କୋଭିଡ ପରିଚାଳନାକୁ ନେଇ ପ୍ରଶାସନର ବୈଠକ,ଆଣ୍ଟିଜେନ ଟେଷ୍ଟ ଓ ହୋମ ଆଇସୋଲେସନକୁ ପ୍ରଧାନ୍ୟ
ରାୟଗଡା/୧୨/୮(ସଖପ୍ର): ରାଜ୍ୟର କିଛି ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଅନ୍ୟ କିଛି ଜିଲ୍ଲାଗୁଡିକ କିଛି ମାତ୍ରାରେ ନିୟନ୍ତ୍ରଣକୁ ଆସିଛି । ତେବେ ସମଗ୍ର ରାଜ୍ୟରେ ରାୟଗଡା ଜିଲ୍ଲା ଶେଷ ଜିଲ୍ଲା ଭାବେ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ବର୍ତମାନ ପଜିଟିଭ୍ ସଂଖ୍ୟା ବୃଦ୍ଧିରେ ରାଜ୍ୟର ଷଷ୍ଠ ସ୍ଥାନରେ ଜିଲ୍ଳା ରହିଥିବା ନେଇ ଜିଲ୍ଲା ପ୍ରଶାସନ ସୂଚନା ଦେଇଛି । ଜିଲ୍ଲାରେ ଟ୍ରୁନାଟ/ଆଂଟିଜେନ,ଆରଟିପିସିଆର ଟେଷ୍ଟଗୁଡିକ ବିପୁଳ ମାତ୍ରାରେ କରାଯାଉଥିବାରୁ ପଜିଟିଭ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ଜିଲ୍ଲାରେ ଆଂଟିଜେନ ଟେଷ୍ଟ ବୃଦ୍ଧି କରାଯିବ ଓ ହୋମ ଆଇସୋଲେସନକୁ ପ୍ରଧାନ୍ୟ ଦେବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା କୋଭିଡ ପରିଚାଳନାକୁ ନେଇ ସ୍ଥାନୀୟ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସଦଭାବନା କକ୍ଷରେ ବୁଧବାର ଅପରାହ୍ନରେ ବଣିକ ସଂଘ, ସାମ୍ବାଦିକ ସଂଘ,ଏନଜିଓ ସହ ଅନ୍ୟାନ୍ୟ ସଂଘକୁ ନେଇ ଅନୁଷ୍ଠିତ ଏକ ଆଲୋଚନା ବୈଠକରେ ପ୍ରକାଶ କରିଛନ୍ତି । ଆଂଟିଜେନ ଟେଷ୍ଟ କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବା ସହ ସେମାନଙ୍କ ସହଯୋଗ ଆବଶ୍ୟକ କରିବା ଏବଂ ହୋମ ଆଇସୋଲେସନ ରୋଗୀଙ୍କୁ ଘୃଣା ନ କରି ଘରେ ରହିବା ପାଇଁ ସଚେତନ କରିବା ବୋଲି ଶ୍ରୀ ବେହେରା କହିଥିଲେ । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଡଃ.ଶର୍ବଣା ବିବେକ ଏମ., ଅତିରିକ୍ତ ଜିଲ୍ଲାପାଳ ଶରତଚନ୍ଦ୍ର ପଣ୍ଡା,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ତଥା ଜିଲ୍ଲା କୋଭିଡ୍ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଲା ନୋଡାଲ ଅଧିକାରୀ ଅମ୍ରିତ ଋତୁରାଜ, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ, ଡିପିଏମ ରାଜେଶ୍ୱର ରାଓ ପଟ୍ଟନାୟକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଜିଲ୍ଲା ନୋଡାଲ ଅଧିକାରୀ ଜିଲ୍ଲାରେ ବୃଦ୍ଧି ପାଉଥିବା କରୋନା ପଜିଟିଭ୍ ସଂଖ୍ୟା ଓ ଏହାର ନିୟନ୍ତ୍ରଣ ଦିଗରେ ନିଆଯାଇଥିବା ଆବଶ୍ୟକ ପଦକ୍ଷେପଗୁଡିକ ଉପରେ ପାୱାର ପଂଏଟ ମାଧ୍ୟମରେ ଆଲୋକପାତ କରାଇଥିଲେ । ଜିଲ୍ଲାରେ ଗତ ଜୁଲାଇ ୧୪ ତାରିଖ ୧୬୭ଟି ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୨୦ତାରିଖ ଏକ ସପ୍ତାହ ମଧ୍ୟରେ ୭୫ଟି କେସ ବୃଦ୍ଧି ପାଇ ଏହି ସଂଖ୍ୟା ୨୪୨ରେ ପଂହଚିଥିଲା । ସେହିପରି ୨୦ ତାରିଖରେ ୨୪୨ଟି ସଂଖ୍ୟା ରହିଥିବା ବେଳେ ୨୭ତାରିଖରେ ଦ୍ୱିତୀୟ ସପ୍ତାହ ମଧ୍ୟରେ ୪୦୪ଟି ପଜିଟିଭ କେସ ବୃଦ୍ଧି ପାଇ ୬୪୬ରେ ସଂଖ୍ୟା ପଂହଚିଥିଲା । ତେବେ ପୁଣି ୨୭ତାରିଖରୁ ଅଗଷ୍ଠ ୪ତାରିଖ ତୃତୀୟ ସପ୍ତାହ ମଧ୍ୟରେ ୫୧୦ଟି ପଜିଟିଭ ଚିହ୍ନଟ ହୋଇ ୧୧୫୬ରେ ଏହି ସଂଖ୍ୟା ପଂହଚିଥିବା ବେଳେ ପୁଣି ୪ତାରିଖରୁ ୧୨ତାରିଖ ମଧ୍ୟରେ ନୂଆ ୫୨୩ଟି ପଜିଟିଭ ଚିହ୍ନଟ ହୋଇ ୧୬୭୯ରେ ପଂହଚିଛି । ତେବେ ଜିଲ୍ଲାରେ ୩୪ ପ୍ରତିଶତ ହାରରେ ୫୬୬ଜଣ ସକ୍ରିୟ ରୋଗୀ ଚିକିତ୍ସିତ ହେଉଥିବା ବେଳେ ୬୬ପ୍ରତିଶତ ହାରରେ ୧୧୦୧ଜଣ ସର୍ବାଧିକ ରୋଗୀ ସୁସ୍ଥ ହୋଇଛନ୍ତି ଏବଂ ୧୨ଜଣ ମୃତ୍ୟୁ ବରଣ କରିଛନ୍ତି । ଯେହେତୁ ଜିଲ୍ଲାରେ ସୁସ୍ଥ ରୋଗୀଙ୍କ ସଂଖ୍ୟା ୬୬ପ୍ରତିଶତ ରହୁଛି କୋଭିଡ ପରିଚାଳନାରେ ଏହା ଏକ ସଫଳତା ପାଇ ପାରିଛି ଜିଲ୍ଲା ପ୍ରଶାସନ ବୋଲି ଶ୍ରୀ ଋତୁରାଜ ପ୍ରକାଶ କରିଥିଲେ । ସେହିପରି ଜିଲ୍ଲାର ବିଭିନ୍ନ ସିସିସି ଓ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ୧୨୪୩ଜଣ ଚିକିତ୍ସିତ ହେଉଥିବା ବେଳେ ହୋମ ଆଇସୋଲେସନରେ ୪୩୬ଜଣ ରହି ଚିକିତ୍ସିତ ହେଉଛନ୍ତି । ଜିଲ୍ଲାରେ ଥିବା ୧୮୨ଟି ଗ୍ରାମ ପଂଚାୟତର ନେର୍ଟୱାର୍କ ଅଂଚଳ ଥିବା ୨୭ଟି ସ୍ଥାନକୁ ପ୍ରଶାସନ ଚୟନ କରି ସେଠାରେ ୨୭ ଗୋଟି ସ୍ୱାବ ସଂଗ୍ରହ ଟିମ୍ ପସ୍ତୁତ କରିଥିବା ବେଳେ ୫ଟି ବ୍ଲକରେ ୩ଟି ଲେଖାଁଏ ଟିମ୍ ଓ ବଳକା ୬ଟି ବ୍ଲକରେ ୨ଟି ଲେଖାଁଏ ଟିମ୍ ଏହି ସ୍ୱାବ ନମୂନା ସଂଗ୍ରହ କରିବାକୁ ଯୋଜନା କରାଯାଇଥିବା ନେଇ ଜିଲ୍ଲା ନୋଡାଲ ଅଧିକାରୀ ଶ୍ରୀ ଋତୁରାଜ ପ୍ରକାଶ କରିଥିଲେ । ଏହି ସ୍ୱାବ ନମୂନା ସଂଗ୍ରହ ଟିମରେ ୪ଜଣ ଲେଖାଁଏ କର୍ମଚାରୀ ରହିବେ ଏବଂ ବର୍ତମାନ ୭୮ଜଣଙ୍କୁ ସ୍ୱାବ ନମୂନା ଟେଷ୍ଟିଂ ଦିଗରେ ତାଲିମ ପ୍ରଦାନ କରାଯାଇଥିବା ବେଳେ ଆବଶ୍ୟକ ପଡିଲେ ଆହୁରି ଅନେକଙ୍କୁ ଏହି ତାଲିମ ପ୍ରଦାନ କରାଯାଇ ଟେଷ୍ଟିଂ ବୃଦ୍ଧି କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି ଡିପିଏମ ଶ୍ରୀ ପଟ୍ଟନାୟକ କହିଥିଲେ । ସେହିପରି ଗତକାଲି ୧୩୭୫ଟି ଟେଷ୍ଟିଂ କିଟ୍ ପଂହଚିଥିବା ବେଳେ ଆହୁରି ୨୦୦୦ଟି କିଟ୍ ଜିଲ୍ଲାକୁ ପଠାଯାଇଛି ବୋଲି ସେ ସୂଚନା ଦେଇଥିଲେ । ଏଥିସହ ଜିଲ୍ଲାରେ ପରିବା ବିକ୍ରେତା ସହ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକର ବିକ୍ରେତାମାନେ ସାମାଜିକ ଦୂରତା ବଜାୟ ରଖିବା ଓ ମାସ୍କ ପରିଧାନ କରିବା ଉପରେ ଗ୍ରାହକଙ୍କୁ ଅଧିକ ସଚେତନତା କରିବା ଏବଂ ହୋମ ଆଇସୋଲେସନ ନିୟମକୁ କଡାକଡି ଭାବେ ପାଳନ କରାଯିବା ନିମନ୍ତେ ବିିଭିନ୍ନ ସଂଘର ମୁଖ୍ୟମାନେ ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ନାଗାବଳୀ ଲାୟନ୍ସ କ୍ଳବ ସଦସ୍ୟ ଡଃ.ଦୁଷ୍ମନ୍ତ କୁମାର ମହାନ୍ତି, ଓକିଲ ସଂଘର ବରିଷ୍ଠ ଆଇନଜୀବୀ ବ୍ରଜସୁ୍ନ୍ଦର ନାୟକ, ବଣିକ ସଂଘର ଏଲ.ଏନ.ସାହୁ, ଆଜାଦ ହିନ୍ଦ ୟୁଥ ଆସୋସିଏସନର ସଭାପତି ବିନାୟକ କର, ଖ୍ରୀଷ୍ଟଧର୍ମ ଯାଜକ ଫାଦର ଶାନ୍ତିଚନ୍ଦନ ପାଣିଙ୍କ ସମେତ ଜିଲ୍ଲାର ବିଭିନ୍ନ ସାମ୍ବାଦିକ ସଂଘର ସଭାପତିମାନେ ଯୋଗ ଦେଇ ନିଜ ମତାମତ ଉପସ୍ଥାପନା କରିଥିଲେ । ବୈଠକ ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।
ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ