ଜୟପୁର ଓ୍ବେବ ମିଡ଼ିଆ ଆସୋସିଏସନ ବୈଠକ ଅନୁଷ୍ଠିତ
କୋରାପୁଟଜିଲ୍ଲା(ସଖପ୍ର):ଆଜି ଜୟପୁରସ୍ଥିତ ଯାଦବ ଭବନ ଠାରେ ଅପରାହ୍ନ ୫ଘଟିକା ସମୟରେ ଜୟପୁର ଓ୍ବେବ ମିଡିଆ ଆସୋସିଏସନର ଦ୍ବିତୀୟ ବୈଠକ ଅନୁଷ୍ଠିତ ହୋଇଛି।ଗତ ଅକ୍ଟୋବର ୧୪ତାରିଖରେ ଆସୋସିଏସନର ପ୍ରଥମ ବୈଠକରେ କୌଣସି ପଦବୀ ଚୟନ କରାଯାଇ ନ ଥିଲା। ଆଜି ଏହି ବୈଠକରେ ଆସୋସିଏସନର ୧୦ଜଣ ସଦସ୍ୟ ଉପସ୍ଥିତ ଥିଲେ ଓ ସର୍ବସମ୍ମତିକ୍ରମେ ଶାବରୀ ଓ୍ବେବ ଚାନେଲର ସଂପାଦକ ଶ୍ରୀ ବାଲ୍ମୀକୀ ମହାପାତ୍ରଙ୍କୁ ଆସୋସିଏସନର ସଭାପତି ଭାବେ ମନୋନୀତ କରାଗଲା ଓ ଅନ୍ୟ ପଦ ପଦବୀ ଆସନ୍ତା ବୈଠକରେ ଚୟନ କରାଯିବ। ଆସୋସିଏସନ ସବୁବେଳେ ଜନହିତକର କାର୍ଯ୍ୟକଳାପରେ ବ୍ରତୀ ହୋଇ ରହିବ ବୋଲି ସଭ୍ୟମାନଙ୍କର ମତପ୍ରକାଶ ପାଇଥିଲା। ଓ୍ବେବମିଡିଆ ସାମ୍ବାଦିକ ମାନଙ୍କୁ ସରକାରୀ ଅନୁ୍ମୋଦନ ସହ ସ୍ବାସ୍ଥ୍ୟ ବୀମାଭୁକ୍ତ କରିବା ଉଦ୍ଦେଶ୍ୟରେ ଆଗାମୀ ଦିନରେ ସରକାରଙ୍କୁ ଦାବୀପତ୍ର ପ୍ରଦାନ କରିବାକୁ ସ୍ଥିର କରାଗଲା। ଆସୋସିଏସନର ସଭ୍ୟମାନେ କୌଣସି ପ୍ରକାରେ ସମାଜ ଓ ଜନସାଧାରଣଙ୍କ କ୍ଷତି ହେବାପରି କାର୍ଯ୍ୟକଳାପରେ ଲିପ୍ତ ନ ହେବାପାଇଁ ବୈଠକରେ ସ୍ଥିର କରାଗଲା । ଯଦି କୌଣସି ସଭ୍ୟ ଏପରି କାର୍ଯ୍ୟକଳାପରେ ଲିପ୍ତ ରୁହନ୍ତି ତାଙ୍କୁ ଦଳରୁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଗଲା। ଏହି ବୈଠକରେ ଆସୋସିଏସନର ସଭ୍ୟ ଗଜେନ୍ଦ୍ର କୁମାର ସାହୁ, ଅମିତ କୁମାର ହୋତା, ସନ୍ତୋଷ କୁମାର ପାତ୍ର, ଏ ଦୁର୍ଗା ପ୍ରସାଦ, ଭି ରାଜା ରେଡ୍ଡୀ, ବାଲ୍ମୀକୀ ମହାପାତ୍ର, ତ୍ରିଲୋଚନ ମହାରଣା, ଭାନୁ ପ୍ରତାପ ନାୟକ, କାର୍ତ୍ତିକ ରାଉତ, ଚନ୍ଦ୍ରକାନ୍ତ ସୁତାର, ପ୍ରଦୀପ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ।