ଚାଷୀଙ୍କ ହରତାଳ,ରାଜରାସ୍ତାରେ ଘଣ୍ଟାଏ ବସି ସାର ପାଇଁ ଦାବୀକଲେ
ଭଂଜନଗର(ସଖପ୍ର): ସାର ପାଇଁ ଭଂଜନଗରରରେ ହରତାଳ ପରିସ୍ଥିତି ସୃଷ୍ଟି ହୋଇଛି। ଶହ ଶହ ସଂଖ୍ୟାରେ ଚାଷୀ ଭଂଗଜନଗର ସହର ଉପକଣ୍ଠ ତଥା ବେଲଗୁଣ୍ଠା ରାସ୍ତାର ଜିଲ୍ଲା କୃଷି ବିଭାଗ ଅଫିସ ସମ୍ମୁଖରେ ଥିବା ଏକ ସାର ଏଜେଣ୍ଟ ଗୋଦାମ ନିକଟରେ ଭିଡ ଜମାଇ ଶେଷରେ ପ୍ରତିବାଦ ସ୍ୱରୂପ ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ। ଉତ୍ତ୍ୟକ୍ତ ଚାଷୀମାନେ ଦୀର୍ଘ ୧ ଘଣ୍ଟା ଧରି ଏହି ମୁଖ୍ୟ ରାସ୍ତା ଉପରେ ଗଣଧରଣାରେ ବସି ରହିଥିଲେ। ଚାଷୀଙ୍କ ପ୍ରବଳ ପାଟିତୁଣ୍ଡ ଓ ହାହୋଲା ପରିସ୍ଥିତି ଯୋଗୁଁ ଏକ ପ୍ରକାର ଅସ୍ୱଭାବିକ ବାତାବରଣ ସୃଷ୍ଟି ହୋଇଥିଲା। ଚାଷୀମାନେ ଏହି ଜନଗହଳିପୂର୍ଣ୍ଣ ରାଜରାସ୍ତା ଉପରେ ବସି ରହି ସାର ଯୋଗଇବାକୁ ଦାବି କରିଥିଲେ। ଚାଷୀଙ୍କ ରାସ୍ତା ଅବରୋଦ୍ଧ ଯୋଗୁଁ ଉଭୟ ପାର୍ଶ୍ବରେ ଶହ ଶହ ସଂଖ୍ୟାରେ ଯାନବାହାନ ଅଟକି ରହି ଯାତ୍ରୀମାନେ ନାହିଁ ନ ଥବା ଦୁର୍ଦ୍ଧଶାର ସମ୍ମୁଖୀନ ହୋଇଥିଲେ। ଭଂଜନଗର-ବେଲଗୁଣ୍ଠ-ଭୁବନେଶ୍ୱର ମୁଖ୍ୟ ରାସ୍ତାରେ କିଛି ସମୟ ପାଇଁ ଯାତାୟତ ଠପ୍ ହୋଇ ଯାଇଥିଲା। ଏହି ସମୟରେ ଉପସ୍ଥିତି ଥିବା ଜଣେ ମାତ୍ର ପୁଲିସ୍ କର୍ମଚାରୀ ବହୁ ସଂଖ୍ୟାରେ ଚାଷୀଙ୍କୁ ନିୟନ୍ତ୍ରଣ କରିବା ଅସମ୍ଭବ ହୋଇ ପଡିଥିଲା। ଏହି କର୍ମଚାର ଜଣଙ୍କ ତତ୍କାଳ ଥାନାରେ ପହଁଚି ଥାନା ଅଧିକାରୀଙ୍କୁ ଅବଗତ କରିବା ପରେ ବହୁ ସଂଖ୍ୟାରେ ପୁଲିସ୍ କର୍ମଚାରୀ ପହଁଚି ପରିସ୍ଥିତି ନିୟନ୍ତ୍ରଣ କରିଥିଲେ।