କୋରାପୁଟ ଜିଲ୍ଲା ଟାଙ୍କୁଆ ପଞ୍ଚାୟତରେ ଦମ୍ପତି ମୌଳିକ ସୁବିଧାରୁ ବଞ୍ଚିତ
କୋରାପୁଟଜିଲ୍ଲା(ସଖପ୍ର): କୋରାପୁଟ ଜିଲ୍ଲା ଟାଙ୍କୁଆ ପଞ୍ଚାୟତରେ ଗୋଟିଏ ଦମ୍ପତି ମୌଳିକ ସୁବିଧାରୁ ବହୁ ଦୂରରେ । ଏମାନଙ୍କ ଚଳାଚଳ କହିଲେ ଜଙ୍ଗଲରୁ କାଠ ସଂଗ୍ରହ କରି ଆଣି ଦି ପଇସା ରୋଜଗାର କରି ନିଜ ପେଟକୁ ଦାନା ମୁଠାଏ ଯୋଗାନ୍ତି। ସରକାରଙ୍କ ଯୋଜନା ହାତ ପାହାନ୍ତାରେ ଥାଇ ମଧ୍ୟ ଏହି ଦମ୍ପତିଙ୍କ ଆବାସ ଘର ଖଣ୍ଡେ ସାତସପନ, ହେଲେବି ମୁଣ୍ଡର ଝାଳ ତୁଣ୍ଡରେ ମାରି କଷ୍ଟକରି ଚଳୁଛନ୍ତି। ପାଇଖାନା ଘରେ ଜୀବନ ବିତାଉଛନ୍ତି ଦମ୍ପତି। ମୁଣ୍ଡ ଗୁଞ୍ଜିବା ପାଇଁ ଘର ଖଣ୍ଡିଏ ନଥିବାରୁ ପାଇଖାନା ସାଜିଛି ଆଶ୍ରୟସ୍ଥଳୀ। ଦୀର୍ଘ ୧୦ ବର୍ଷ ତଳେ ଚାଳଛପର ଘରଟିଏ କରିଥିଲେ ଗଣେଶ ମାଳି କିନ୍ତୁ ପ୍ରବଳ ବର୍ଷା ହେବାରୁ ଘର ମାଟିରେ ମିଶିଗଲା । ଫଳରେ ଦୀର୍ଘ ୩ ବର୍ଷ ହେଲା ବାଧ୍ୟ ହୋଇ ପାଇଖାନାରେ ରହିଆସୁଛନ୍ତି କୋରାପୁଟ ଜିଲ୍ଲା ଜୟପୁର ବ୍ଲକ ଟାଙ୍କୁଆ ପଞ୍ଚାୟତର ବଦଳୀଗୁଡା ଗ୍ରାମର ଗଣେଶ ଓ ତାଙ୍କ ସ୍ତ୍ରୀ ଦୈଇମତି ମାଳୀ। ସରକାର ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଅନେକ ଯୋଜନା କରି ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବାସ୍ତବ ଚିତ୍ର ଅଲଗା। ଘର ଖଣ୍ଡିଏ ନଥିବାରୁ ମୁଣ୍ଡ ଗୁଞ୍ଜିବା ପାଇଁ ଗଣେଶ ଅନେକ ଥର ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କାଘର ଯୋଜନାରେ ନିଜକୁ ସାମିଲ କରିବାପାଇଁ ଅନେକ ଥର ଲେଖି ଦେଇଛନ୍ତି କିନ୍ତୁ କେହି ଶୁଣି ନାହାନ୍ତି। ତାଙ୍କର ଗୁହାରୀ ସରକାରୀବାବୁଙ୍କ ପଖକୁ ଯାଇପାରିନାହିଁ କିମ୍ବା ସରପଞ୍ଚ ଜାଣିଶୁଣି ସାହାଯ୍ୟ କରୁନାହାଁନ୍ତି।। ତେଣୁ ବାଧ୍ୟହୋଇ ସ୍ୱଛଭାରତ ଯୋଜନାରେ ପାଇଥିବା ପାଇଖାନାରେ ମୁଣ୍ଡ ଗୁଞ୍ଜିବା ପାଇଁ ବାଧ୍ୟ ହୋଇଛନ୍ତି ଦମ୍ପତି। ଅଭାବୀ ଲୋକଙ୍କ ପାଇଁ ସରକାରୀ ଯୋଜନାର ଅଭାବ ନାହିଁ। ହେଲେ ଯୋଗ୍ୟ ହିତାଧିକାରୀ ଚୟନରେ ତ୍ରୁଟି ଯୋଗୁଁ ହନ୍ତସନ୍ତ ହେଉଛନ୍ତି ଗଣେଶ ଓ ଦୈଇମତି ପରି ଅନେକ ଗରୀବ ଅସହାୟ। ସରକାର ସହାୟତା କହିଲେ ଗଣେଶଙ୍କୁ ୫କେଜି ଚାଉଳ ମିଳୁଥିବା ବେଳେ ତାଙ୍କ ସ୍ତ୍ରୀକୁ ୫କେଜି ଚାଉଳ ମଧ୍ୟ ମିଳୁ ନାହିଁ। ଦୁଇଜଣ ସକାଳୁ ପ୍ରତ୍ୟେକ ଦିନ ଜଙ୍ଗଲକୁ ଯାଇ କାଠ, କରଡ଼ି ସଂଗ୍ରହ କରି ତାକୁ ବିକ୍ରି କରିଥାନ୍ତି। ଯେଉଁ ଦିନ ଜଙ୍ଗଲକୁ ଯାଇପାରନ୍ତି ନାହିଁ ସେ ଦିନ ଭୋକରେ ରହନ୍ତି। ଯଥାଶିଘ୍ର ଏହି ଦମ୍ପତିଙ୍କ ପାଇଁ ଆବାସ ଯୋଜନାରେ ଘରଖଣ୍ଡେ ଦିଆଯାଉ ବୋଲି ଗ୍ରାମବାସୀ ଦାବୀ କରୁଛନ୍ତି।