କୋରାପୁଟ ବସଯାତ୍ରୀଙ୍କ ପାଇଁ ଖୁସି ଖବର, ବସଷ୍ଟାଣ୍ଡର ହେବ ନବୀକରଣ
କୋରାପୁଟ: ଦୀର୍ଘ 27 ବର୍ଷ ପରେ କୋରାପୁଟ ବସଷ୍ଟାଣ୍ଡରେ ପ୍ରଥମଥର ପାଇଁ ଯାତ୍ରୀ ବିଶ୍ରାମଗୃହର ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି । କୋରାପୁଟ ବସଷ୍ଟାଣ୍ଡର ନବୀକରଣ ପାଇଁ ଜିଲ୍ଲାପାଳ ମଧୁସୂଦନ ମିଶ୍ର, ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ ରଞ୍ଜନ ସାମନ୍ତରାୟ ଏବଂ ଅନ୍ୟାନ୍ୟ ଅଧିକାରୀଗଣ ବସଷ୍ଟାଣ୍ଡ ପରିଦର୍ଶନ କରିଛନ୍ତି । ସୂଚନା ଅନୁଯାୟୀ ଚାମ୍ବର ଅଫ କମର୍ସ, ପ୍ରେସ କ୍ଲବ, ବସ ମାଲିକ ସଙ୍ଘ, ଖଲାସୀ ସଙ୍ଘର କର୍ମକର୍ତ୍ତାଙ୍କ ସମେତ ସହରର କିଛି ଗଣ୍ୟମାନ୍ୟ ବ୍ୟକ୍ତି ଜିଲ୍ଲାପାଳଙ୍କୁ ଭେଟି ବସଷ୍ଟାଣ୍ଡରେ ଥିବା ବିଭିନ୍ନ ସମସ୍ୟା ବାବଦରେ ଅବଗତ କରାଇଥିଲେ । ଗୁରୁତ୍ବପୂର୍ଣ୍ଣ ସମସ୍ୟାଗୁଡିକ ମଧ୍ୟରୁ ବସଷ୍ଟାଣ୍ଡ ପାର୍କିଂ ସ୍ଥାନ ଅଭାବ ଏବଂ ବସଷ୍ଟାଣ୍ଡ ଉପରେ ଦଶ ବର୍ଷରୁ ଊର୍ଦ୍ଧ୍ବ ହେବ ବିପଦ ସଂକୁଳ ଅବସ୍ଥାରେ ଅର୍ଦ୍ଧନିର୍ମିତ ଗୃହର ଅବସ୍ଥା ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆଜି (ଶନିବାର) ଜିଲ୍ଲାପାଳ ପୂର୍ତ୍ତ ବିଭାଗର ଯନ୍ତ୍ରୀ ଏବଂ ମ୍ୟୁନିସିପାଲିଟି ନିର୍ବାହୀ ଅଧିକାରୀଙ୍କୁ ବସଷ୍ଟାଣ୍ଡ ଉପରେ ଥିବା ଗୃହକୁ ଭାଙ୍ଗିଦେଇ ସେଠାରେ ବିଶ୍ରାମାଗାର ନିର୍ମାଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ବସଷ୍ଟାଣ୍ଡ ନିକଟବର୍ତ୍ତୀ ହକି ପଡିଆ ପୋଲିସ ବିଭାଗ ଅକ୍ତିଆରରେ ରହି ଅନେକ ଦିନଧରି ଅବ୍ୟବହୃତ ହୋଇ ରହିଥିବା ଯୋଗୁଁ ତାକୁ ସହରର ପାର୍କିଂ ସ୍ଥାନ ଭାବେ ବ୍ୟବହାର କରିବା ପାଇଁ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି ।