ଜୟପୁରରୁ ପ୍ରକାଶିତ ସମ୍ବାଦପତ୍ର ସଂପାଦକ ମାନଙ୍କର ଉପଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ
କୋରାପୁଟଜିଲ୍ଲା:୧୬/୦୭ (ସଖପ୍ର): ଜୟପୁରରୁ ପ୍ରକାଶ ପାଉଥିବା ପାକ୍ଷିକ ଖବର କାଗଜର ସଂପାଦକମାନେ ଆଜି ଜୟପୁର ଉପଜିଲ୍ଲାପାଳଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କଲେ। ଏହି ଅବସରରେ ସହରର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କଲେ। କରୋନା ମହାମାରୀ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସୁରକ୍ଷା ବିଷୟ ସରକାର ଚିନ୍ତା କରିବା ଉଚିତ ବୋଲି “କେବିକେ ସମାଚାର” ସଂପାଦକ ବିନୋଦ ମହାପାତ୍ର ମତ ପ୍ରକାଶ କଲେ। ପୌରପାଳିକାର ନାଳ,ନର୍ଦ୍ଦମା,ନାଳ ଓ ରାସ୍ତା ସଫେଇ କାର୍ଯ୍ୟ ସନ୍ତୋଷଜନକ ନୁହେଁ ବୋଲି “ଉତ୍କଳ ଦର୍ପଣ” ସଂପାଦକ ମନୋରଞ୍ଜନ ପଟ୍ଟନାୟକ ଉପଜିଲ୍ଲାପାଳଙ୍କୁ ଅବଗତ କଲେ। ସହରର ଟ୍ରାଫିକ ସମସ୍ୟାକୁ ନେଇ “ସବୁବର୍ଗ ଖବର” ସଂପାଦକ ଚନ୍ଦ୍ରକାନ୍ତ ସୁତାର ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜଗନ୍ନାଥ ସାଗର ଚାରିକଡରୁ ଜବର ଦଖଲ ହଟାଇ ସାଗରରୁ ଦଳ ପରିଷ୍କାର ଓ ରକ୍ଷଣାବେକ୍ଷଣ ସମ୍ବନ୍ଧରେ ଦୃଷ୍ଟି ଦେବାକୁ “ଉତ୍କଳ ସମ୍ମିଳନୀ”ର ରାଜ୍ୟ ଉପସଭାପତି ତଥା “କେବିକେ ସମାଚାର” ସଂପାଦକ ବିନୋଦ ମହାପାତ୍ର କହିଥିଲେ। ସମସ୍ତ ବିଷୟ ଶୁଣିଲା ପରେ ଉପଜିଲ୍ଲାପାଳ IAS ହେମକାନ୍ତ ସଏ ଏସବୁର ସମାଧାନ ପାଇଁ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।