଥିଲେ। କୋରାପୁଟ ପାଇଁ ଓୟୁଜେ ଗର୍ବିତ ଓ ଓୟୁଜେ ପାଇଁ ଜାତୀୟ ସାମ୍ବାଦିକ ୟୁନିଅନ ଆଜି ଗର୍ବିତ ବୋଲି ସଭାପତି ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ। ସ୍ବାସ୍ଥ୍ୟ ବୀମା ୨ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି କରାଯିବା, ସାମ୍ବାଦିକଙ୍କୁ ୨୦ ହଜାର ଟଙ୍କା ପେନସନ ପ୍ରଦାନ ଭଳି ଦାବି ଉପସ୍ଥାପନା କରାଯାଇଥିଲା…ଯାହାକି ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିଜେ ବାହିନିପତି ଉପସ୍ଥାପନା କରିବେ ବୋଲି ପ୍ରକାଶ କରିଥିଲେ। ଶେଷରେ ମୃତ ସାମ୍ବାଦିକ ସୁଧାକର ଦାଶଙ୍କ ପରିବାରକୁ ୨୦ ହଜାର ଟଙ୍କା ଆର୍ଥିକ ସାହାଯ୍ୟ ଯୋଗାଇଦେବାକୁ ସେ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଯୋଗଦେଇଥିବା ରାଜ୍ୟର ଶତାଧିକ ସାମ୍ବାଦିକ ମାନଙ୍କୁ ପରୀକ୍ଷିତ ବିଶ୍ୱାଳ ଓ ଶଶଧର ରାଉତ ସ୍ୱାଗତ କରିଥିଲେ। ଗଜେନ୍ଦ୍ର କୁମାର ସାହୁ, ସନ୍ତୋଷ କୁମାର ପାତ୍ର, ମଞ୍ଜିତ ସିଂ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ବାଲା ରାୟ ଧନ୍ୟବାଦ ଦେଇଥିଲେ ।