ଚୋରା ପଥର କାରବାର ଲିଙ୍କ୍ରେ ଆଇଆଇସି ବିକ୍ରମ୍ଙ୍କୁ ଖୋଜୁଛି ଏସ୍ଟିଏଫ୍,ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଦ୍ୱାରସ୍ଥ
ଭୁବନେଶ୍ୱର ୧୬/୧୧ :(ସଖପ୍ର) ଖୋର୍ଦ୍ଧାରେ ଚାଲିଥିବା ବେଆଇନ୍ ପଥର କାରବାର ଲିଙ୍କ୍ ଅଭିଯୋଗରେ ଖୋର୍ଦ୍ଧା ସଦର ଥାନାର ପୂର୍ବତନ ଆଇଆଇସି ବିକ୍ରମ୍ ଜେନାଙ୍କୁ ଖୋଜୁଛି କ୍ରାଇମ୍ବ୍ରାଞ୍ଚ୍ ଏସ୍ଟିଏଫ୍ ଟିମ୍ । ବିକ୍ରମ ତାଙ୍କ ଫୋନ୍ ବନ୍ଦ କରି କେଉଁଆଡେ ଚାଲି ଯାଇଛନ୍ତି। ସେପଟେ ଏସ୍ଟିଏଫ୍ ପଞ୍ଝାରୁ ବଞ୍ଚିବା ପାଇଁ ଶ୍ରୀ ଜେନା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଆଗୁଆ ଜାମିନ ପାଇଁ ଆବେଦନ କରିଥିବା ଜଣାପଡ଼ିଛି ।
ଖୋର୍ଦ୍ଧା ସଦର ଥାନା ଅଧୀନରେ ମାଳ ମାଳ ବେଆଇନ୍ ପଥର ଖଣି କାରବାର ଚାଲିଥିଲା । ଫଳରେ କୋଟି କୋଟି ଟଙ୍କା ରାଜସ୍ୱ କ୍ଷତି ହେଉଥିଲା । ଏହି ବେଆଇନ୍ ପଥର ଖଣି ଖନନ ବିଷୟରେ ଆଇଆଇସି ଶ୍ରୀ ଜେନା ଓ ତହସିଲ୍ଦାର ଶୁଭେନ୍ଦ୍ର କୁମାର ସାମଲ ସବୁ ଜାଣିଥିଲେ । ହେଲେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିଲେ । ଏସ୍ଟିଏଫ୍ ଏନେଇ ମାମଲା ରୁଜୁ କରି ଆରମ୍ଭ କରିଥିଲା ତନାଘନା । ବେଆଇନ୍ ଖଣି ଓ ଓ ନିଶା କାରବାର କରୁଥିବା ୨୫ ମାଫିଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ଗିରଫ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇ ଜେରା କରିବା ସମୟରେ କିଛି ସରକାରୀ କର୍ମଚାରୀଙ୍କ ଭୂମିକା ପଦାକୁ ଆସିଥିଲା । ଏସ୍ଟିଏଫ୍ ଜାଣିବାକୁ ପାଇଥିଲା, ସରକାରୀ କର୍ମଚାରୀମାନେ ମୋଟା ଅଙ୍କର ଟଙ୍କା ନେଇ ବେଆଇନ ଖଣି ଖୋଳିବାକୁ ଅନୁମତି ଦେଇଥିଲେ । ଏ ସବୁ ଜଣା ପଡ଼ିବା ପରେ ଅଗଷ୍ଟ ୧୩ ତାରିଖରେ ପ୍ରଥମ ପର୍ଯ୍ୟାୟରେ ଏସ୍ଟିଏଫ୍ ଶ୍ରୀ ଜେନା ଓ ତହସିଲଦାର ଶ୍ରୀ ସାମଲଙ୍କ ସହ ୫ ଜଣଙ୍କୁ ଏସ୍ଟିଏଫ୍ ନୋଟିସ୍ ଜାରି କରିଥିଲେ । ଅଗଷ୍ଟ ୧୭ ତାରିଖରେ ଏହି ଦୁଇ ଜଣଙ୍କୁ ମାରାଥନ ଜେରା କରିଥିଲା ଏସ୍ଟିଏଫ୍ ।
ଏହି ସମୟରେ ଅନେକ ତଥ୍ୟ ପ୍ରମାଣ ଏସ୍ଟିଏଫ୍ ହାସଲ କରିଥିଲା । ଏହାପରେ ଶ୍ରୀ ଜେନାଙ୍କୁ ଥାନାରୁ ଖୋର୍ଦ୍ଧା ଏସ୍ପି ଅଫିସ୍କୁ ବଦଳି କରାଗଲା । ସେଠାରେ ସେ କାର୍ଯ୍ୟ କରୁଥିଲେ । ବ୍ରାଉନ୍ସୁଗର ଓ ପଥର ମାଫିଆ ଛୋଟା ଲିଙ୍କ୍ରେ ସେପ୍ଟେମ୍ବର ୨୧ ତାରିଖରେ ଏସ୍ଟିଏଫ୍ ଶ୍ରୀ ଜେନାଙ୍କ ସହ କାମ କରୁଥିବା ତାଙ୍କର ଖାସ୍ ସହଯୋଗୀ ହାବିଲଦାର ରଞ୍ଜନ କୁମାର ସାହୁଙ୍କୁ ଗିରଫ କଲା ଏସ୍ଟିଏଫ୍ । ଏହାପରେ ଶ୍ରୀ ଜେନା ନିଜକୁ ଅସୁରକ୍ଷିତ ମଣି ଛୁଟି ଆବେଦନ କରିଥିଲେ। ଛୁଟି ଅନୁମତି ମଞ୍ଜୁର ନ ହେବା ପୂର୍ବରୁ ଶ୍ରୀ ଜେନା ନିଜ ଫୋନ୍ ବନ୍ଦ କରି କେଉଁ ଆଡେ ଚାଲିଗଲେ । କାଳେ ତାଙ୍କୁ ଏସ୍ଟିଏଫ୍ ଗିରଫ କରିବ ସେହି ଭୟରେ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଛନ୍ତି । ଖାଲି ବିକ୍ରମ ନୁହନ୍ତି ଖୋର୍ଦ୍ଧା ଟାଉନ୍ ଥାନାର ପୂର୍ବତନ ଆଇଆଇସିଙ୍କ ମୁଣ୍ଡରେ ମଧ୍ୟ ଖଣ୍ଡା ଝୁଲୁଛି । କାରଣ ସେ ନିଶା ବେପାରୀ ଛୋଟାକୁ ପୂର୍ଣ୍ଣ ସହଯୋଗ କରୁଥିଲେ । ଉକ୍ତ ଆଇଆଇସିଙ୍କର ଗତ କିଛି ଦିନ ତଳେ ବାଲେଶ୍ୱର ଜିଲ୍ଲାକୁ ବଦଳି ହୋଇଯାଇଛି ।