ଗୋଟିଏ ମୌଜାର କାମ ଅନ୍ୟ ଗୋଟିଏ ମୌଜାର ବିଲ୍ ,ଅଭିଯୋଗ କଲେ ପାଣି ପଞ୍ଚାୟତ ସଭାପତି

ବାଲେଶ୍ଵର,୨୮/୭-ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତ ଅଧିନରେ ଥିବା ଷୋଳଭଉଣୀ ଡ୍ଯାମ କେନାଲ କାମ କରି ଅଡୁଆରେ ପଡିଛନ୍ତି ବ୍ଲକ କର୍ମଚାରୀ । କ୍ଷୁଦ୍ର ଜଳସେଚନ ବିଭାଗର ବିନାଅନୁମତିରେ କେନାଲ ଉପରେ କାମ ଦର୍ଶାଇ ବିଲ ଉଠାଇଛନ୍ତି । ଏହାକୁ ନେଇ ଫଲସ୍ ବିଲ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗରୁ ଜଣାଯାଇଛି ଯେ ଔପଦା ବ୍ଲକ ଫତେପୁର ପଞ୍ଚାୟତ ଷୋଳଭଉଣୀ ଡେମ୍ ପାଣିଯାଇ ପ୍ରାୟ ୨୦୦ଏକର ଜମିରେ ଜଳ ସେଚନ ହୁଏ । ୨୦୧୮-୧୯ ଆର୍ଥିକ ବର୍ଷ କ୍ଷୁଦ୍ର ଜଳସେଚନ ବିଭାଗ ଦ୍ବାରା ୭୫ ଲକ୍ଷ ୨୨ହଜାର ୨୭୨ଟଙ୍କା ବ୍ଯୟରେ କେନାଲର ଉନ୍ନତି କରଣ ହୋଇଥିଲା । ଡେମ୍ ପାଖରେ ଥିବା କିଛି ଜମିକୁ ପାଣି ଯାଇପାରୁ ନ ଥିବା ବେଳେ ବେଣାଗଡିଆ ମୌଜାର ରାଣିପୋଖରୀ ନିକଟରେ ବିଭାଗ ପକ୍ଷରୁ ମେସିନ ସାହାଯ୍ୟରେ ମାଟି ତାଡି କେନାଲ ତିଆରି ହୋଇଥିଲା । ସେହି କେନାଲ ଉପରେ ପଞ୍ଚାୟତ ପକ୍ଷରୁ NREGS ରେ ପୁଣି ପୁନର୍ଦ୍ଧାର ନାମରେ ୬ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ଥିବାର ଜଣାଯାଇଛି । ତେବେ ପାଣି ପଞ୍ଚାୟତ ଓ କ୍ଷୁଦ୍ର ଜଳସେଚନ ବିଭାଗ ବିନାନୁମତିରେ କେନାଲ ଦର୍ଶାଇ ଫଲସ୍ ବିଲ ହୋଇଥିବା ଜାଣିବାକୁ ପାଇ ଷୋଳଭଉଣୀ ପାଣି ପଞ୍ଚାୟତର ସଭାପତି ନୀଳମଣି ରାଉତ ଔପଦା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି । ପାଇକପଡା ଫାଇଲ ଖୋଲାଯିବା ପରେ ବେଣାଗଡିଆ କେନାଲ ମାଟି ସଫାକରି ୨ଲକ୍ଷ ୧୬ ହଜାର ଉଠାଇ ନେଇଥିବାର ଜଣାପଡିଥିଲା । କାମ ବେଳର କୌଣସି ସୂଚନା ଫଳକ ଲଗାଯାଇ ନ ଥିଲା । ପରେ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କର୍ମଚାରୀ ପୂର୍ଣ୍ଣ ଚନ୍ଦ୍ର ମହାନ୍ତି ପ୍ରତିବାଦ କରିବାରୁ ତାଙ୍କୁ କାର୍ଯ୍ୟରତ ଜେଇ ର୍ଦୁବ୍ଯହାର କରିଥିବା ନେଇ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ ହୋଇଛି । କାମ ବେଣାଗଡିଆ ମୌଜାର ହୋଇଥିବା ବେଳେ ସରକାରୀ ଫାଇଲରେ ପାଇକପଡା ମୌଜା ବୋଲି ଦର୍ଶିଯାଇ ଲକ୍ଷାଧିକ ଟଙ୍କା ଫଲସ୍ ବିଲ୍ ହୋଇଥିବା କଥା ଗଣମାଧ୍ୟମ ଆଗରେ ନିରଞ୍ଜନ ମହାନ୍ତି ଓ ନୀଳମଣି ରାଉତ ପ୍ରକାଶ କରିବା ସହିତ ଏହାର ଭିଜିଲାନ୍ସ ଦାବି କରିଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ