କୋରାପୁଟଜିଲ୍ଲା ଚିକିତ୍ସାଳୟରେ ICU ନାହିଁ,ଅଲଟ୍ରାସାଉଣ୍ଡ ସେବା ଦିନକୁ ମାତ୍ର ଦୁଇଘଣ୍ଟା ଓ ଭିତ୍ତିଭୂମି ନାହିଁ

କୋରାପୁଟଜିଲ୍ଲା: ଜୟପୁରରେ ଜିଲ୍ଲା ଚିକିତ୍ସାଳୟ ହେବାପରେ ଜୟପୁର ଜନସାଧାରଣ ବହୁତ ଖୁସି ହେଉଥିଲେ। ଜନସାଧାରଣ ଆଶା କରିଥିଲେ ଉନ୍ନତମାନର ସେବା ଆମେ ପାଇବୁ। ଉପଖଣ୍ଡ ଚିକିତ୍ସାଳୟରେ ଯେପରି ସେବା ମିଳୁଥିଲା ତାହାଠୁ ଆହୁରି ଉନ୍ନତ ସେବା ପାଇଁ ଜୟପୁର ବାସୀ ଆଶାବାନ୍ଧି ବସିଥିବା ବେଳେ ବର୍ତ୍ତମାନ ସେମାନଙ୍କ ଆଶା ମଉଳିବାରେ ଲାଗିଛି। ଉପଖଣ୍ଡ ଚିକିତ୍ସାଳୟରେ ମିଳୁଥିବା ସେବାଠାରୁ ଜିଲ୍ଲା ଚିକିତ୍ସାଳୟର ସେବା ଅତି ନିମ୍ନମାନର ବୋଲି ରୋଗୀମାନେ ପ୍ରକାଶ କରୁଛନ୍ତି।ଜିଲ୍ଲା ଚିକିତ୍ସାଳୟରେ ICU ସେବା ମିଳୁ ନଥିବା ବେଳେ ଅଲଟ୍ରାସାଉଣ୍ଡ ମେସିନ ସେବା ଦିନକୁ ମାତ୍ର ଦୁଇ ଘଣ୍ଟା ମିଳେ। ଶିଶୁ ଓ ପ୍ରସୂତୀ ବିଭାଗ ଡାକ୍ତର ୨୪ଘଣ୍ଟା ରହିବା କଥା, ମାତ୍ର ରୋଗୀମାନେ ସେହି ସେବାରୁ ବଞ୍ଚିତ ହେଉଛନ୍ତି। ୩୦୦ରୁ ଅଧିକ ବେଡ ରହିବା କଥା ପାଖାପାଖି ୧୦୦ ବେଡ ଅଛି। ଅଧିକ ଆସୁଥିବା ରୋଗୀ ଚଟାଣରେ ଶୋଇ ଚିକିତ୍ସିତ ହେଉଛନ୍ତି। ଏହି ଜିଲ୍ଲା ଚିକିତ୍ସାଳୟକୁ ପ୍ରତିଦିନ ୫୦୦ରୁ ଅଧିକ ରୋଗୀ ଆସୁଥିବା ବେଳେ ଚିକିତ୍ସାଳୟରେ ଡାକ୍ତର ଓ ଟେକ୍ନିକାଲ ଷ୍ଟାଫ କମଥିବାରୁ ରୋଗୀମାନଙ୍କୁ ସେବାରୁ ବଞ୍ଚିତ କରାଯାଉଛି। ଫଳରେ ରୋଗୀମାନେ ସରକାରଙ୍କର 5ଟି ଯୋଜନା ଫଳପ୍ରଦ ହେବନାହିଁ ବୋଲି କହିବା ଆରମ୍ଭ କଲେଣି। ଚିକିତ୍ସାଳୟର ଶୌଚାଳୟ ଠିକ୍ ଭାବରେ ପରିଷ୍କାର ପରିଚ୍ଛନ୍ନ କରାଯାଉନାହିଁ। ଫଳରେ ରୋଗୀମାନେ ବହୁତ ହଇରାଣ ହରକତ ହେବାସହ ନିକଟସ୍ଥ ପଡିଆକୁ ଶୌଚପାଇଁ ଯାଉଥିବା ଜାଣିବାକୁ ମିଳିଛି କିନ୍ତୁ ପାଇଖାନା, ନାଳନର୍ଦ୍ଦମା ପାଇଁ ମାସିକ ମୋଟା ଅଙ୍କ ବିଲ ହୋଇ ସଂପୃକ୍ତ ଠିକାସଂସ୍ଥାକୁ ପୈଠ ହେଉଛି। ସରକାର ନିରାମୟ ଯୋଜନାରେ ରୋଗୀଙ୍କୁ ସବୁ ପ୍ରକାର ଔଷଧ ମାଗଣାରେ ଦେଉଥିବା ବେଳେ ଏହି ଜିଲ୍ଲା ଚିକିତ୍ସାଳୟରେ ୫୦ପ୍ରତିଶତ ଔଷଧ ଉପଲବ୍ଧ ରହୁ ନଥିବା ଜଣାପଡିଛି। ଡାକ୍ତର ଯେଉଁ ପ୍ରେସକ୍ରିପସନ୍ ଲେଖନ୍ତି ସେଥିରୁ ଅତି କମ୍ ଦାମ ଥିବା ଔଷଧକୁ ରୋଗୀଙ୍କୁ ଦେଇ ଦାମୀ ଔଷଧକୁ ନଥିବା ଦର୍ଶାଇ ରୋଗୀଙ୍କୁ ବାହାର ମେଡିକାଲ ଷ୍ଟୋରରୁ କିଣିବାକୁ ପରାମର୍ଶ ଦିଆଯାଉଛି। ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରୁ ଦାବୀ ହେଉଛି।