ଜିଲ୍ଲାରେ ନିର୍ମାଣ ଚାଲିଛି ୨ଟି ପାନୀୟ ଜଳ ମେଗା ପ୍ରୋଜେକ୍ଟ…

ମାଲକାନଗିରି(ସଖପ୍ର):ମାଲକାନଗିରି ଜିଲ୍ଲାର କାଲିମେଳା ଏବଂ ମାଲକାନଗିରି ବ୍ଲକରେ ଦ୍ରୁତଗତିରେ ନିର୍ମାଣ ଚାଲିଛି ଦୁଇଟି ପାନୀୟ ଜଳ ମେଗା-ପ୍ରୋଜେକ୍ଟ । ଏହି ଦୁଇଟି ପ୍ରକଳ୍ପ କାର୍ଯ୍ଯ ସଂପୂର୍ଣ୍ଣ ହେଲେ ୧୦ ଗୋଟି ପଞ୍ଚାୟତର ୫୭ ହଜାର ୫୧ ଲୋକ ଉପକୃତ ହେବେ । ଏହା ବ୍ଯତିତ ସମସ୍ତ ଗ୍ରାମର ଘରେ ଘରେ ପାନୀୟ ଜଳ ପହଞ୍ଚି ପାରିବ । ଗ୍ରୀଷ୍ମ ଋତୁରେ ପାନୀୟ ଜଳ ସଂକଟରୁ ଲୋକମାନେ ମୁକ୍ତି ପାଇବେ । ବିବରଣୀରୁ ପ୍ରକାଶ ଯେ, କାଲିମେଳା ବ୍ଲକର କାଲିମେଳା, କୋଇମେଟଲା, ବଡିଗେଟା,ଗମ୍ଫାକୋଣ୍ଡା, ଭେଙ୍କଟ ପଲ୍ଲମ୍ ପଞ୍ଚାୟତକୁ ନେଇ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ଯକାରୀ ହେଉଥିବା ବେଳେ ଭେଙ୍କଟପଲ୍ଲମ ନଦୀରୁ ପାଣି ସଂଗ୍ରହ ହୋଇ ଏହି ୫ ଗୋଟି ପଞ୍ଚାୟତକୁ ପାନୀୟ ଜଳ ଯୋଗାଣ କରାଯିବ । ଏହି ପାନୀୟ ଜଳକୁ ୫ ହଜାର ୫୫୯ ଟି ଘରକୁ ସଂଯୋଗ କରାଯିବ । ଫଳରେ ୨୦୧୧ ଜନଗଣନା ଅନୁସାରେ ୨୭ ହଜାର୧୩୭ ଲୋକ ଏହି ପାନୀୟ ଜଳକୁ ଉପଯୋଗ କରି ପାରିବେ । ସେହି ପରି ଅନ୍ଯ ଏକ ମେଗା ପାନୀୟ ଜଳ ପ୍ରକଳ୍ପ କାର୍ଯ୍ଯ ମାଲକାନଗିରି ବ୍ଲକରେ ଚାଲିଛି । ଏହି ପ୍ରକଳ୍ପରେ ଶିଖା ପଲ୍ଲୀ,ତଣ୍ଡାପଲ୍ଲୀ ମାଟାପକ୍କା, ଗୋରାଖୁଣ୍ଟାଏବଂ ବଦିଲୀ ପଞ୍ଚାୟତକୁ ଅନ୍ତର୍ଭୁକ୍ତ କରାଯାଇଛି । ବଦଲୀ ପଞ୍ଚାୟତର ଏମଭି-୩୯ ଗ୍ରାମ ନିକଟସ୍ଥ ନଦୀରୁ ଜଳ ଯୋଗାଣ କରାଯିବ । ଏହି ପାନୀୟ ଜଳ ପ୍ରକଳ୍ପ ଦ୍ବାରା ୬,୨୯୪ ଗୋଟି ପରିବାର ଉପକୃତ ହେବେ । ଏହି ୫ ଗୋଟି ପଞ୍ଚାୟତର ୨୯ ହଜାର ୮୭୮ ଲୋକ ପାନୀୟ ଜଳକୁ ବ୍ଯବହାର କରି ପାରିବେ । ଏହି ଦୁଇଟି ପ୍ରକଳ୍ପକୁ ମୁମ୍ବାଇର ଜେଏମସି-ଜେଡବ୍ଲ୍ଯୁଆଇଏଲ କଂପାନୀ ଟେଣ୍ଡର ନେଇଥିବା ବେଳେ ଆଗାମୀ ତା:୯-୯-୨୦୨୨ରେ ସମାପ୍ତ କରିବା ପାଇଁ ଚୁକ୍ତିନାମା କରିଛି । ଏହି ୨ଟି ପ୍ରକଳ୍ପ ପାଇଁ ୩୮୦ କିମି ପାଇପ୍ ବିଛାଇବାର ଲକ୍ଷ୍ଯ ରଖିଥିବା ବେଳେ ୧୦୦ କିମି ପାଇପ୍ ବିଛା ଗଲାଣି । ୨ଟି ୱାଟର ଟ୍ରିଟମେଣ୍ଟ ପ୍ଲାଣ୍ଟ ଏବଂ ୧୨ ଗୋଟି ଇଏସଆର ଟ୍ଯାଙ୍କ ମଧ୍ଯରୁ ୫ଟିର ମୂଳଦୁଆ ପଡିବାରେ ଲାଗିଛି । ବର୍ତ୍ତମାନ ୪ ମାସ ହେଲା ଏହି କାମ ଚାଲିଥିବା ବଳେ ପାଖାପାଖି ୨୫ ପ୍ରତିଶତ କାମ ହୋଇଥିବା କୁହାଯାଇଛି । ଯଥା ସମ୍ଭବ କାର୍ଯ୍ଯକୁ ତ୍ବରାନ୍ବିତ କରିବା ପାଇଁ ନିକଟରେ ଦାୟିତ୍ବ ନେଇଥିବା ଜିଲ୍ଲା ଗ୍ରାମ୍ଯ ଜଳ ଯୋଗାଣ ଓ ପରିମଳ ଡିଭିଜନର ଭାରପ୍ରାପ୍ତ ଯୁବ କାର୍ଯ୍ଯ ନିର୍ବାହୀ ଯନ୍ତ୍ରୀ ମନୋଜ କୁମାର ନାୟକ ଏବଂ ଏସଡିଓ ସୌମ୍ଯଜିତ ସାହୁ ଘଟଣା ସ୍ଥଳକୁ ଯାଇ କାର୍ଯ୍ଯଗୁଡିକୁ ପରିଦର୍ଶନ କରିଥିଲେ । କାମଗୁଡିକର ଗୁଣାତ୍ମକମାନ ଦେଖିବା ସହ କଂପାନୀର କର୍ମଚାରୀମାନଙ୍କ ସହ ଆଲୋଚନା କରି ଫେରିଥିବା ଜଣା ପଡିଛି । ସରକାରଙ୍କର ଏହି ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ସ୍ଥାନୀୟ ଲୋକଙ୍କ ମନରେ ଆନନ୍ଦର ଲହରୀ ଖେଳି ଯାଇଛି ।
ମାଲକାନଗିରି ପ୍ରତିନିଧି ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ