ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ରୋଗୀମାନଙ୍କୁ କୋରାପୁଟ ମେଡିକାଲ କଲେଜକୁ ଉଦ୍ଦେଶ୍ୟ ମୂଳକ ଭାବେ ପଠାଯାଉଛି
କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୋରାପୁଟରୁ ଜୟପୁରକୁ ଆସିବାପରେ ଜନସାଧାରଣ ଆଶାକରିଥିବା ସ୍ବାସ୍ଥ୍ୟସେବା ପାଇବାରୁ ବଞ୍ଚିତ ହେଉଛନ୍ତି। ଏହି ଚିକିତ୍ସାଳୟରେ ୮୩ ଜଣ ଡାକ୍ତରଙ୍କ ପଦବୀ ରହିଥିବା ବେଳେ ଅଛନ୍ତି ମାତ୍ର ୨୯ଜଣ। ଏହି କାର୍ଯ୍ୟରତ ୨୯ ଜଣ ଡାକ୍ତରଙ୍କ ମଧ୍ୟରୁ ୧୦ଜଣ ଡେପୁଟେସନ ଓ ପି,ଜି ପାଇଁ ଚାଲିଯାଇଛନ୍ତି। ତେଣୂ ୧୯ ଜଣ ଡାକ୍ତର ଏଠାରେ କାର୍ଯ୍ୟରତ ଅଛନ୍ତି। ଗତ ୮ ତାରିଖରେ ଜଣେ ମହିଳା ରୋଗୀ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀର ବହୁତ ଦୁର୍ବଳ ଥିଲା। ଡାକ୍ତର କହିଲେ ଶରୀରରେ ରକ୍ତ ପରିମାଣ କମଅଛି ଦୁଇ ୟୁନିଟ ରକ୍ତ ଦେବାକୁ ପଡିବ। ୮ତାରିଖରେ ଗୋଟିଏ ୟୁନିଟ ରକ୍ତ ଦିଆଗଲା। ୯ ତାରିଖରେ ଆଉ ଗୋଟିଏ ୟୁନିଟ ରକ୍ତ ଦିଆଯାଇଥାନ୍ତା କିନ୍ତୁ ରକ୍ତ ଓ ପରିସ୍ରା ପରୀକ୍ଷାରୁ ଜଣା ପଡିଲା ମହିଳା ରୋଗୀଙ୍କ କିଡନୀରେ ସମସ୍ୟା ରହିଛି। କାର୍ଯ୍ୟରତ ନର୍ସ ମହିଳାରୋଗୀଙ୍କ ସଂପର୍କୀୟଙ୍କୁ ଡାକ୍ତର କହିଥିବା ସୂଚନା ପ୍ରଦାନ କଲେ। ସୂଚନା ପ୍ରକାରେ ମହିଳା ରୋଗୀଙ୍କର କିଡନୀରେ ସମସ୍ୟା ରହିଛି। ତେଣୂ ୨ୟ ୟୁନିଟ ରକ୍ତ ଦିଆଯାଇ ପାରିବ ନାହିଁ ଓ ତୁମେ ରୋଗୀକୁ କୋରାପୁଟ ମେଡିକାଲ କଲେଜ ନେଇଯାଅ। ସେଠାରେ କିଡନୀ ରୋଗୀ ପାଇଁ ବିଶେଷଜ୍ଞ ଅଛନ୍ତି। ରୋଗୀକୁ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ କୋରାପୁଟକୁ ନିଆଗଲା। ମେଡିକାଲ କଲେଜର ଅଧ୍ୟକ୍ଷଙ୍କୁ ଯୋଗାଯୋଗ କରିବାରୁ ଜଣାପଡିଲା ମେଡିକାଲ କଲେଜରେ କିଡନୀ ପାଇଁ କୌଣସି ବିଶେଷଜ୍ଞ ନାହାଁନ୍ତି। ଏହି ମେଡିକାଲ କଲେଜରେ ସରକାର କେତେକ ସ୍ବତନ୍ତ୍ର ବିଭାଗ ଖୋଲିନାହାଁନ୍ତି। ତେଣୂ ଏସବୁ ରୋଗୀ ମାନଙ୍କୁ ମେଡିସିନ ବିଶେଷଜ୍ଞ ଦେଖିବେ ବୋଲି ଅଧ୍ୟକ୍ଷ କହିଲେ। ସେହି ପ୍ରକାରେ ମହିଳା ରୋଗୀକୁ ଜଣେ ଔଷଧ ବିଶେଷଜ୍ଞ ଚିକିତ୍ସିତ କରି ଏକ ମାସ ପାଇଁ ଔଷଧ ଦେଇ ଘରକୁ ପଠାଇଦେଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଜୟପୁରରେ ଔଷଧ ବିଶେଷଜ୍ଞ ଅଛନ୍ତି କିନ୍ତୁ ରୋଗୀମାନଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ କୋରାପୁଟ ମେଡିକାଲ କଲେଜକୁ ମିଥ୍ୟା ସୂଚନା ଦେଇ ପଠାଯାଉଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଡାକ୍ତର ଓ ମେଡିକାଲ କଲେଜରେ ଥିବା ଡାକ୍ତର ମାନଙ୍କ ପାଠ ଅଲଗା ଅଲଗା କି? କୋରାପୁଟ ମେଡିକାଲ କଲେଜର ଔଷଧ ବିଶେଷଜ୍ଞ ଏହି ମହିଳା ରୋଗୀକୁ ଚିକିତ୍ସା କରିପାରିଲେ କିନ୍ତୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା ଔଷଧ ବିଶେଷଜ୍ଞ ରୋଗୀକୁ ଚିକିତ୍ସା ପରିବର୍ତ୍ତେ କାହିଁକି କୋରାପୁଟ ମେଡିକାଲ କଲେଜ ପଠାଇଲେ ବୋଲି ରୋଗୀର ସଂପର୍କୀୟମାନେ କହିଛନ୍ତି ।