ଜିଲ୍ଲାପାଳ କ୍ଷମତା ଦେଖାଇଲେ ଖଇରା ସରପଞ୍ଚ
ବାଲେଶ୍ଵର,୧୧/୫– ବର୍ତ୍ତମାନ କରୋନା ଭାଇରସ୍ ଭୟାବହତାକୁ ନେଇ ସାରାବିଶ୍ବ ଆତଙ୍କିତ ହୋଇଛି । ଏଥିରୁ କିପରି ମୁକ୍ତି ମିଳିବ ସେଥିପାଇଁ ରାଜ୍ଯ,ଦେଶ ତଥା ବିଶ୍ବ ପ୍ରାଣପଣେ ଚେଷ୍ଟା କରିଚାଲିଛି । ସଂକ୍ରମଣକାରୀ ମାନଙ୍କୁ କ୍ବାରାଣ୍ଟାଇନରେ ରଖି ଚିକିତ୍ସା ମଧ୍ଯ କରୁଛନ୍ତି । କିପରି କରୋନା ମହାମାରୀରୁ ରାଜ୍ୟ ତଥା ଦେଶ ରକ୍ଷା ପାଇବ ସେଥିପାଇଁ ଉଭୟ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି । ନିଜ ନିଜ ଅଞ୍ଚଳର ସୁରକ୍ଷା ପାଇଁ ମାନ୍ଯବର ଓଡିଶା ସରକାର ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି । ସେହି ପରିପ୍ରେକ୍ଷୀରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଗ୍ରାମପଞ୍ଚାୟତର ସରପଞ୍ଚ ସୁଦର୍ଶନ ସେଠୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରିଛନ୍ତି । ଶ୍ରୀ ସେଠୀ କହିଛନ୍ତି ଯେ ଖଇରା ପଞ୍ଚାୟତ ବ୍ଲକ ହେଡ୍ କ୍ବାର୍ଟର ପଞ୍ଚାୟତ ହୋଇଥିବାରୁ ପ୍ରାୟ ସମସ୍ତ କାର୍ଯ୍ଯାଳୟ ଏଠାରେ ଅଛି । ଅଫିସ୍ ଖୋଲା ରହୁଥିବାରୁ ଦୈନିକ ଲୋକମାନେ ଅଫିସ୍ କାର୍ଯ୍ୟ ସହିତ ମାର୍କେଟିଂ ପାଇଁ ମଧ୍ୟ ଆସୁଛନ୍ତି । ଦୈନିକ ବିଭିନ୍ନ ପଞ୍ଚାୟତରୁ ଜନସାଧାରଣ ଆସିବା ସଙ୍ଗେ ସଙ୍ଗେ ବାହାର ରାଜ୍ୟରୁ ଆସି ବଜାରସ୍ଥିତ କ୍ବାରାଣ୍ଟାଇନରେ ରହୁଛନ୍ତି । ଏହା ଦ୍ବାରା କରୋନା ସଂକ୍ରମିତ ସଂଖ୍ଯା ବଢିବାର ଆଶା ଥିବାରୁ ଜିଲ୍ଲାପାଳ କ୍ଷମତାପ୍ରାପ୍ତ ସରପଞ୍ଚ ସୁଦର୍ଶନ ସେଠୀ ସରକାରଙ୍କ ପ୍ରଦତ୍ତ କ୍ଷମତାକୁ ପ୍ରୟୋଗ କରି ନିଜ ପଞ୍ଚାୟତକୁ ସୁରକ୍ଷିତ ରଖିବା ପାଇଁ ଆସନ୍ତାକାଲି(୧୨/୫/୨୦୨୦) ମଙ୍ଗଳବାର ସକାଳ ୬ଘଟିକା ଠାରୁ ଗୁରୁବାର(୧୪/୫/୨୦୨୦) ସକାଳ ୬ ଘଟିକା ଅର୍ଥାତ ୪୮ ଘଣ୍ଟା ପାଇଁ ସଟ୍ ଡାଉନ୍(ଏକ ପ୍ରକାର କର୍ଫ୍ଯୁ) ଘୋଷଣା କରିଛନ୍ତି । ଏହି ସମୟ ଭିତରେ ମେଡ଼ିକାଲ ଓ ମେଡିସିନ୍ ଦୋକାନ ଖୋଲା ରହିବା ସହିତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ ବୋଲି ସରପଞ୍ଚ ଶ୍ରୀ ସେଠୀ କହିଛନ୍ତି ।
ବାଲେଶ୍ଵରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ