ଚାନ୍ଦିଲି ଗ୍ରାମରେ ମନ୍ଦିର ଜମିରେ ବେଆଇନ ନିର୍ମାଣକୁ ନେଇ ଗୋଷ୍ଠିବିବାଦ

କୋରାପୁଟ ଜିଲ୍ଲା(ସଖପ୍ର): କୋଟପାଡ ବ୍ଲକ ଚାନ୍ଦିଲି ଗ୍ରାମରେ ଓଡିଶା ଓ ଛତିଶଗଡ ଦୁଇ ରାଜ୍ୟର ସୀମାରେ ଥିବା ଯୁବକଙ୍କ ମଧ୍ୟରେ ବେଆଇନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ବିବାଦ ହୋଇଛି। ଛତିଶଗଡ ଧନପୁଞ୍ଜି ଗ୍ରାମର କିଛି ଯୁବକ ରାତି ଅଧିଆ ବେଆଇନ ଭାବରେ ମନ୍ଦିର ଜମିରେ ଦୋକାନଗୃହ ନିର୍ମାଣ କରୁଥିଲେ। ଏହି ନିର୍ମାଣ ସମୟରେ ଚାନ୍ଦିଲି ଗ୍ରାମର ରାଜେନ୍ଦ୍ର ବିଶୋଇ, ଜେଟୁ ହରିଜନ, ଅଶୋକ ନାୟକ, ଛତିଶ ସାହୁ ବେଆଇନ ନିର୍ମାଣ କରୁଥିବା ଧନପୁଞ୍ଜିର ଯୁବକମାନଙ୍କୁ ବିରୋଧ କରିବାରୁ ଦୁଇଗୋଷ୍ଠିଙ୍କ ମଧ୍ୟରେ ବଚସା ସହ ଠେଲାପେଲା ହୋଇଥିଲା। ସଠିକ ସମୟରେ ଚାନ୍ଦିଲି ଫାଣ୍ଡି ଅଧିକାରୀ ସୁନିଲ କୁମାର ସ୍ବାଇଁ ଖବର ପାଇ ସଦଳବଳେ ନିର୍ମାଣ ସ୍ଥାନରେ ପହଞ୍ଚି ଦୁଇଗୋଷ୍ଠିଙ୍କୁ ବୁଝାସୁଝା କରିଥିଲେ ଓ ଜମି ଚିହ୍ନଟ ହେଲାପରେ ନିର୍ମାଣ କରିବାକୁ ପରାମର୍ଶ ଦେଇଥିବା ବିଷୟ ସେଠାରେ ଥିବା ଯୁବକମାନେ ପ୍ରକାଶ କରିଛନ୍ତି। ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।
କୋଟପାଡରୁ ହରିଶ ପଟ୍ଟନାୟକ