November 18, 2025

Sabubarga Khabar

All category news

ଜଳ ହିଁ ଜୀବନ ପଢାଉ ଥିବା ଶିକ୍ଷୟତ୍ରୀ ପାଣି ପିଇବାରୁ ୧୪ ଛାତ୍ରଙ୍କୁ ବେତ ଭାଙ୍ଗିବା ଯାଏଁ ପିଟିଲେ

ନବରଙ୍ଗପୁର ୨୯|୧୦: ମଧ୍ୟାହ୍ନ ଭୋଜନ ପରେ ଶିକ୍ଷୟତ୍ରୀଙ୍କ ପାଣି ପିଇଲେ ବୋଲି ଦଣ୍ଡମୁକ୍ତ ଅଞ୍ଚଳରେ ଦଣ୍ଡ ଭୋଗିଲେ ୧୪ ସ୍କୁଲ ଛାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା କୋଡ଼ିଙ୍ଗା ଥାନା ଅନ୍ତର୍ଗତ ଡଙ୍ଗରା ଗ୍ରାମର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ। ଯେଉଁଠି ସ୍କୁଲ ଶିକ୍ଷୟତ୍ରୀ ୧୫ ରୁ ଅଧିକ ବାଡ଼ି ସାହାଯ୍ୟରେ ଛାତ୍ରଙ୍କୁ ପ୍ରବଳ ମାଡ଼ ମାରିଛନ୍ତି। ଫଳରେ ୧୪ ଜଣ ହଷ୍ଟେଲ ଛାତ୍ର ଆହତ ହୋଇଛନ୍ତି । ଯାହାକୁ ନେଇ ଅଭିଭାବକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଶିକ୍ଷୟତ୍ରୀ ମଧ୍ୟ ମାଡ଼ ମାରିଥିବା ସ୍ବୀକାର କରିଛନ୍ତି । ତେବେ ତାଙ୍କ ପାଇଁ ଉଦ୍ଦିଷ୍ଟ ପାଣି ପିଇବାକୁ ନେଇ ନୁହଁ, ବରଂ ଛାତ୍ରଙ୍କ ପରୀକ୍ଷା ଥିବାରୁ ପଢିବା ପାଇଁ ମାରିଥିବା ସେ କହିଛନ୍ତି । ଆଖିରେ ଭୟ ସହ ଲୁହ ଓ ଦେହରେ ଆଘାତର ଚିହ୍ନ ଥିବା ଏହି କୋମଳମୋତି ଛାତ୍ରମାନେ ହେଉଛନ୍ତି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଅନ୍ତର୍ଗତ ଡଙ୍ଗରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର । ଆଉ ଏମାନଙ୍କୁ ଏହି କ୍ଷତ ଦେଇଛନ୍ତି ସ୍କୁଲର ଶିକ୍ଷୟତ୍ରୀ ସୁପ୍ରଭା ସାହୁ । ଛାତ୍ର ମାନଙ୍କ ଦୋଷ ଥିଲା ଯେ ମଧ୍ୟାହ୍ନ ଭୋଜନ ପରେ ନିଜ ବାସନ ସଫା କରି ୧୪ ଜଣ ହଷ୍ଟେଲ ଛାତ୍ର ଦିଦିଙ୍କ ଅଇଁଠା ଥାଳି ଛୁଇଁ ଦେଇଥିଲେ ଏବଂ ଦିଦି ଆଣିଥିବା ବୋତଲର ପାଣିକୁ ପିଇଦେଇଥିଲେ । ଯାହାଫଳରେ ଦିଦିଙ୍କ ରାଗ ପଞ୍ଚମକୁ ଚଢି ଯାଇଥିଲା । ଆଉ ଦିଦିଙ୍କ ରୋଷର ଶିକାର ହେବାକୁ ପଡିଥିଲା ଏହି ଛାତ୍ର ମାନଙ୍କୁ । ଦିଦି ରାଗି ଜଣ ଜଣ କରି ହଷ୍ଟେଲରେ ରହି ପଢୁଥିବା ଏହି ୧୪ ଜଣ ସ୍କୁଲ ଛାତ୍ରଙ୍କୁ ନିର୍ଦୟ ଭାବେ ବାଡ଼ିରେ ଛେଚି ଚାଲିଲେ । ଆଉ ଗୋଟିଏ କି ଦୁଇଟି ନୁହଁ ଏକା ସାଙ୍ଗରେ ୧୫ ରୁ ଉର୍ଦ୍ଧ ବାଡ଼ି ଭାଙ୍ଗି ଯାଇଥିଲା । ଦିଦିଙ୍କ ଏହି ଉଗ୍ର ରୂପ ଦେଖି ଛାତ୍ରମାନେ ଜୀବନ ବିକଳରେ ସ୍କୁଲ ଛାଡି ଧାଇଁଥିଲେ ସ୍କୁଲ ସଭାପତି ଯୁଧେଷ୍ଟି ଗୌଡଙ୍କ ନିକଟକୁ ।ସ୍କୁଲରେ ପ୍ରଧାନଶିକ୍ଷକ ଅନୁପସ୍ଥିତ ରହିଥିଲେ । ଆଉ ସ୍କୁଲର ପ୍ରଧାନଶିକ୍ଷକ ଦାୟିତ୍ବରେ ଥିଲେ ଶିକ୍ଷୟତ୍ରୀ ସୁପ୍ରଭା ସାହୁ । ମାଡ ମାରିବା ସହ ଅସଭ୍ୟ ଭାଷାରେ ଗାଳି କରିଥିବା ନେଇ ଏବେ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଶିକ୍ଷୟତ୍ରୀ ମାଡ଼ ମାରିଥିବାନେଇ ସ୍ବୀକାର କରିଥିବାବେଳେ ନିଜ ଭୁଲ ପାଇଁ ପଶ୍ଚାତାପ କରିଛନ୍ତି । ନିଜର ଏହି ଭୁଲକୁ ନ ଦୋହରାଇବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି କିନ୍ତୁ ଛାତ୍ର ମାନେ ତାଙ୍କ ପାଣି ପିଇବାରୁ ସେ ମାଡ ଦେଇନାହାନ୍ତି , ବରଂ ମନଦେଇ ପାଠପଢିବା ଲାଗି ମାରିଥିଲେ । ଛାତ୍ରମାନେ ଦୁଷ୍ଟ ହେଉଥିଲେ ଏବଂ ଆଜି ପରୀକ୍ଷା ଥିବାରୁ ସ୍କୁଲର ମଧ୍ୟାହ୍ନ ବିରତି ପରେ କ୍ଲାସ ରୁମକୁ ଯାଇ ପଢିବା ପାଇଁ ସେ କହିଥିଲେ । ଯେତେ କହିଲେ ମଧ୍ୟ ଛାତ୍ରମାନେ ଶୁଣି ନ ଥିଲେ । ସବୁ ଛାତ୍ର ଏକାଠି ଠୁଳ ହୋଇ ହସି ହସି ତାଙ୍କ କଥାକୁ ଏଡେଇ ଦେଇ ଯାଇଥିଲେ । ଫଳରେ ଛାତ୍ରଙ୍କୁ ଶୃଙ୍ଖଳିତ କରିବା ଲାଗି ସେ ମାରିଥିଲେ ବୋଲି କହିଛନ୍ତି । ସ୍କୁଲ ପରିଚାଳନା କମିଟିର ସଭାପତି ଛାତ୍ରଙ୍କ ନିକଟରୁ ଘଟଣା ସମ୍ପର୍କରେ ଅବଗତ ହେବାପରେ ସଙ୍ଗେ ସଙ୍ଗେ ଛାତ୍ରଙ୍କ ଅଭିଭାବକ, ସ୍କୁଲ ପ୍ରଧାନଶିକ୍ଷକ ଓ କମିଟି ସଭ୍ୟ ମାନଙ୍କୁ ଅବଗତ କରାଇଥିଲେ । ଏହି ଆଦିବାସୀ ପିଲାମାନେ ଦୂରଦୂରାନ୍ତରୁ ଆସି ହଷ୍ଟେଲରେ ରହି ପାଠପଢୁଛନ୍ତି । ଘଟଣା ପରେ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା । ପରେ ଉଚ୍ଚ ଅଧିକାରୀ ସ୍କୁଲରେ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଅଭିଭାବକମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବାବେଳେ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ଉଚ୍ଚ କତ୍ତୃପକ୍ଷ । ଯେଉଁ ଶିକ୍ଷୟତ୍ରୀଙ୍କୁ ଛାତ୍ର ଛାତ୍ରୀ ଓ ଅଭିଭାବକ ତଥା ସମାଜରେ ଭଗବାନର ଆଖ୍ୟା ଦିଆଯାଏ ତାଙ୍କର ଏଭଳି କାମ ଶିକ୍ଷକ ସମାଜକୁ ନିନ୍ଦିତ କରିଛି ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.