କୋରାପୁଟ ଘାଟି ତଳକୁ ଏଲପିଜି ଟ୍ୟାଙ୍କର ଓଲଟିଲା , ଜଣେ ମୃତ

ଜୟପୁର (ସଖପ୍ର): କୋରାପୁଟ-ଜୟପୁର ୨୬ ନଂ ଜାତୀୟ ରାଜପଥର ଜୟପୁର ଘାଟି ତଳକୁ ଏଲପିଜି ଟ୍ୟାଙ୍କର ଓଲଟି ପଡିବାରୁ ଜଣକର ମୃତ୍ୟୁ ହୋଇଛି । ଟ୍ୟାଙ୍କରରୁ ଗ୍ୟାସଲିକ ହେଉଥିବାରୁ ଘଟଣା ସ୍ଥଳର ୧ କିଲୋମିଟର ପରିଧି ମଧ୍ୟରେ କର୍ଡନ କରି ଯାତାୟତ ବନ୍ଦ କରି ଦିଆଯାଇଥିଲା ଓ ପୋଲିସ ଏବଂଅଗ୍ନୀଶମ ବିଭାଗ ଅଧିକାରୀ ସେଠାରେ ଉପସ୍ଥିତ ରହିଥିଲେ ।ପରେ ରାୟଗଡାରୁ ସ୍ୱତନ୍ତ୍ର ଦଳ ପହଂଚି ସ୍ଥିତି ଅନୁଧ୍ୟାନ କରିବା ପରେ ଯାତାୟତ ଆରମ୍ଭ କରାଯାଇଥିବା ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ ସୂଚନା ଦେଇଥିଲେ ।ସୂଚନା ଅନୁଯାୟୀ ବିଶାଖାପାଟଣାରୁ ରାୟପୁରକୁ ଏଲପିଜି ନେଇ ଏକ ଟ୍ୟାଙ୍କର ଯାଉଥିବାବେଳେ ଜୟପୁର ଘାଟିରେ ନିୟନ୍ତ୍ରଣ ହରାଇ ବୁଧବାର ପୂର୍ବାହ୍ନରେ ଓଲଟି ପଡିଥିଲା । ଖବର ପାଇ କୋରାପୁଟ ସଦର ଥାନା ପୋଲିସ ,ଜୟପୁର ପୋଲିସ ,ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଟ୍ୟାଙ୍କର ତଳେ ଜଣେ ଚାପି ହୋଇ ମୃତ୍ୟୁ ବରଣ କରିଥିବାବେଳେ ଆଉ ଜଣକର ଖୋଜ ଖବର ମିଳି ନଥିବା ଜଣାପଡିଛି । କୋରାପୁଟ ଜିଲ୍ଲପାଳ ଅବଦ୍ଦାଲ ଏମ ଅଖତାର ,କୋରାପୁଟ ଏସପି ବରୁଣ ଗୁଣ୍ଠାପାଲି ,ଜୟପୁର ଉପଜିଲ୍ଲାପାଳ ହେମକାନ୍ତ ସଏ ଘଟଣାସ୍ଥଳ ପରିଦର୍ଶନ କରି ଅନୁଧ୍ୟାନ କରିଥିଲେ । ଜୟପୁର ତହସିଲଦାର ଟୁଲିଆମ୍ମା ପ୍ରଧାନ ଓ ଜୟପୁର ଅତିରିକ୍ତ ତହସିଲଦାର ଅଶ୍ୱିନି କୁମାର ମହାପାତ୍ର ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ଅଗ୍ନୀଶମ ବିଭାଗ ଦକ୍ଷିଣାଂଚଳ ଜୋନ ଫାୟାର ଅଫିସର ପ୍ରଶାନ୍ତ କୁମାର ଦାଶ ଓ ଅନ୍ୟମାନେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରୁଥିବାବେଳେ ଯେପରି କୌଣସି ଦୁର୍ଘଟଣା ନ ଘଟେ ସେଥିପ୍ରତି ନଜର ରଖିଥିଲେ । ଗ୍ୟାସ ଲିକେଜ ଆରମ୍ଭ ହୋଇଥିବାରୁ ବିଶେଷ ସତର୍କତା ପନ୍ଥା ଅବଲମ୍ବନ କରା ଯାଉଥିବାବେଳେ ଡିଜେଲ ଟେଙ୍କରୁ ତେଲ ବାହାର କରି ଦିଆଯାଇଥିବା ଶ୍ରୀ ଦାଶ ସୂଚନା ଦେଇଛନ୍ତି । ବିଶାଖାପାଟଣାରୁ ଟେକ୍ନିକାଲ ଟିମ ପହଂଚିବା ପରେ ଅନ୍ୟ ଏକ ଟ୍ୟାଙ୍କରକୁ ଗ୍ୟାସ ସ୍ଥାନାନ୍ତର କରାଯିବ ବୋଲି ଶ୍ରୀ ଦାଶ ସୂଚନା ଦେଇଛନ୍ତି ।
ପ୍ରତିନିଧି ସିମାଦ୍ରି ଶ୍ରୀନିବାସ ରାଓ