“ଜନ କଲ୍ୟାଣ ମଞ୍ଚ” ତରଫରୁ ସରକାରଙ୍କୁ ସ୍ୱାଗତ କଲେ ସର୍ବଦଳୀୟ ନେତା
କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ରାଜ୍ୟ ସରକାରଙ୍କ ଜଳସେଚନ ବିଭାଗ ଜୟପୁର ସହରକୁ ଗୁରୁତ୍ୱ ଦେଉଥିବାରୁ ସ୍ଥାନୀୟ ଅଞ୍ଚଳରେ ଖୁସି ପ୍ରକାଶ ପାଇଛି । ବିଶେଷ କରି ଇନ୍ଦ୍ରାବତୀ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟାଳୟ ଜୟପୁରରୁ ପରିଚାଳନା ପାଇଁ ରାଜ୍ୟ ସରକାର ଗତ ମାର୍ଚ୍ଚ ମାସରେ ନିଷ୍ପତ୍ତି ନେବା ବିଷୟକୁ ବିଭିନ୍ନ ମହଲରେ ସ୍ୱାଗତ କରାଯାଇଛି । ଏନେଇ ଆଜି ଏକ ସ୍ୱାଗତ ସଭା ମଧ୍ୟ ଜୟପୁର ଯାଦବ ଭବନରେ ଆୟୋଜିତ ହୋଇଥିଲା । ଜନ କଲ୍ୟାଣ ମଞ୍ଚ ପକ୍ଷରୁ ଆୟୋଜିତ ଏହି ସଭାରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ପୌର ପରିଷଦ ଉପାଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ରଥ ଯୋଗ ଦେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଦୂରଦୃଷ୍ଟି ସମ୍ପର୍ଣ୍ଣ ବୋଲି କହିବା ସହ ପ୍ରାରମ୍ଭରେ ଇନ୍ଦ୍ରାବତୀ ପ୍ରକଳ୍ପର ପ୍ରଥମ କାର୍ଯ୍ୟାଳୟ ଜୟପୁରରୁ ଆରମ୍ଭ ହୋଇଥିଲା ବୋଲି କହିଥିଲେ । କଂଗ୍ରେସର ବରିଷ୍ଠ ନେତା ବିନୋଦ ମହାପାତ୍ର ଯୋଗଦେଇ ଗମନାଗମନ ଦୃଷ୍ଟି କୋଣରୁ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ପ୍ରକଳ୍ପର ମୁଖ୍ୟ କାର୍ଯ୍ୟାଳୟ ଜୟପୁରରେ ହିଁ ରହିବା ଉଚିତ ବୋଲି କହିଥିଲେ । ସିପିଆଇର ବରିଷ୍ଠ ନେତା ଯୁଧିଷ୍ଠିର ରାଉଳ ନିଷ୍ପତ୍ତିକୁ ସମର୍ଥନ ଦେବା ସହ ଅବିଭକ୍ତ କୋରାପୁଟର ରାଜଧାନୀ ଜୟପୁର ଥିଲା ବୋଲି କହିଥିଲେ । ବିଜେଡ଼ି ନେତା ଵାଲା ରାୟ ଏହି ସରକାରୀ ନିଷ୍ପତ୍ତିକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଦାବି କରିଥିବା ବେଳେ ସାଂସଦ ପ୍ରତିନିଧି କୃଷ୍ଣ ନେପାକ ସରକାରଙ୍କ ନିଷ୍ପତ୍ତିକୁ ତାଙ୍କର ସମର୍ଥନ ରହିଥିବା ସୂଚନା ଦେଇଥିଲେ । ବୋରିଗୁମା ବ୍ଲକ ପୂର୍ବତନ ଅଧ୍ୟକ୍ଷ ମଦନ ମୋହନ ନାୟକ ଯୋଗ ଦେଇ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ କାର୍ଯ୍ୟାଳୟ ଗୁଡିକ ଜୟପୁରରେ ରଖି ରାଜ୍ୟ ସରକାରଙ୍କ ଅଧିକାରୀ ମାନେ ଏଠାକୁ ନିୟମିତ ଆସିବା ଲକ୍ଷ୍ୟରେ ଜୟପୁର ବିମାନ ଘାଟିର ବିକାଶ କରିଥିବା ଯୁକ୍ତି ରଖି ସ୍ୱାଗତ କରିଥିଲେ । ବୈଠକକୁ ମଞ୍ଚର ଆବାହକ ରାଜେନ୍ଦ୍ର କୁମାର ଗୌଡ଼ ପରିଚାଳନା କରିଥିବା ବେଳେ ଚନ୍ଦ୍ରକାନ୍ତ ସୁତାର ଧନ୍ୟବାଦ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ପରମେଶ୍ବର ପାତ୍ର, ଚିତ ରଞ୍ଜନ ଚୌଧୁରୀ, ଗଜେନ୍ଦ୍ର ସାହୁ, ସନ୍ତୋଷ ପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।