ଛିଣ୍ଡାନଈ ସାହିତ୍ୟ ସଂସଦର ଶାରଦୀୟ ସାରସ୍ବତ ଉତ୍ସବ

ଜୟପୁର: ୧୫ ।୧୦( ସଖପ୍ର) : କୋରାପୁଟ ଜିଲ୍ଲା ଜୟପୁର ସ୍ଥିତ ଟାଉନହଲ ଠାରେ ଶାରଦୀୟ ସାରସ୍ବତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଜୟପୁର ଏବଂ କଟକ ଶାଖାର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଉତ୍ସବରେ ବାର୍ଷିକ ପତ୍ରିକା ଶୁଭାଶ୍ରୀ ଲୋକାର୍ପଣ କରିଥିଲେ । ସାହିତ୍ୟ ସାଂସଦର ସଭାପତି ମନମୋହନ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପ୍ରାରମ୍ଭରୁ ବିଶିଷ୍ଟ ସାହିତ୍ୟିତ ତଥା ଆଦିବାସୀ ସଂସ୍କୃତିର ଗବେଷକ ସ୍ବର୍ଗତ ଡ.ଗଙ୍ଗାଧର ନନ୍ଦଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା । ଏହାପରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ବିକ୍ରମଦେବ ବିଶ୍ବବିଦ୍ୟାଳୟର ନବ ନିଯୁକ୍ତ ଏଏସଡି ଦେବୀ ପ୍ରସାଦ ମିଶ୍ର, ମୁଖ୍ୟବକ୍ତା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଭବାନୀ ଶଙ୍କର ଦାଶ ଏବଂ ସମ୍ମାନୀତ ବକ୍ତା ଭାବେ ବାଙ୍କି ମହାବିଦ୍ୟାଳୟର ପ୍ରଫେସର ଡ. ବୈରାଗୀ ଚରଣ ପଟ୍ଟନାୟକ ଯୋଗଦେଇ ‘ଓଡିଆ ସାହିତ୍ୟରେ ରସ’ ବିଷୟକୁ ନେଇ ଆଲୋଚନାରେ ନିଜ ନିଜ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ସମ୍ପାଦକ ଯୁଧିଷ୍ଠିର ମଲ୍ଲିକ ଓଡିଆ ସାହିତ୍ୟରେ କୋରାପୁଟ ଜିଲ୍ଲାର ଅବଦାନକୁ ନେଇ ନିଜ ମତ ପ୍ରଦାନ କରିଥିଲେ । ଏହି ଅବସରରେ ବରିଷ୍ଠ ସାହିତ୍ୟିକ ଡ. ସୁରେଶ ଚନ୍ଦ୍ର ଦାଶ ଦିବଙ୍ଗତ ଡ. ଗଙ୍ଗାଧର ନନ୍ଦଙ୍କ ୫ଟି ଭାଷାରେ ସାହିତ୍ୟ ଉପରେ ରହିଥିବା ଜ୍ଞାନ ଉପରେ ଆଲୋକପାତ କରିବା ସହିତ କେବଳ କୋରାପୁଟ ଜିଲ୍ଲା ନୁହେଁ ଓଡିଶା ଓ ଭାରତ ଜଣେ ଜ୍ଞାନୀ ଓ ଗୁଣି ଲୋକଙ୍କୁ ହରାଇଥିବା ନେଇ ପ୍ରକାଶ କରିଥିଲେ । ଏହି ଅବସରରେ ବିଶିଷ୍ଟ ଶିକ୍ଷାବିତ୍ ଡ ବ୍ରଜବନ୍ଧୁ ନନ୍ଦ, ଡ. ବୈରାଗି ଚରଣ ପଟ୍ଟନାୟକ, କୈଳାସ ହୋତା, ଭବାନୀ ଶଙ୍କର ଦାଶଙ୍କ ଏବଂ ଜାତୀୟ ସ୍ତରର କ୍ଷୁଦ୍ର ଶସ୍ୟ ପ୍ରଦର୍ଶନୀରେ ଯୋଗଦେଇଥିବା ଜଗନ୍ନାଥ ଫୁଡସର ମାଲିକଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ସାହିତ୍ୟିକ ଡ. ପ୍ରଦୀପ ମିଶ୍ର, ମଦନମୋହନ ନାୟକ, ଚନ୍ଦ୍ରକାନ୍ତ ବିଶ୍ବାଳ, ସୁଧାଂଶୁ ପଟ୍ଟନାୟକ, କୃଷ୍ଣ ଚନ୍ଦ୍ର ହୋତା, ଅଶୋକ ମହାରଣା, ସୁକାନ୍ତି ମଲ୍ଲିକ, ଘାସିରାମ ମହାପାତ୍ର, ଅବିନାଶ ସାନ୍ତ୍ରାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ଦ୍ୱିତୀୟ ଅଧିବେଶରେ ଶୁଭ୍ରାଶ୍ରୀର ସହସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନନ୍ଦିଆଙ୍କ ଅଧ୍ୟକ୍ଷତାରେ ଏକ କବିତାପାଠୋତ୍ସବ ଆୟୋଜିତ ହୋଇଥିଲା । ଏହାକୁ କବୟତ୍ରୀ ସବିତା ଶତପଥି ଓ କବିତା ସାହୁ ସଂଯୋଜନା କରିଥିଲେ ।