କୋରାପୁଟ ଏସପିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିଲେ ବିଜେପି ନେତା ଓ କର୍ମୀ
କୋରାପୁଟ (ସଖପ୍ର): କଳାହାଣ୍ଡିି ଜିଲ୍ଲାର ଶିକ୍ଷୟତ୍ରୀ ମମିତା ମେହେରଙ୍କ ହତ୍ୟା ପ୍ରତିବାଦରେ କୋରାପୁଟ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ତରଫରୁ ଶୋଭାଯତ୍ରା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।କୋରାପୁଟ ହାଇସ୍କୁଲ ଛକରୁ ଯୁବ ମୋର୍ଚ୍ଚା ସଭାପତି ସାବନ କୁମାର ମହାନ୍ତିଙ୍କ ନେତୃତ୍ବରେ ପୂର୍ବତନ ସାଂସଦ ଜୟରାମ ପାଙ୍ଗୀ ,ଜିଲ୍ଲା ସଭାପତି ସୁମନ୍ତ ପ୍ରଧାନ ,ପୂର୍ବତନ ସଭାପତି ଜୟରାମ ଗରଡା, ଗୈାତମ ସାମନ୍ତରାୟ , ଜି.ସଂଜିବ କୁମାର , ପୂର୍ଣ୍ଣିମା ନାୟକ ,ଭାଗିରଥି ପାଟନିଆ ,ବିଜୟ କୁମାର ଦଳେଇ, ପ୍ରମୁଖଙ୍କ ସହ ଶତାଧିକ ନେତା ଓ କର୍ମୀ ଶୋଭାଯାତ୍ରାରେ ସହର ପରିକ୍ରମା କରି ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥାନ୍ତେ ।କିନ୍ତୁ ଅସଂଖ୍ୟ ନେତା ଓ କର୍ମୀ ଏସପିଙ୍କ କାର୍ଯ୍ୟାଳୟକୁ ଧସେଇ ପଶି ଯାଇଥିଲେ। ଏହାପରେ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା କରିଥିଲେ ଓ ଏସପିଙ୍କୁ ଘଟଣାସ୍ଥଳକୁ ଆସିବାକୁ ଉପସ୍ଥିତ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଅନେକ ଯୁକ୍ତିତର୍କ ପରେ ଡିଏସପି ନିରଞ୍ଜନ ବେହେରା ଆନ୍ଦୋଳରତ ନେତାମାନଙ୍କ ସହ ଆଲୋଚନା କରିବା ପରେ ବିଜେପି ନେତାମାନେ କାର୍ଯ୍ୟାଳୟରୁ ଫେରି ଆସି ଜାତୀୟ ରାଜପଥରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ। ଅଭିଯୁକ୍ତ ଗିରଫ ଗୋବିନ୍ଦ ସାହୁଙ୍କୁ ୧୭ ତାରିଖରେ ହାଜତରେ ନ ରଖି କାହିଁକି ବ୍ୟାରେକରେ ରଖାଗଲା ,୧୮ ତାରିଖରେ କୋଭିଡ ପରୀକ୍ଷା ଓ ୧୯ ତାରିଖରେ ଆଖୁ କିଆରୀରୁ ଗିରଫ କରିବା ରହସ୍ୟମୟ ବୋଲି ଯୁବ ମୋର୍ଚ୍ଚା ସଭାପତି ସାବନ କୁମାର ମହାନ୍ତି ପ୍ରକାଶ କରିଛନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କୁ ତୁରନ୍ତ ବହିଷ୍କାର ଓ ଗିରଫ କରିବାକୁ ସେ ଦାବି କରିଥିଲେ। ଯଦି ନ ହୁଏ ତେବେ କୋରାପୁଟ ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ଗାଡି,ଚକ ଓ ଅଖ ବନ୍ଦ କରିବାକୁ ବାଧ୍ୟ ହେବ ବୋଲି ସେ ପ୍ରକାଶ କରିଛନ୍ତି ।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ