କୋରାପୁଟର ଗୋଟିଏ ପରିବାର କରୋନାକୁ ହରାଇଲେ
କୋରାପୁଟ(ସଖପ୍ର): ଭୟ ହେଉଛି କୋରୋନାର ପରମ ବନ୍ଧୁ । ତାକୁ ଡରି ନଯାଇ ସାହସର ସହ ଲଢେଇ କଲେ କୋରୋନା ଉପରେ ବିଜୟ ନିଶ୍ଚିତ । ଏହା କେବଳ ବାକ୍ୟରେ ନୁହେଁ ବରଂ ଉଦାହରଣ ସାଜି ବାସ୍ତବ ଜୀବନରେ ପ୍ରମାଣିତ କରି ଦେଖାଇଛନ୍ତି କୋରାପୁଟର ନରସିଂହ ପ୍ରଧାନ ତାଙ୍କ ଧର୍ମପତ୍ନୀ ରାଧାରାଣୀ ପ୍ରଧାନ ଓ ତାଙ୍କ ପିଲାମାନେ । ପରିବାରର ସମସ୍ତ ସଦସ୍ୟ କୋରୋନାରେ ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଛନ୍ତି ।
ଶିକ୍ଷକତା କରୁଥିବା ନରସିଂହ ପ୍ରଥମେ କୋଭିଡରେ ସଂକ୍ରମିତ ହେବା ପରେ ନିଜ ପରିବାରର ସମସ୍ତଙ୍କ କୋଭିଡ ପରୀକ୍ଷା କରିଥିଲେ । ସେମାନେ ମଧ୍ୟ କୋଭିଡ ରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ସମସ୍ତେ ଘର ମଧ୍ୟରେ ହିଁ ନିଜକୁ ସଙ୍ଘରୋଧ କରି ରଖିଥିବା ନରସିଂହ ଜଣାଇଛନ୍ତି । କିନ୍ତୁ କିଛିଦିନ ପରେ ଶ୍ଵାସ ନେବାରେ ଅସୁବିଧା ଅନୁଭବ କରିବା ଯୋଗୁଁ ନରସିଂହଙ୍କୁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଥିବା କୋଭିଡ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ନରସିଂହ ଜଣେ ମଧୁମେହ ରୋଗୀ ହୋଇଥିବା ବେଳେ ନିକଟ ଅତୀତରେ ତାଙ୍କ ହାର୍ଟ ସର୍ଜରୀ ମଧ୍ୟ କରାଯାଇଥିଲା । କିନ୍ତୁ ଏପରି ଏକ ସ୍ଥିତିରେ ମଧ୍ୟ ସେ ଦୃଢମନା ହୋଇ ତିଳେ ହେଲେ ଭୟ ନକରି ହସ୍ପିଟାଲରେ ନିଜକୁ ଉତ୍ସାହିତ କରି ରଖିବା ସହ ୱାର୍ଡରେ ଥିବା ଅନ୍ୟାନ୍ୟ କୋଭିଡ ରୋଗୀଙ୍କୁ ମଧ୍ୟ ପ୍ରେରଣା ଯୋଗାଉଥିଲେ । ଅପରପକ୍ଷରେ ଘରେ ମଧ୍ୟ ତାଙ୍କ ପତ୍ନୀ ରାଧାରାଣୀ ପରିବାରର ସମସ୍ତଙ୍କ ଯତ୍ନ ନେବା ସହ କୋରୋନା ବିରୁଦ୍ଧରେ ଭୟମୁକ୍ତ ସଂଗ୍ରାମ ଜାରି ରଖିଥିଲେ ।
ପରିଶେଷରେ ପରିବାରର ସମସ୍ତେ ସୁସ୍ଥ ହୋଇଉଠିବା ସହ ନରସିଂହ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଆସିଥିଲେ । କୋରାପୁଟ ଗାନ୍ଧୀନଗରରେ ରହୁଥିବା ଏହି ପରିବାର ବର୍ତ୍ତମାନ କୋଭିଡ ସଂକ୍ରମିତ ବ୍ୟକ୍ତିଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ।