କୋଭିଡ-୧୯ ନିୟମ ଅନୁଯାୟୀ ଖୋଲିବ ଧର୍ମାନୁଷ୍ଠାନ
ରାୟଗଡା ୩/୦୮(ସଖପ୍ର): କୋଭିଡ-୧୯ ମହାମାରୀର ଦ୍ୱିତୀୟ ଲହରି ଯୋଗୁଁ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଗତ ବର୍ଷ ମାର୍ଚ୍ଚ ମାସରୁ ଜିଲ୍ଲାର ସମସ୍ତ ଧର୍ମାନୁଷ୍ଠାନ ଯଥା- ମନ୍ଦିର, ମସଜିଦ୍, ଗୀର୍ଜା ଏବଂ ଗୁରୁଦ୍ୱାରା ସବୁ ଭକ୍ତମାନଙ୍କ ନିମନ୍ତେ ବନ୍ଦ କରାଯାଇଥିଲା । କେବଳ ପୂଜକ ମାନଙ୍କ ମଧ୍ୟରେ ବିଧି ମୁତାବକ ସେବା କାର୍ଯ୍ୟ ସମ୍ପାଦନ କରାଯାଉଥିଲା । ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିବା ଯୋଗୁଁ କୋଭିଡ-୧୯ ନିୟମ ପାଳନ କରି ଧର୍ମାନୁଷ୍ଠାନ ଗୁଡିକ ଖୋଲା ଯିବ ବୋଲି ସରକାରୀ ନିର୍ଦ୍ଦେଶ ଯୋଗୁଁ ଜିଲ୍ଲା ପ୍ରଶାସନ ଜିଲ୍ଲାରେ ବନ୍ଦ ରହିଥିବା ଧର୍ମାନୁଷ୍ଠାନ ଗୁଡିକ ଖୋଲିବା ନିମନ୍ତେ ତତ୍ପରତା ପ୍ରକାଶ କରିଛନ୍ତି । ଏଥି ନିମନ୍ତେ ରାୟଗଡ଼ା ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ତାଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଭିନ୍ନ ଧର୍ମଗୁରୁ ମାନଙ୍କ ସହିତ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ୍ ଓ ଶିଖ୍ ଧର୍ମର ଧର୍ମଗୁରୁ ଓ କମିଟିର ସଦସ୍ୟ ମାନେ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଉପ-ଜିଲ୍ଲାପାଳ ଉପସ୍ଥିତ ସମସ୍ତ ଧର୍ମଗୁରୁ ମାନଙ୍କୁ କହିଥିଲେ ଯେ, ଆସନ୍ତା ଦୁଇ ତିନି ଦିନ ଭିତରେ ଧର୍ମାନୁଷ୍ଠାନ ଗୁଡିକ ଖୋଲାଯିବା ପାଇଁ ବିଚାର କରାଯାଉଛି । ଏହା କୋଭିଡ-୧୯ ନିୟମ ଅନୁଯାୟୀ ପର୍ଯ୍ୟାୟ କ୍ରମେ ଭକ୍ତ ମାନଙ୍କୁ ସୁଯୋଗ ଦିଆଯିବ, ଧର୍ମାନୁଷ୍ଠାନ ପ୍ରବେଶ ପୂର୍ବରୁ ସାନିଟାଇଜର, ମାସ୍କ ବ୍ୟବହାର ଓ ସାମାଜିକ ଦୂରତା ବଜାୟ ରଖିବା ଉପରେ ଗୁରୁତ୍ୱ ଦିଆଯିବ । ସେହିପରି ମାଁ ମଝିଘରିଆଣୀ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଦୈନିକ ଭିଡ ହେଉଥିବା ଦୃଷ୍ଟିରେ ରଖି ମନ୍ଦିର ବାହାରେ ନଡିଆ ଭୋଗ କରାଯିବ ଏବଂ ତାବିଜ ମଧ୍ୟ ମନ୍ଦିର ବାହାରେ ବିକ୍ରୀ କରାଯିବ। ଏହାକୁ ସଠିକ କାର୍ଯ୍ୟକାରୀ ପାଇଁ ମନ୍ଦିର ପରିଚାଳନା କମିଟି ଏବଂ ଦେବତ୍ତୋର ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଗୀର୍ଜା ମାନଙ୍କରେ ପ୍ରାର୍ଥନା ଦୁଇଟି ପର୍ଯ୍ୟାୟରେ କରିବା ପାଇଁ ସ୍ଥିର କରାଯାଇଛି, ମସଜିଦରେ ମଧ୍ୟ କୋଭିଡ-୧୯ ନିୟମ ପାଳନ କରି ସିମିତ ବ୍ୟକ୍ତି ମାନଙ୍କୁ ନେଇ ନମାଜ ପାଠ କରିବା ପାଇଁ କୁହାଯାଇଛି । ଗୁରୁଦ୍ୱାରରେ ମଧ୍ୟ ସିମିତ ଶ୍ରଦ୍ଧାଳୁ ମାନଙ୍କୁ ନେଇ ପ୍ରାର୍ଥନା କରିବା ନିମନ୍ତେ କମିଟିର ସଦସ୍ୟ ମାନଙ୍କୁ ଅନୁରୋଧ କରିଥିଲେ । ପ୍ରଶାସନ ନିୟମ ଅନୁଯାୟୀ ଧର୍ମାନୁଷ୍ଠାନ ଖୋଲିବାକୁ ସବୁବେଳେ ଧର୍ମର ଧର୍ମଗୁରୁମାନେ ସହମତି ପ୍ରକାଶ କରିଛନ୍ତି। ଏହି ବୈଠକରେ ଅତିରିକ୍ତ ତହସିଲଦାର ଶ୍ରୀ ସୁନିଲ କୁମାର ଖରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ପୂର୍ବତନ କାଉନସିଲର ଶ୍ରୀ ସୁନିଲ କୁମାର ପଠା, ମଝିଘରିଆଣୀ ଟ୍ରଷ୍ଟ୍ ଅଧ୍ୟକ୍ଷ ରାଇସିଂ ବିଡିକା, ଖ୍ରୀଷ୍ଟ ଧର୍ମର ଜନ୍ ଭିକ୍ଟର, କାଥେଲିକ ଚର୍ଚ୍ଚର ଶାନ୍ତି ଚନ୍ଦନ ପାଣି, ଚନ୍ଦ୍ର ଶେଖର ପଠା, ପ୍ରଶାନ୍ତ କୁମାର ତ୍ରିପାଠୀ, ମଞ୍ଜୁର ଖାନ୍, ମାଲିକ ଲକ୍ଷ୍ମଣ, ଏମ୍.ଡି ଜାହାଙ୍ଗିର, ଡ. ପ୍ରେମ କୁମାର, ଏସ୍.କେ. ସର୍ କୁମାର, ଭୁପିନ୍ଦ୍ର ପ୍ରସାଦ ସିଙ୍ଗ, ଗୁରିନ୍ଦର ସିଂ ପ୍ରମୁଖ ଯୋଗଦାନ କରିଥିଲେ ।
ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ