ଜୟପୁରରେ ଭର୍ଚୁଆଲ ହାଇକୋର୍ଟ ବେଞ୍ଚ ଉଦଘାଟିତ

ଜୟପୁର (ସଖପ୍ର): କୋରାପୁଟଜିଲ୍ଲା ଜୟପୁର ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ଭର୍ଚୁଆଲ ହାଇକୋର୍ଟ ବେଞ୍ଚ ଉଦଘାଟିତ ହୋଇଛି। ଓଡିଶାରେ ପ୍ରଥମଥର କୋରାପୁଟକୁ ମିଶାଇ ଦଶଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟରେ ଭିଡିଓ କନଫରେନ୍ସିଂ ବ୍ୟବସ୍ଥା ଦ୍ବାରା ଆଇନଜୀବୀ ମାନେ ମାମଲା ପରିଚାଳନାର ସୁଯୋଗ ପାଇବେ। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡ଼ ଜଷ୍ଟିସ ଡି.ଓ୍ବାଇ .ଚନ୍ଦ୍ରଚୂଡ ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ଭର୍ଚୁଆଲ ବ୍ୟବସ୍ଥାରେ ଯୋଗଦେଇଥିଲେ। ହାଇକୋର୍ଟର ମୁଖ୍ୟବିଚାରପତି ଡ଼ ଏସ୍ ମୁରଲୀଧର କାର୍ଯ୍ୟକ୍ରମରେ ଯୋଗଦେଇ ଓଡିଶା ହାଇକୋର୍ଟ ଓ ରାଜ୍ୟ ବିଚାର ବିଭାଗ ପାଇଁ ଏହା ଏକ ଐତିହାସିକ ମୂହୁର୍ତ୍ତ ବୋଲି କହିଥିଲେ। ପ୍ରଥମ ପର୍ଯ୍ୟାୟରେ ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା କରାଯାଇଛି। ଅନ୍ୟ ଜିଲ୍ଲାଗୁଡିକରେ ଭର୍ଚୁଆଲ ହାଇକୋର୍ଟ ପ୍ରତିଷ୍ଠା ନ ହେବା ପର୍ଯ୍ୟନ୍ତ ପଡୋଶୀ ଜିଲ୍ଲାର ଆବଶ୍ୟକତା ମଧ୍ୟ ଏହି ଦଶଟି ଜିଲ୍ଲା ପୂରଣ କରିବ ବୋଲି ମୁଖ୍ୟବିଚାରପତି କହିଥିଲେ। ହାଇକୋର୍ଟ ଆଇଟି ଓ ଏଆଇ କମିଟି ଅଧ୍ୟକ୍ଷ ଜଷ୍ଟିସ ଶୁଭାଶିଷ ତାଳପତ୍ର ସ୍ବାଗତ ଭାଷଣରେ ଭର୍ଚୁଆଲ ହାଇକୋର୍ଟ ଓ ବୈଷୟିକ ଜ୍ଞାନକୌଶଳର ବ୍ୟବହାର ଉପରେ ଆଲୋକପାତ କରିଥିଲେ। କମିଟି ସଦସ୍ୟ ଡ଼ ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀ ଧନ୍ୟବାଦ ଦେବାସହ କହିଥିଲେ ଯେ ଦୂରତା ଓ ଖର୍ଚ୍ଚ ସମସ୍ୟା ଭର୍ଚୁଆଲ ହାଇକୋର୍ଟ ସମାଧାନ କରିବ।

କୋରାପୁଟ ଜିଲ୍ଲା ଦୌରାଜଜ୍ ସତ୍ୟନାରାୟଣ ମିଶ୍ରଙ୍କ ସହ ସବୁ ଜଜ୍ ଓ ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ କୁମା ଦାସଙ୍କ ସହ ବହୁ ଆଇନଜୀବୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।