November 18, 2025

Sabubarga Khabar

All category news

କୋରାପୁଟ ଜିଲ୍ଲାରେ ସାମ୍ବାଦିକଙ୍କୁ ମରଣାନ୍ତକ ଆକ୍ରମଣ

କୋରାପୁଟଜିଲ୍ଲା/କୁନ୍ଦୁରା (ସଖପ୍ର): କୋରାପୁଟଜିଲ୍ଲାର ଜଣେ ଜଣାଶୁଣା ସାମ୍ବାଦିକ ଅକ୍ଷୟ ପଟ୍ଟନାୟକଙ୍କୁ ଶୁକ୍ରବାର ରାତିରେ ଦୁଇ ଜଣ ଦୁର୍ବୃତ୍ତ କୁନ୍ଦୁରା ମିଲ୍ ଛକରେ ଖଣ୍ଡା ଓ ଭୁଜାଲିରେ ଆକ୍ରମଣ କରିଛନ୍ତି। ଏଥିରେ ସାମ୍ବାଦିକ ଜଣଙ୍କ ମୁଣ୍ଡ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର ଆଘାତ ଲାଗିଛି। ଘଟଣା ପରେ ତାଙ୍କୁ ତୁରନ୍ତ କୋରାପୁଟ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସାମ୍ବାଦିକଙ୍କ ମୁଣ୍ଡରେ ପାଖାପାଖି ୨୦ରୁ ଉର୍ଦ୍ଧ୍ବ ଷ୍ଟିଚ୍ ପଡିଥିବା ବେଳେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ସୃଷ୍ଟି ହୋଇଛି। ତାଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ଅଛି ବୋଲି ସାମ୍ବାଦିକଙ୍କ ସାନ ଭାଇ ଅମିତ ପଟ୍ଟନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି।
ଘଟଣାକ୍ରମରେ, ସାମ୍ବାଦିକ ଜଣକ ଯାଉଥିବା ରାସ୍ତାରେ ଏହି ଦୁଇ ଅସାମାଜିକ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ମାରଣାସ୍ତ୍ର ଧରି ଛିଡା ହୋଇଥିଲେ। ତେବେ ଏହାକୁ ଅକ୍ଷୟ ବିରୋଧ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା। ଏହାପରେ ଉକ୍ତ ଦୁଇ ଯୁବକ ନିଶାସକ୍ତ ଅବସ୍ଥାରେ ଥିବାରୁ ଉତ୍ତକ୍ଷିପ୍ତ ହୋଇ ସାମ୍ବାଦିକଙ୍କୁ ଆକ୍ରମଣ କରିଥିଲେ।
ଖବର ଥାଉକି, ଉକ୍ତ ଦୁଇ ଯୁବକ ପୂର୍ବରୁ ଏକ ଲୁଟ୍ ଘଟଣାରେ ଗିରଫ ହୋଇଥିଲେ। ଯାହାର ଖବର ଅକ୍ଷୟ ପ୍ରକାଶ କରିଥିଲେ। ତେବେ ଦୀର୍ଘ ଦିନର ଆକ୍ରୋଶକୁ ସୁଝାଇବା ପାଇଁ ସାମ୍ବାଦିକଙ୍କୁ ଦୁର୍ବୃତ୍ତ ଆକ୍ରମଣ କରିଥିବା କୁହାଯାଉଛି।
ଅକ୍ଷୟ ପଟ୍ଟନାୟକ ଜଣେ ନିର୍ଭୀକ ସାମ୍ବାଦିକ ଭାବେ କୁନ୍ଦୁରା ବ୍ଲକରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ସେ ଅତୀତରେ ଅନେକ ଗଞ୍ଜେଇ ଚାଲାଣ, କାଠପଟା ଚୋରା ଚାଲାଣ, ବାଲି ଚୋରା ଚାଲାଣ ତଥା ବିଭିନ୍ନ ସଂସ୍ଥାରେ ଅନେକ ଦୁର୍ନୀତିର ପର୍ଦ୍ଦାଫାଶ କରିଥିଲେ। ଏହି ଆକ୍ରମଣ ଘଟଣାକୁ ନେଇ କୁନ୍ଦୁରା ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅକ୍ଷୟଙ୍କ ଉପରେ ଆକ୍ରମଣକୁ ଯୁବ ବର୍ଗ, ବୁଦ୍ଧିଜୀବୀ ଓ ସାମ୍ବାଦିକ ମହଲରେ ନିନ୍ଦା କରାଯାଇଛି। ତେବେ ଦୋଷୀଙ୍କ ବିରୋଧରେ ତୁରନ୍ତ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ଥାନୀୟ ସାମ୍ବାଦିକ ମାନେ ଲିଖିତ ଭାବେ ସ୍ଥାନୀୟ ଥାନା ଅଧିକାରୀ ଙ୍କୁ ଜଣାଇଛନ୍ତି।
ଅକ୍ଷୟ ସେ ଅଞ୍ଚଳର ସ୍ଥାନୀୟ ସମସ୍ୟା ଓ ବିଭିନ୍ନ ଘଟଣାବଳୀଙ୍କୁ ପ୍ରଶାସନର ଦୃଷ୍ଟିକୁ ଆଣିବା ସହ ଅସହାୟ ଲୋକଙ୍କୁ ସହଯୋଗର ହାତ ବଢାଇଥାନ୍ତି। ସେ ସମ୍ବାଦ ଖବରକାଗଜରେ କୁନ୍ଦୁରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ ଅଛନ୍ତି।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.