ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ ନାମରେ ଥାନାରେ ଅଭିଯୋଗ

କୋରାପୁଟଜିଲ୍ଲା(ସଖପ୍ର):ବୋରିଗୁମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନାଙ୍କ ନାମରେ ସରକାରୀ ଅର୍ଥ ଆତ୍ମସାତ କରିଥିବା ନେଇ ଗତକାଲି ବୋରିଗୁମ୍ମା ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ଏହି ଅଭିଯୋଗ ଆଣିଛନ୍ତି ବିପିନ ବିହାରୀ ମହାପାତ୍ର। ଅଭିଯୋଗ ଅନୁଯାଇ ଶ୍ରୀ ମହାପାତ୍ର ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷାଅଧିକାରୀଙ୍କ କାର୍ଯ୍ୟାଳୟ ଅଧିନରେ ଥିବା କେତେକ କାର୍ଯ୍ୟାବଳୀ ସମ୍ବନ୍ଧୀୟ ତଥ୍ୟ ଲୋକ ସୁଚନା ଆଇନ ମାଧ୍ୟମରେ ମାଗିଥିଲେ। ଏନେଇ ତାଙ୍କୁ କିଛି ଟଙ୍କା ବାନ୍ଧିବା ପାଇଁ ଗୋଷ୍ଠୀଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରୁ ନୋଟିସ ଦିଆଯାଇଥିଲା । ନୋଟିସ ମୁତାବକ ସେ ସୂଚନା ଅଧିକାରୀ ତଥା ସହକାରୀ ଗୋଷ୍ଠି ଶିକ୍ଷାଅଧିକାରୀ ଶତ୍ରୁଘ୍ନ ଖଣ୍ଡାଙ୍କ ନିକଟରେ ତଥ୍ୟର ଦେୟ ବାବଦରେ ଅର୍ଥ ପୈଠ କରିଥିଲେ। ଗତ ଫେବୃଆରୀ ୮ ତାରିଖରେ ବିପିନ ବିହାରୀ ମହାପାତ୍ର, ଲୋକନାଥ ସୁନାଙ୍କ ଉପସ୍ଥିତିରେ ୩୦୬୪ଟଙ୍କା ପୈଠ କରିଥିଲେ କିନ୍ତୁ ନିର୍ଦ୍ଧାରିତ ସମୟ ସୀମା ଅତିକ୍ରାନ୍ତ ହୋଇଯାଇଥିବା ସତ୍ତ୍ବେ ସେହି ସମସ୍ତ ତଥ୍ୟ ଯୋଗାଇ ଦିଆଯାଇ ନାହିଁ କିମ୍ବା ଟଙ୍କା ଫେରସ୍ତ କରାଯାଇନାହିଁ। ଏଣୁ ଶ୍ରୀ ମହାପାତ୍ର ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସ୍ଥାପନ ଠାରୁ ସୂଚନା ଅଧିକାର ନିୟମ ୨୦୦୫ ଅନୁଯାୟୀ ଆବେଦନ କାରୀଙ୍କ ଠାରୁ କେତେ ଟଙ୍କା ଆଦାୟ ହୋଇଛି ଏବଂ ତାହା କେଉଁ ଜମା ଖାତାରେ ଜମାକରାଯାଇଛି,ସେ ସମ୍ବନ୍ଧରେ ସମୁଚିତ ତଦନ୍ତ କରାଗଲେ ପ୍ରକୃତ ସତ୍ୟପଦାକୁ ଆସିବ ବୋଲି କହିଛନ୍ତି। ଏହା ସହ ଘଟଣା ସମ୍ପର୍କରେ କୋରାପୁଟ ଏସ୍.ପି. ଏବଂ ଲୋକସମ୍ପର୍କ ବିଭାଗର ସଚିବଙ୍କ ନିକଟରେ ମଧ୍ୟ ଅଭିଯୋଗ କରିଛନ୍ତି। ସେ ପଟେ ଅଭିଯୋଗକୁ ଆଧାର କରି ଏକ ଷ୍ଟେସନ ଡାଇରୀ କରି ବୋରିଗୁମ୍ମା ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ନୋଟିସ କରାଯାଉଛି ବୋଲି ଥାନା ଅଧିକାରୀ ସଞ୍ଜୟ କୁମାର ମଣ୍ଡଳ କହିଛନ୍ତି। ସେ ପଟେ ଘଟଣାକୁ ନେଇ ବୋରିଗୁମ୍ମା ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ସୁନା ନିଜ ପ୍ରତିକ୍ରିୟାରେ ଗତ ଜାନୁୟାରୀ ମାସ ୯ ତାରିଖ ଠାରୁ ଏପ୍ରିଲ ମାସ ପର୍ଯ୍ୟନ୍ତ କାର୍ଯ୍ୟାଳୟ ସମସ୍ତ କାଗଜ ପତ୍ର ଫାଇଲ ଥିବା ଆଲମୀରା ତାଲା ନଥିଲା। ସେଇଥି ପାଇଁ ଆବେଦନ କାରୀଙ୍କୁ ତଥ୍ୟ ପ୍ରଦାନରେ ବିଳମ୍ବ ହୋଇଛି ବୋଲି କହିଛନ୍ତି। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଆଲମାରି ତାଲା ଭଙ୍ଗା ହୋଇଛି। ତାଙ୍କର ସମସ୍ତ ତଥ୍ୟ କମ୍ ଦିନ ମଧ୍ୟରେ ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ଆବେଦନ କାରୀ ବିପିନ ମହାପାତ୍ର ପୈଠ କରିଥିବା ସମସ୍ତ ଟଙ୍କାକୁ ଆଜି ମନିଅର୍ଡର ଯୋଗେ ତାଙ୍କୁ ଫେରସ୍ତ କରାଯାଇଛି ବୋଲି ସୂଚନା ମିଳିଛି।
ପ୍ରତିନିଧି ସୀମାଦ୍ରି ଶ୍ରୀନିବାସ ରାଓ