ଚାଷୀମାନଙ୍କ ନାମ ପଞ୍ଜିକରଣ ନିମନ୍ତେ ପ୍ରଚାର ରଥକୁ ଶୁଭାରମ୍ଭ କଲେ ଉପଜିଲ୍ଲାପାଳ

ରାୟଗଡା ୩୦/୦୭(ସଖପ୍ର): ଚଳିତ ବର୍ଷ ଖରିଫ ଋତୁରେ ଚାଷୀ ନିଜର ବଳକା ଧାନ ସରକାରଙ୍କ ନିର୍ଦ୍ଧାରିତ ମୂଲ୍ୟରେ ବିକ୍ରୟ ପାଇଁ ଚାଷୀ ମାନେ ନିକଟସ୍ଥ କୃଷି ସମବାୟ ସମିତି ଲିଃ.ରେ ନାମ ପଞ୍ଜିକରଣ କରିବାକୁ ଦିନ ଧାର୍ଯ୍ୟ କରାଯାଇଛି । ପଞ୍ଜିକରଣ କାର୍ଯ୍ୟ ଚଳିତ ମାସ ୧୫ ତାରିଖରୁ ଆସନ୍ତା ଅଗଷ୍ଟ ୧୬ ତାରିଖ ଯାଏଁ ଚାଲିବ । ଏଥିନିମନ୍ତେ ଆଜି ଉପଜିଲ୍ଲାପାଳ, ରାୟଗଡ଼ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଆର. ଏମ. ସି ସମ୍ପାଦକ ବିପିନ ବିହାରୀ ସ୍ୱାଇଁ ଓ କର୍ମଚାରୀଙ୍କ ଉପସ୍ଥିତିରେ ସବୁଜ ପତାକା ହଲାଇ ପ୍ରଚାର ରଥକୁ ଶୁଭାରମ୍ଭ କରିଛନ୍ତି । ଏହି ରଥ ଆଜି ଠାରୁ ଆସନ୍ତା ତା. ୦୪.୦୮.୨୦୨୧ ରିଖ ପର୍ଯ୍ୟନ୍ତ ୬ ଦିନ ଧରି ରାୟଗଡ଼ ନିୟନ୍ତ୍ରିତ ବଜାର କମିଟି ଅନ୍ତର୍ଗତ ରାୟଗଡ଼, କୋଲନରା, କାଶିପୁର ଏବଂ କଲ୍ୟାଣସିଂହପୁର ବ୍ଲକ ଅଞ୍ଚଳରେ ଚାଷୀଙ୍କ ନାମ ପଞ୍ଜିକରଣ ନିମନ୍ତେ ସଚେତନ କରିବ ।
ଚାଷୀମାନେ ପଞ୍ଜିକରଣ ପାଇଁ ଫର୍ମ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ ବା ଏମ୍.ଡି ଲ୍ୟାମ୍ପଙ୍କ ଦ୍ୱାରା ବିନା ମୂଲ୍ୟରେ ଯୋଗାଇ ଦିଆଯିବ । ଚାଷୀମାନେ ସବିଶେଷ ତଥ୍ୟ ପାଇଁ ନିକଟସ୍ଥ ଲ୍ୟାମ୍ପର ପରିଚାଳନା ନିର୍ଦ୍ଦେଶକ କିମ୍ୱା ସହକାରୀ ନିର୍ଦ୍ଦେଶକ ସମବାୟ ସମିତି ସମୁହ, ରାୟଗଡଙ୍କ ସହ ଯୋଗାଯୋଗ କରିବେ । ଯେଉଁ ଚାଷୀମାନେ ନିଜର ବଳକା ଧାନ ଆସନ୍ତା ଖରିଫ ଋତୁରେ ବିକ୍ରି କରିବାକୁ ଚାହୁଁଛନ୍ତି ସେମାନେ ନିକଟସ୍ଥ ଲ୍ୟାମ୍ପରେ ପୂର୍ବ ବର୍ଷ ଭଳି ଅନ୍ଲାଇନରେ ପଞ୍ଜିକରଣ କରିନେବେ । ଚଳିତ ବର୍ଷ ନୂତନ ଭାବେ ପଞ୍ଜିକରଣ ବାଧ୍ୟତା ମୂଳକ କରାଯାଇଛି । ଚାଷୀ ଅନ୍ଲାଇନ୍ ରେଜିଷ୍ଟ୍ରେସନ ନିମନ୍ତେ ଲ୍ୟାମ୍ପରେ ମିଳୁଥିବା ଫର୍ମ ପୂରଣ କରିବା ସହିତ ନିଜର ଆଧାର କାର୍ଡର ନକଲ, ବ୍ୟାଙ୍କ ପାସ୍ ବୁକ୍ର ପ୍ରଥମ ପୃଷ୍ଠାର ନକଲ, ଜମି ବିବରଣୀର ଆର୍.ଓ.ଆର୍ ନକଲ, ଓ ଯଦି ଭାଗଚାଷୀ ହୋଇଥାନ୍ତି ତେବେ ସମ୍ପୃକ୍ତ ଜମି ମାଲିକଙ୍କ ସହମତି ପତ୍ର ପ୍ରଦାନ କରିବେ । ଜମି ମାଲିକଙ୍କ ଆଧାର କାର୍ଡର ନକଲ ଓ ମୋବାଇଲ୍ ନମ୍ୱର ମଧ୍ୟ ପ୍ରଦାନ କରିବେ । ପଞ୍ଜିକରଣ ଫର୍ମରେ ଆବଶ୍ୟକତା ଅନୁଯାୟୀ ସମସ୍ତ ତଥ୍ୟ ପୂରଣ କରି ଚାଷୀମାନେ ସମିତି କାର୍ଯ୍ୟାଳୟରେ ତା ୧୬.୦୮.୨୦୨୧ ରିଖ ସୁଦ୍ଧା ଦାଖଲ କରିବେ । ନିର୍ଦ୍ଧାରିତ ସମୟର ଯଥେଷ୍ଟ ପୂର୍ବରୁ କରାଯାଇଥିବା ଫର୍ମ ସମିତି କାର୍ଯ୍ୟାଳୟରରେ ଦାଖଲ କରିବାକୁ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏବଂ ଆର. ଏମ. ସି ସଂପାଦକ ଶ୍ରୀ ବିପିନ ବିହାରୀ ସ୍ୱାଇଁ ଅନୁରୋଧ କରିଛନ୍ତି ।
ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ