ଜୟପୁର ଟାଉନ୍ ପୁଲିସ୍ ପଞ୍ଝାରେ ଚୋର ଗ୍ୟାଙ୍ଗ
ଜୟପୁର ୨୭/୧୦(ସଖପ୍ର): ଦୁଇଟି ଚୋରି ମାମଲାରେ ଜୟପୁର ପୁଲିସ୍କୁ ମିଳିଛି ବଡ଼ ଧରଣର ସଫଳତା। ମାମଲାରେ ପୁଲିସ୍ ବଡ଼ ଚୋର ଗ୍ୟାଙ୍ଗର ପତ୍ତା ପାଇଛି। ପ୍ରଥମ ପର୍ଯ୍ୟାୟରେ ପୁଲିସ୍ ଏହି ଚୋରି ଗ୍ୟାଙ୍ଗର ଦୁଇ ଅଭିଯୁକ୍ତ ଜୟପୁର ଇରିଗେସନ କଲୋନିର ଶାନ୍ତିରାଜ ନାଗ (ରାହୁଲ) ଓ ଜୟନଗରର ଅବିନାଶ ମହାରଣା (ଆକାଶ) କୁ ଗିରଫ କରିଛି |

ଉଭୟଙ୍କ ନିକଟରୁ ପୁଲିସ୍ ୫ଲକ୍ଷ ଟଙ୍କା, ଗୋଟିଏ କାର, ଗୋଟିଏ ବାଇକ ଜବତ କରିଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜୟପୁର ଏସଡିପିଓ ପାର୍ଥ କଶ୍ୟପ ଜଗଦୀଶ। ପୁଲିସ୍ ସୂଚନାନୁଯାୟୀ, ଏପ୍ରିଲ ୧୪ ତାରିଖ ରାତିରେ ହାନାଗୁଡ଼ା ନିବାସୀ କାଳୀପ୍ରସାଦ ପଟ୍ଟନାକୟଙ୍କ ଘରେ ଦୁର୍ବୃତ୍ତ କଳାକନା ବୁଲାଇଥିଲେ । ଘରେ ତାଲା ପଡ଼ିଥିବାର ସୁଯୋଗ ନେଇ ସୁନା, ରୁପା ଅଳଙ୍କାର ସହ ଟଙ୍କା ଚୋରି କରି ନେଇଥିଲେ|। ଚୋରି ସମ୍ପର୍କରେ ପଡ଼ୋଶୀ ରାଧାମୋହନ ପଟ୍ଟନାୟକ ଥାନାରେ ଅଭିଯୋଗ କରିଥିଲେ। ଜୟପୁର ଟାଉନ୍ ଥାନା ପୁଲିସ୍ ମାମଲା ରୁଜୁ କରି ଏସଆଇ ସିଦ୍ଧାର୍ଥ ବେହେରାଙ୍କ ନେତୃତ୍ବରେ ତଦନ୍ତ ଆରମ୍ଭ କରିଥିଲା | ପୁଲିସ୍ର ତିନୋଟି ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ପରେ ଶାନ୍ତିରାଜ ଓ ଅବିନାଶକୁ ଗିରଫ କରିଥିଲା । ଉଭୟଙ୍କୁ ପଚରା ଉଚରା ସମୟରେ ମାଲକାନଗିରି ସୁନା ବ୍ୟବସାୟୀଙ୍କ ନିକଟରୁ ହୋଇଥିବା ଚୋରିରେ ସମ୍ପୃକ୍ତ ଥିବା ମାନିଥିଲେ। ଏହା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା | ୨୦୨୫ ଜୁନ୍ ୩ ତାରିଖରେ ପ୍ରସାଦ ଜୁଏଲାରୀ ମାଲିକଙ୍କଠାରୁ ଅଭିଯୁକ୍ତ ୧ କେଜି ୨୦୦ ଗ୍ରାମର ସୁନା ଅଳଙ୍କାର ଲୁଟି ନେଇଥିଲେ। ଉକ୍ତ ଚୋରିରେ ଅଭିଯୁକ୍ତ ଶାନ୍ତିରାଜ ସମେତ ଆକାଶ ମହାରଣା, ରାଜୁ ନାୟକ, ଭରତ ନାୟକ, ଅଜୟ ଓ କେ. ସୁମନ ଆଚାରୀ ସମ୍ପୃକ୍ତ ଥିଲେ । ଘଟଣା ଦିନ ସୁନା ଦୋକାନୀ ମାଲିକ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ଶାନ୍ତିରାଜ ଓ ପ୍ରଦୀପ ଖରା ତାଙ୍କୁ ବାଇକରେ ପିଛା କରି ସୁନା ବ୍ୟାଗକୁ ଝାମ୍ପି ନେଇଥିଲେ। ସୁନା ବ୍ୟାଗ ଚୋରି କରିବା ପରେ ଘଟଣାସ୍ଥଳରୁ ୧ କିମି ଦୂରରେ କାରରେ ଅପେକ୍ଷା କରିଥିବା ଅନ୍ୟ ଅଭିଯୁକ୍ତ ଆକାଶ, ରାଜୁ, ଭରତ, ଅଜୟ ଓ ସୁମନଙ୍କୁ ହସ୍ତାନ୍ତର କରିଥିଲେ। ଚୋରି ପରେ ସମସ୍ତ ଅଭିଯୁକ୍ତ ଚିତ୍ରକୋଣ୍ଡା ଦେଇ ବିଶାଖପାଟଣା ଚାଲିଯାଇଥିଲେ। ସେଠାରେ ସୁନା ବିକ୍ରି କରିବା ପାଇଁ ଅଭିଯୁକ୍ତମାନେ ଜୟପୁରର ଏସ୍. ଭେଙ୍କେଟେଶ ଓ କେ. ମୁରଲୀ ସହ ଯୋଗାଯୋଗ କରିଥିଲେ | କିନ୍ତୁ ବିଶାଖାପାଟଣାରେ ସୁନା ବିକ୍ରି ହେବାରେ ସମସ୍ୟା ପରେ ଅଭିଯୁକ୍ତମାନେ ବିଜୟନଗରମ ଆସି ସୁନା, ଅଳଙ୍କାରକୁ ତରଳାଇବା ମେସିନ କିଣିଥିଲେ । ୨୦୦ ଗ୍ରାମ ସୁନା ତରଳାଇବା ପରେ ୧୮ ଲକ୍ଷ ୨୦ ହଜାର ଟଙ୍କାରେ ବିକ୍ରି କରି ଦେଇଥିଲେ |

ଜୟପୁର ଚୋରି ମାମଲାରେ ପୁଲିସ୍ ଅଭିଯୁକ୍ତଙ୍କ ନିକଟରୁ ୫୦ ହଜାର ଏବଂ ମାଲକାନଗିରି ଚୋରି ମାମଲାରେ ୪ଲକ୍ଷ ୫୦ହଜାର ଟଙ୍କା ଜବତ କରିଛି। ମୋଟ ୫ଲକ୍ଷ ଟଙ୍କା ସହିତ କାର, ବାଇକକୁ ଜବତ କରିଛି ପୁଲିସ୍ । ଚୋରି ମାମଲାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ଫେରାର ରହିଛନ୍ତି | ସମସ୍ତଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଛି ବୋଲି ଜୟପୁର ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଟାଉନ ଥାନା ଅଧିକାରୀ ଉଲାସ ରାଉତ, ତଦନ୍ତକାରୀ ଅଧିକାରୀ ଏସଆଇ ସିଦ୍ଧାର୍ଥ ବେହେରା ଏହି ସମ୍ମିଳନୀରେ ଉପସ୍ଥିତ ଥିଲେ |