କୋରାପୁଟରେ ନୂତନ ଶ୍ରୀୟା ପ୍ରକଳ୍ପର ଶୁଭାରମ୍ଭ

କୋରାପୁଟ (ସଖପ୍ର): ଦକ୍ଷତା ବୃଦ୍ଧି ତାଲିମ ସଭାଗୃହଠାରେ ନୂତନ ଶ୍ରୀୟା ପ୍ରକଳ୍ପର ଶୁଭାରମ୍ଭ ହୋଇଯାଇଛି। ଅନାଥ ଭିନ୍ନକ୍ଷମ କନ୍ୟା ଶ୍ରୀୟାର ସମସ୍ୟାକୁ ଉପଲବ୍ଧ କରି କୋରାପୁଟ ଜିଲ୍ଲାର ଅଗ୍ରଣୀ ସ୍ୱେଛାସେବୀ ଅନୁଷ୍ଠାନ ଏକତାକୁ ପ୍ରେରଣା ମିଳିବା ପରେ ପିଲାମାନଙ୍କର ସର୍ବାଙ୍ଗୀନ ଉନ୍ନତି କରିବା ନିମନ୍ତେ ପ୍ରକଳ୍ପ ଆରମ୍ଭ କରିଛନ୍ତି। କୋରାପୁଟ ଜିଲ୍ଲା ପିଲାମାନଙ୍କର ସ୍ୱର ଶ୍ରୀୟା ପ୍ରକଳ୍ପ ଦଶମନ୍ତପୁର ଓ ବୋରିଗୁମ୍ମା ବ୍ଲକର ୩୨ଟି ଗ୍ରାମରେ ୩୮୨୦ ପିଲାଙ୍କୁ ନେଇ କାର୍ଯ୍ୟ କରାଯିବ ବୋଲି ଏକତାର ସଂପାଦକ ଜଗନ୍ନାଥ ମିଶ୍ର ସୂଚନା ଦେଇଛନ୍ତି। ଶିଶୁ ବିବାହ, ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ଓ ସ୍କୁଲ ଡ୍ରପ ଆଉଟକୁ ଗୁରୁତ୍ୱ ଦେଇ ପିଲାମାନଙ୍କର ଭାଗୀଦାରରେ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି ଶୁଭାରମ୍ଭରେ ଜଗନ୍ନାଥ ମିଶ୍ର ପ୍ରକଳ୍ପର ଉଦ୍ଦେଶ୍ୟ ସଂପର୍କରେ ଆଲୋକପାତ କରିଥିବା ବେଳେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଦ୍ୟୂଲତା ପାତ୍ର, ଶିଶୁ କଲ୍ୟାଣ ସମିତିର ଅଧ୍ୟକ୍ଷା ଡ.ଗାୟତ୍ରୀ ଦେବୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାଜର୍ଶି ଦାସ ଓ ସହାୟକ ଶ୍ରମ ଅଧିକାରୀ ଚୈତନ୍ୟ ପ୍ରସାଦ ମାଝି ଅତିଥିଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଇସିଡିଏସ ଡିପିଏମ ମମତା ମହାନ୍ତି, ବିଏସଏସଓ ଚନ୍ଦନ କୁମାର ବାରିକ ଉପସ୍ଥିତ ଥିବା ବେଳେ ପ୍ରକଳ୍ପ କର୍ମୀ ମାମିନା ବେହେରା, ଶଙ୍କର ରାଉତ,ପୁଷ୍ପିତା ହିଆଲ ଓ ଡମ୍ବୁରଧର ମସ୍ତି ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।
କୋରାପୁଟ ପ୍ରତିନିଧି ପବିତ୍ର ମୋହନ ସେଠୀ