November 18, 2025

Sabubarga Khabar

All category news

କୋଭିଡ ଟୀକାକରଣ ପାଇଁ ଟାସ୍କଫୋର୍ସ ବୈଠକ ଅନୁଷ୍ଠିତ

ପୁରୀ: କୋଭିଡ-୧୯ ଟୀକାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ବୈଠକ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଜିଲ୍ଲାର ୧୦ ହଜାର ୮୦୬ ଜଣ କୋରୋନା ଯୋଦ୍ଧାଙ୍କୁ ପ୍ରଥମ ପର୍ଯ୍ୟାୟ ଟୀକା ଦିଆଯିବ । ଏଥିରେ ଡାକ୍ତର, ଫାର୍ମାସିଷ୍ଟ, ପାରାମେଡିକ୍ସ, ଆଶା,ଅଙ୍ଗନୱାଡି ଓ ସ୍ବାସ୍ଥ୍ୟକର୍ମୀ ଏବଂ ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରେ କାର୍ଯ୍ୟରତ ସମସ୍ତ କର୍ମଚାରୀ ପ୍ରମୁଖ ସାମିଲ ହେବେ । ଏହି ଟୀକାକରଣ ସପ୍ତାହ ଧରି ଜାରି ରହିବ ।ଆସନ୍ତା ୧୬ ତାରିଖରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୋଳବେଦି କୋଣ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ସମେତ ମଙ୍ଗଳପୁର, ସତ୍ୟବାଦୀ, ଚନ୍ଦନପୁର, ଗୋପ, ଡେଲାଙ୍ଗ, କଣାସ ଆଦି ୮ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି ଟୀକାକରଣ କରାଯିବ । ଏହାର ପରଦିନ ଠାରୁ ଉକ୍ତ ୮ଟି ସ୍ଥାନ ସହ ଜିଲ୍ଲାର ଅନ୍ୟ ୬୨ଟି ସ୍ବାସ୍ଥ୍ୟ କେନ୍ଦ୍ରରେ କୋଭିଡ ଟୀକା ପ୍ରଦାନ କରାଯିବ । ସକାଳ ୯ ଘଟିକାରୁ ସନ୍ଧ୍ୟା ୫ ଘଟିକା ପର୍ଯ୍ୟନ୍ତ ଏହି ଟୀକାକରଣ ଚାଲିବ । ଟୀକା ଦେବା ନିମନ୍ତେ ୨୯୭ ଜଣଙ୍କୁ ତାଲିମ ପ୍ରଦାନ କରାଯାଇଛି । ଟୀକାକରଣ ବେଳେ ଆବଶ୍ୟକ କର୍ମଚାରୀ ଓ ଆମ୍ବୁଲାନ୍ସ ମୁତୟନ କରାଯିବ । ପ୍ରତ୍ୟେକ ସ୍ବାସ୍ଥ୍ୟକେନ୍ଦ୍ରରେ ପୋଲିସ ମୁତୟନ ରହିବେ । ଏହି ଅଭିଯାନ ବେଳେ ବ୍ଲକ ସ୍ତରରେ ବିଡିଓମାନେ ତଦାରଖ କରିବେ ବୋଲି ଜିଲ୍ଲାପାଳ କହିଛନ୍ତି । ଟୀକା ନେବାପରେ ପ୍ରତ୍ୟେକଙ୍କୁ ଅଧ ଘଣ୍ଟା ପର୍ଯ୍ୟନ୍ତ ଅବଜରଭେସନରେ ରଖାଯିବ । ପୂର୍ବରୁ ଜିଲ୍ଲାପାଳ ସମର୍ଥ ବର୍ମା ପୂର୍ବାଭାସ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତିର ଯାଞ୍ଚ କରିବା ସହ ଉପଲବ୍ଧ ବ୍ୟବସ୍ଥା ସଂପର୍କରେ ସମୀକ୍ଷା କରିଛନ୍ତି । ଟୀକାକରଣ ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଦୋଳବେଦି କୋଣ ସହରାଞ୍ଚାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଗୋପ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡ୍ରାଏରନ କରାଯାଇଥିଲା । ଟୀକା ପ୍ରଦାନର ୨୮ ଦିନ ପରେ ଦ୍ବିତୀୟ ଟୀକା ଦିଆଯିବ । ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ସୁଜାତା ମିଶ୍ର, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ବିନୟ କୁମାର ଦାଶ, ଡିପିସି ଶ୍ରୀ ସୌନ୍ଦର୍ଯ୍ୟ ମଞ୍ଜରୀ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.