ଜୟପୁରକୁ ଆରମ୍ଭ ହେଲା ବିମାନ ସେବା

କୋରାପୁଟଜିଲ୍ଲା/ଜୟପୁର ୩୧/୧୦(ସଖପ୍ର) : ବହୁ ପ୍ରତିକ୍ଷାର ଅନ୍ତ ଘଟିଛି। ସୋମବାର ଭୁବନେଶ୍ୱରରୁ କୋରାପୁଟଜିଲ୍ଲା ଜୟପୁରକୁ ବିମାନ ସେବା ଆରମ୍ଭ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। ବିମାନଟି ଆଜି ୧୨ ଟା ୧୫ ମିନିଟ ସମୟରେ ଜୟପୁର ବିମାନ ବନ୍ଦରରେ ପହଞ୍ଚିଛି।

କୋରାପୁଟଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲାପାଳ, ଏସ୍ ପି ଓ ଜୟପୁରର ଜନସାଧାରଣ ଆଜିର ପ୍ରଥମ ବିମାନସେବାକୁ ସ୍ବାଗତ କରିଥିବା ଦେଖିବାକୁ ମିଳିଛି। ପ୍ରତିଦିନ ଭୁବନେଶ୍ୱରରୁ ଜୟପୁର ଓ ଜୟପୁରରୁ ବିଶାଖାପାଟଣାକୁ ଚଳାଚଳ କରିବ ଇଣ୍ଡିଆୱାନ ଏୟାର ବିମାନ। ଏହି ବିମାନରେ ୯ଟି ସିଟ୍ ରହିଛି । ଭୁବନେଶ୍ୱରରୁ ଜୟପୁରକୁ ଭଡ଼ା ଆନୁମାନିକ ୨,୫୦୦ ଟଙ୍କା ରହିଛି। ଏହି ବିମାନଟି ଭୁବନେଶ୍ୱରରୁ ସକାଳ ୧୧.୩୫ରେ ଛାଡ଼ିବ ଏବଂ ଜୟପୁରରେ ଅପରାହ୍ନ ୧.୨୦ରେ ଅବତରଣ କରିବ, ସେହିଭଳି ବିମାନଟି ଜୟପୁରରୁ ଅପରାହ୍ନ ୪ ଟା ବାଜି ୦୫ ମିନିଟରେ ଉଡ଼ାଣ ଆରମ୍ଭ କରି ଭୁବନେଶ୍ୱରରେ ୫ଟା ୫୦ ମିନିଟରେ ପହଞ୍ଚିବ।

୯ ଜଣ ଯାତ୍ରୀଙ୍କୁ ନେଇ ପ୍ରତିଦିନ କେବଳ ଗୋଟିଏ ବିମାନ ଉଡ଼ିବ। ପ୍ରତ୍ୟେକ ଯାତ୍ରୀଙ୍କ ଟିକେଟ ଭଡ଼ା ୨୫୦୦ଟଙ୍କା ହେବ ବୋଲି ସୂତ୍ରରୁ ପ୍ରକାଶ। ସୂଚନାଯୋଗ୍ୟ, ଏୟାରଲାଇନ୍ସ ଶୁକ୍ରବାର ରାତିରେ ଏହାର ଅଫିସିଆଲ ଟୁଇଟରରେ ଆକାଉଣ୍ଟରେ ଏହି ଘୋଷଣା କରିଥିଲା। ନଭେମ୍ବର ୯ ପର୍ଯ୍ୟନ୍ତ ୯୯୯ ଟଙ୍କା ମୂଲ୍ୟର ପ୍ରାରମ୍ଭିକ ଅଫର ସହିତ ସମସ୍ତ ଟିକେଟ ବିକ୍ରି ହୋଇଥିବାର ଜଣାପଡିଛି। ଘୋଷଣାର କିଛି ଘଣ୍ଟା ମଧ୍ୟରେ ବିମାନର ସମସ୍ତ ସିଟ୍ ବିକ୍ରି ହୋଇଯାଇଥିଲା। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଓଡ଼ିଶାରେ ଏହା ହେଉଛି ପ୍ରଥମ ବିମାନବନ୍ଦର ଯାହା ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେବ। ଆସନ୍ତା ଦିନରେ ବିମାନ ଯାତ୍ରୀଙ୍କ ଚାହିଦାକୁ ଲକ୍ଷକରି ସରକାର ଅଧିକ ସିଟଯୁକ୍ତ ବିମାନ ସେବା ଯୋଗାଇ ଦେଇପାରନ୍ତି ବୋଲି ବିମାନ ବନ୍ଦରର ଅଧିକାରୀ ପ୍ରକାଶ କରିଛନ୍ତି।