ଜିଲ୍ଲାସ୍ତରରେ ଶିକ୍ଷକ ଗ୍ରେଡେସନ ତାଲିକା ପ୍ରକାଶ, ଶିକ୍ଷକ ମହଲରେ ଅସନ୍ତୋଷ
କୋରାପୁଟଜିଲ୍ଲା(ସଖପ୍ର): କୋରାପୁଟ ଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଗ୍ରେଡସନ ତାଲିକା ପ୍ରକାଶ ପାଇଥିବା ବେଳେ, ଏହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବା ଖବର ହସ୍ତଗତ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଶିକ୍ଷକ ମାନଙ୍କ ବାରମ୍ବାର ଆନ୍ଦୋଳନ ଏବଂ ଦାବୀକୁ ବିଚାର କରି ରାଜ୍ୟ ସରକାରଙ୍କ ପକ୍ଷରୁ କେଡ଼େର ରୂଲ-୨୦୧୯ ପ୍ରକାଶ କରା ଯାଇଥିଲା। ଏହା ସହ ସମସ୍ତ ଜିଲ୍ଲାର,ଜିଲ୍ଲା ଶିକ୍ଷା ଅଧିକାରୀ ମାନଙ୍କୁ ଶିକ୍ଷକ ଗ୍ରେଡେସନ ତାଲିକା ପ୍ରକାଶ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି କେଡ଼େର ରୂଲରେ ଶିକ୍ଷକ ମାନଙ୍କ ବିଭିନ୍ନ ବର୍ଗ କରାଯାଇ, ନିର୍ଦ୍ଧିଷ୍ଟ ବର୍ଷରେ ଠିକ ଭାବେ ନିଜ ଦାଇତ୍ୱ ସମ୍ପାଦନ କରୁଥିବା ଶିକ୍ଷକ ମାନଙ୍କୁ ପ୍ରମୋସନ ଦେବାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଜଣେ ଶିକ୍ଷକ ନିୟମିତ ଭାବେ ୪ ବର୍ଷ ନିଜ ଦାଇତ୍ୱ ସମ୍ପାଦନ କରିଥିଲେ, ଲେବେଲ ୫(ବି)କୁ ଉନ୍ନୀତ ହେବାର ନିୟମ ଅଛି। ଲେବେଲ ୫(ବି) କୁ ପୁଣି ଦୁଇ ଭାଗରେ ବିଭକ୍ତ କରାଯାଇଛି। ଲେବେଲ ୫(ବି)ର ପ୍ରଥମ ପର୍ଯ୍ୟାୟରେ ମାଟ୍ରିକ ସିଟି/ଯୁକ୍ତ ଦୁଇ ସିଟି ଏବଂ ଓ.ଟି.ଇ.ଟି-୧କୁ ସ୍ଥାନ ଦିଆ ଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ବିଏ ସିଟି/ବିଏ ବିଇଡି ଏବଂ ଓଟିଇଟି-୨ କୁ ସ୍ଥାନ ଦେବାର ନିର୍ଦେଶନାମାରେ ଉଲେଖ ଥିବା ଶିକ୍ଷକ ମାନେ କହିଛନ୍ତି। ହେଲେ କୋରାପୁଟ ଜିଲ୍ଲାରେ ବିଏ ସିଟି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭାଗ-୨ ରେ ଅନ୍ତର୍ଭୁକ୍ତ କରା ନଯାଇ ତରବରିଆ ଭାବେ ଭାଗ-୧ ରେ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସହ ଗତ ଅଗଷ୍ଟ ୩୧ ତାରିଖରେ ପ୍ରମୋସନ ଲିଷ୍ଟ ତିଆରି କରାଯାଇ, ସମସ୍ତ ଗୋଷ୍ଠି ଶିକ୍ଷା ଅଧିକାରୀ ମାନଙ୍କୁ, ଶିକ୍ଷକ ମାନଙ୍କୁ ଯୋଗଦାନ କରାଇବାକୁ ଜିଲ୍ଲା ଶିକ୍ଷା ଅଧିକାରୀ ନିର୍ଦ୍ଦେଶ ଦେଇଥିଲେ। ସରକାରୀ ନିର୍ଦେଶନାମାକୁ ମୋଡି ମକଚି କିଭଳି ଭାବେ ବିଏ ସିଟି ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଭାଗ ୨ ବଦଳରେ ଭାଗ ୧ ରେ ରଖି ତାଲିକା ପ୍ରସ୍ତୁତ କରାଗଲା, ତାହାକୁ ନେଇ ଶିକ୍ଷକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି। ଏହାକୁ ବିରୋଧ କରି ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଏବଂ ଏନ.ପି.ଏସ ଶିକ୍ଷକ ସଂଘ ଦ୍ୱାରା ତାଲିକାକୁ ସଂଶୋଧନ କରିବା ତଥା ତ୍ରୁଟିଶୂନ୍ୟ ତାଲିକା ପ୍ରସ୍ତୁତ କରିବା ପାଇଁ ଅନୁରୋଧ କରାଯାଇଛି। ଏହିଠି ପ୍ରଶ୍ନ ଉଠୁଛି, କେମିତି ରାଜ୍ୟ ସରକାରଙ୍କ ଶିକ୍ଷା ନିର୍ଦେଶକ, କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରସ୍ତୁତ କରାଯାଇଥିବା ତ୍ରୁଟିପୂର୍ଣ୍ଣ ତାଲିକାକୁ ଯାଞ୍ଚ ନ କରି,କାହା ସ୍ୱାର୍ଥରେ ତାଲିକାକୁ ମଞ୍ଜୁର କଲେ ? ଏହା ନିଶ୍ଚିତ ଭାବରେ ଅନୁସନ୍ଧାନ ସାପେକ୍ଷ ବୋଲି ଶିକ୍ଷକ ଶିକ୍ଷୟିତ୍ରୀ ମହଲରେ ଆଲୋଚନା ହେଉଛି। କଥାଟି ଏତିକିରେ ସରିନି।ଏହି ତାଲିକାଟି ଅଗଷ୍ଟ ମାସ ୩୧ ତାରିଖରେ ପ୍ରକାଶ ପାଇଥିବା ବେଳେ, ଜିଲ୍ଲାର କିଛି ବ୍ଲକରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଗଷ୍ଟ ୨୮ ତାରିଖରେ କାର୍ଯ୍ୟରେ ଯୋଗଦାନ କରିଥିବା ଅଭିଯୋଗ ହେଉଛି। ଏହାକୁ ନେଇ ଅନ୍ୟ ବ୍ଲକର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ତାଙ୍କ ଯୋଗଦାନ ତାରିଖକୁ ୨୮ ଅଗଷ୍ଟ କରାଯାଉ ବୋଲି ପତ୍ର ମାଧ୍ୟମରେ ଦାବୀ କରିଥିବା ଖବର ମିଳିଛି। ଏହିଠି ପ୍ରଶ୍ନ ଉଠୁଛି, ଯଦି ୩୧ ଅଗଷ୍ଟରେ ପଦୋନ୍ନତି ତାଲିକା ଇମେଲ ଦ୍ୱାରା ଗୋଷ୍ଠି ଶିକ୍ଷା ଅଧିକାରୀ ମାନଙ୍କୁ ପଠାଗଲା, କିପରି ଭାବରେ କିଛି ବ୍ଲକରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅଗଷ୍ଟ ୨୮ ତାରିଖରେ ନିଜ ଗୋଷ୍ଠି ଶିକ୍ଷା ଅଧିକାରୀଙ୍କ ନିକଟରେ ନିଜ ନୂତନ କାର୍ଯ୍ୟରେ ଯୋଗଦାନ କଲେ ? ଏହିଠି ପୁଣି ପ୍ରଶ୍ନ ଉଠୁଛି, ତ୍ରୁଟିପୂର୍ଣ୍ଣ ତାଲିକା ସମ୍ପର୍କରେ ଜିଲ୍ଲାର ଦୁଇ ଦୁଇଟି ସଂଘ , ଅବଗତ କରାଇବା ସତ୍ତ୍ୱେ, କାହିଁକି ତାଲିକାକୁ ସଂଶୋଧନ କରିବା ପାଇଁ ପଦକ୍ଷେପ ନେବା ଉଚିତ ମନେ କଲେ ନାହିଁ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ ? ଏହି ଘଟଣା ନିଶ୍ଚିତ ଭାବରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ ନିର୍ବାହ ତଥା ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟିକରୁଛି। କୋରାପୁଟ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସାଧାରଣ ସମ୍ପାଦକ ଶ୍ରୀ ରାଜେନ୍ଦ୍ର ସାହୁଙ୍କ କହିବା ଅନୁଯାୟୀ ଓଟିଇଟି ୨୦୧୧ ମସିହାରେ ଆରମ୍ଭ ହୋଇଥିଲା ।ଏହା ପୂର୍ବରୁ ଯେଉଁ ବିଏ ସିଟି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଅନେକ ବର୍ଷର ଅଭିଜ୍ଞତା ସହ କାର୍ଯ୍ୟ ସମ୍ପାଦନ କରୁଛନ୍ତି, ସେମାନଙ୍କୁ ମଧ୍ୟ ଏହି ତାଲିକାରେ ସ୍ଥାନ ଦିଆଯାଉ। ପ୍ରାଥମିକ ଶିକ୍ଷକ ସଂଘ(ନୂତନ ପେନସନ ଯୋଜନା ଭୁକ୍ତ)ର ଜିଲ୍ଲା ସଭାପତି ଶ୍ରୀ ସନ୍ତୋଷ କୁମାର ଦୁବେ ତଥା ଜିଲ୍ଲାର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ ତଥା ଶିକ୍ଷା ସଚିବଙ୍କୁ ଏହି ବିଷୟରେ ହସ୍ତକ୍ଷେପ କରିବା ସହ ଉପଯୁକ୍ତ ନ୍ୟାୟ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି।
ରିପୋର୍ଟ ଭବାନୀ ପ୍ରସାଦ ପାଢୀ