02/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କୋଲାବ ଜଳସେଚନ କେନାଲ ବନ୍ଧରେ ବିରାଟ ଘାଇ

କୋରାପୁଟଜିଲ୍ଲା: ଭୁଷୁଡିଲା କେନାଲ ଆଡିବନ୍ଧ । କୋରାପୁଟ ଜୟପୁର ସହର ନିକଟସ୍ଥ କୋଲାବ ଜଳସେଚନ ମୁଖ୍ୟ କେନାଲର ଆଡିବନ୍ଧ ଗତକାଲି ମଧ୍ୟରାତ୍ରିରେ ଭୁଷୁଡି ଯାଇଛି । ଯଦ୍ବାରା ଏକ ବଡ ଦୁର୍ଘଟଣାରୁ ଅଳ୍ପକେ ରକ୍ଷା ପାଇଛନ୍ତି ସ୍ଥାନୀୟବାସୀ । ଘଟଣାସ୍ଥଳରେ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି । ଅନ୍ୟପଟେ ଜଳସେଚନ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଏହାର ତଦନ୍ତ ରିପୋର୍ଟ ମାଗିବା ସହ ଯୁଦ୍ଧକାଳୀନ ଭିତ୍ତିରେ କେନାଲ ବନ୍ଧ ମରାମତି ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ଉପର କୋଲାବ ଜଳସେଚନ ବିଭାଗର ଅବହେଳାରୁ ବନ୍ଧ ଭୁଷୁଡିଥିବା ଅଭିଯୋଗ ହୋଇଛି । ସମ୍ପୃକ୍ତ ମୁଖ୍ୟ କେନାଲରେ 10 ଫୁଟ ଉପରେ ପାଣି ଚାଲୁଥିବାବେଳେ ହଠାତ ବନ୍ଧ ଭାଙ୍ଗିବା ପରେ 9 ମିଟର ଘାଇ ସୃଷ୍ଟି ହେବା ସହ ସ୍ଥାନୀୟ ଏକତାଗୁଡା ଗ୍ରାମ ଆଡକୁ କ୍ଷୀପ ବେଗରେ ଜଳ ପ୍ରବାହ ହେଉଛି । ଚାଷ ଜମିରେ ମଧ୍ୟ ପାଣି ମାଡିଯାଇଛି । ବିଧାୟକ ତାରାପ୍ରସାଦ ଘଟଣା ପାଇଁ ବିଭାଗୀୟ ଯନ୍ତ୍ରୀଙ୍କୁ ଦୋଷ ଦେଇଛନ୍ତି । କେନାଲ ମରାମତି ନାଁରେ ଅଧିକାରୀମାନେ ଲକ୍ଷ ଲକ୍ଷ ଟଙ୍କା ହଡପ କରିଥିବା ସେ ଅଭିଯୋଗ କରିବା ସହ କ୍ଷତିଗ୍ରସ୍ତ ଲୋକଙ୍କୁ ତୁରନ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି । ଅନ୍ୟପଟେ ଅତି ପୁରୁଣା କେନାଲ ହୋଇଥିବାରୁ ଏହାର ମରାମତି ପାଇଁ ଯଥେଷ୍ଟ ପରିମାଣର ଅର୍ଥ ଆସୁନଥିବା କହିଛନ୍ତି ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବାଷ ଚନ୍ଦ୍ର ମିଶ୍ର । ତେବେ କେନାଲ ଆଡିବନ୍ଧ ମରାମତି ପାଇଁ ଆବଶ୍ୟକ ଅର୍ଥ ପ୍ରଦାନ କରାଯିବ ବୋଲି କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *