କୋଟପାଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଦୋମୁହାଁ ନୀତି
କୋରାପୁଟଜିଲ୍ଲା/ କୋଟପାଡ଼/କୁନ୍ଦ୍ରା : ଓଡିଶା ସରକାରଙ୍କ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ଚିଠି ନଂ-୫୯୬୬/ଏସଏମଇ ତା- ୧୬/୦୩/୨୦୨୦ ଅନୁସାରେ, ମହାମାରୀ କୋରନା ପାଇଁ ସମସ୍ତ ସରକାରୀ, ବେସରକାରୀ, ଅନୁଦାନ ପ୍ରାପ୍ତ ବିଦ୍ୟାଳୟ ମାନଙ୍କୁ ବନ୍ଦ ରଖିବା ସହ ପରୀକ୍ଷା ଗୁଡିକ ବାତିଲ କରିବାର ନିର୍ଦେଶ ଦିଆ ଯାଇଥିଲା।ଏହି ଚିଠି ମାନଙ୍କରେ ଦର୍ଶା ଯାଇଥିଲା ଯେ, ସମସ୍ତ ବିଦ୍ୟାଳୟ ବନ୍ଦ ରହିବ ଏବଂ ଶିକ୍ଷକ ମାନେ ବିଦ୍ୟାଳୟ ମାନଙ୍କୁ ଯିବେ ନାହିଁ। ହେଲେ କୌଣସି ଜରୁରୀ କାଳୀନ ପରିସ୍ଥିତି ପାଇଁ ଶିକ୍ଷକ ମାନଙ୍କୁ ଫୋନ ଯୋଗେ ଯୋଗାଯୋଗ ରଖିବାକୁ ନିର୍ଦେଶ ଦିଆ ଯାଇଥିଲା। ଏହି ଚିଠିର ନକଲ ସମସ୍ତ ଜିଲ୍ଲାପାଳ, ଜିଲ୍ଲା ଶିକ୍ଷା ଅଧିକାରୀ, ଡିପିସି ଏବଂ ବିଇଓ ମାନଙ୍କୁ ଅବଗତ ପାଇଁ ପଠାଇ ଦିଆଯାଇଥିଲା।
ଏହି ଚିଠି ପାଇଲା ପରେ କୋରାପୁଟ ଜିଲ୍ଲା ଶିକ୍ଷା ଅଧିକାରୀ, ଚିଠି ନଂ-୧୭୭୬, ତା-୧୪/୦୩/୨୦୨୦ ଏବଂ ଚିଠି ନଂ-୧୭୮୭,୧୭୮୮,୧୭୮୯,ତା- ୧୬/୦୩/୨୦୨୦ ରେ ସମସ୍ତ ବିଇଓ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲାର ସମସ୍ତ ସରକାରୀ ଏବଂ ବେସରକାରୀ ବିଦ୍ୟାଳୟ ମାନଙ୍କୁ ସୂଚିତ କରିଥିଲେ। ହେଲେ ଏତେ ସବୁ ଚିଠି ଦିଆ ନିଆରେ କୌଣସି ଜାଗାରେ ଶିକ୍ଷକ ମାନେ ଉପସ୍ଥିତ ରହି ଏଟେନେନ୍ସ ରେ ଦସ୍ତଖତ କରିବେ ବୋଲି ଉଲ୍ଲେଖ କରିଥିବା ନଜର ହେଉ ନାହିଁ।
ହେଲେ କୋଟପାଡ଼ ବିଇଓ, ଶ୍ରୀ ବିଚିତ୍ରାନନ୍ଦ ସେଠି ନିଜପଟୁ ଏକ ନିୟମ ବାହାର କଲେ। ଚିଠି ନଂ-୮୦୦,ତା-୧୧/୦୬/୨୦୨୦ ଏବଂ ଚିଠି ନଂ-୮୧୮, ତା-୧୬/୦୬/୨୦୨୦ ରେ ଦୁଇଟି ଚିଠି ଦେଇ କେଉଁ କେଉଁ ଶିକ୍ଷକ ହେଡକ୍ୱାର୍ଟରରେ ନାହାନ୍ତି ତାହାର ବିବରଣୀ ସିଆରସିସି ମାନଙ୍କ ଜରିଆରେ ଦେବା ପାଇଁ ଉଲ୍ଲେଖ କରିଥିଲେ।
ପାଠକ ମାନଙ୍କ ଅବଗତ ପାଇଁ ଆମେ ଜଣାଇ ଦେବାକୁ ଚାହୁଁ ଯେ, କିଛି ଶିକ୍ଷକ ମାନଙ୍କ କହିବା ଅନୁଯାୟୀ ସେମାନେ ଏହି ଚିଠି ପାଇବା ପୂର୍ବରୁ ଅର୍ଥାତ ତା-୦୧/୦୬/୨୦୨୦ ରେ ତାଙ୍କ ହେଡକ୍ୱାର୍ଟରରେ ଉପସ୍ଥିତ ଥିବା ସୂଚନା କୋଟପାଡ଼ ବିଇଓଙ୍କୁ ଦେଇ ସାରିଛନ୍ତି।ଏହା ସତ୍ତ୍ୱେ ୧୫ ଦିନ ପରେ ପୁଣି ସିଆରସିସି ମାନଙ୍କ ଜରିଆରେ ଶିକ୍ଷକ ମାନଙ୍କ ହେଡକ୍ୱାର୍ଟରରେ ଉପସ୍ଥିତ ରହିଥିବା ବିବରଣୀ ମାଗିବା ପଛରେ ଉଦେଶ୍ୟ କଣ ? ପୁଣି ଶିକ୍ଷକ ମାନଙ୍କ କହିବା ଅନୁସାରେ, ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି।ତେବେ ଦେଇଥିବା ଫୋର୍ମାଟରେ ଏସଏମସି ଚେରପର୍ଶନଙ୍କ ଦସ୍ତଖତ ଜରୁରୀ। ଏଇଠି ପ୍ରଶ୍ନ ଉଠୁଛି, ଯଦି ବିଦ୍ୟାଳୟ ଗୁଡିକ ବନ୍ଦ ରହିଛି, ତେବେ ଏସ ଏମ ସି ଚେରପର୍ଶନ ,ଶିକ୍ଷକ ମାନେ ହେଡକ୍ୱାର୍ଟରରେ ଅଛନ୍ତି କି ନାହିଁ କେମିତି ଜାଣିବେ।
ଅନ୍ୟ ପକ୍ଷେ ବିଇଓ ୧୫ ଦିନକୁ ଥରେ ତଥ୍ୟ ମାଗୁଥିବା ବେଳେ, ସିଆରସିସି ମାନେ ୭ ଦିନକୁ ଥରେ ମାଗୁଛନ୍ତି।ଆମ୍ଭେମାନେ କାହାର କଥା ଶୁଣିବୁ।ଏମିତି କଂନଫ୍ୟୁଜେନ କାହିଁକି ସୃଷ୍ଟି କରା ଯାଉଛି ବୋଲି ପ୍ରଶ୍ନ କରୁଛନ୍ତି ଶିକ୍ଷକଗଣ।
୧୧ ତାରିଖ ଚିଠିରେ ୧୫ ଦିନର ଆବସେଣ୍ଟ ଷ୍ଟେଟମେଂଟ କଥା ବିଇଓ ଉଲ୍ଲେଖ କରିଥିବା ବେଳେ କିପରି ୧୬ ତାରିଖରେ ପୁଣି ଚିଠି ଲେଖିଛନ୍ତି ଏବଂ ପୂର୍ବ ଚିଠିର ଉତ୍ତର ନ ମିଳିବା ପାଇଁ ଉଦବେଗ ପ୍ରକାଶ କରିଛନ୍ତି ? ୧୧ ତାରିଖରୁ ୧୬ ତାରିଖ ମଧ୍ୟରେ ୧୫ ଦିନ ହୋଇଗଲା କି, ବୋଲି କିଛି ଶିକ୍ଷକ ପ୍ରଶ୍ନ କରିଛନ୍ତି। ଆମକୁ କାହିଁକି ମାନସିକ ଯନ୍ତ୍ରଣା ଦିଆ ଯାଉଛି ତାହା ଉପରେ ଉଚ୍ଚ କତ୍ତୃପକ୍ଷ ଦୃଷ୍ଟି ଦେବା ଆବଶ୍ୟକ। ତାହା ସହ କୋଟପାଡ଼ ଗୋଷ୍ଠୀଶିକ୍ଷା ଅଧିକାରୀ ସଚେତନ ହୋଇ ନିଜ ନିର୍ଦେଶ ଠିକ ଭାବେ ଶିକ୍ଷା ଏବଂ ଶିକ୍ଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଦେବା ଉଚିତ ବୋଲି ମତ ପ୍ରକାଶ ପାଇଛି।
ଆପଣ ମାନଙ୍କୁ ସୂଚାଇ ଦେବାକୁ ଚାହୁଁ ଯେ, କୋଟପାଡ଼ ବିଇଓ ଶ୍ରୀ ବିଚିତ୍ରାନନ୍ଦ ସେଠି, କୁନ୍ଦ୍ରା ବ୍ଲକ ଗୋଷ୍ଠୀଶିକ୍ଷା ଅଧିକାରୀ ଦାଇତ୍ୱରେ ମଧ୍ୟ ଅଛନ୍ତି। ଶିକ୍ଷକ ମାନଙ୍କ ଉଚ୍ଚପଦସ୍ତ ଅଧିକାରୀ ହୋଇଥିବା କାରଣରୁ, ଶିକ୍ଷକ ମାନଙ୍କୁ ହେଡକ୍ୱାର୍ଟରରେ ରହିବା ବିବରଣୀ ମାଗିବାର ଯଥାର୍ଥ ଅଛି। ଏଥି ପାଇଁ କେହି ବିରୋଧ କରିବାର ନାହିଁ।ହେଲେ ଏହି ସବୁ ନିୟମ ଖାଲି କୋଟପାଡ଼ ବ୍ଲକ ଶିକ୍ଷକ ମାନଙ୍କ ପାଇଁ କାହିଁକି ଅନିବାର୍ଯ୍ୟ। ଶ୍ରୀ.ସେଠି କୁନ୍ଦ୍ରା ବ୍ଲକର ଶିକ୍ଷକ ମାନଙ୍କ ଉକ୍ତ ବିବରଣୀ କାହିଁକି ମାଗୁ ନାହାନ୍ତି। ଜଣେ ବ୍ୟକ୍ତି ଦୁଇଟି ବ୍ଲକ ଦାଇତ୍ୱରେ ଅଛନ୍ତି। ହେଲେ ଦୁଇଟି ବ୍ଲକ ପାଇଁ ଭିନ୍ନ ଭିନ୍ନ ନିୟମ କାହିଁକି ? ଏଥିରେ ବାଧ୍ୟରେ ଆର୍ଥିକ କାରବାର ହୋଇଥିବ ବୋଲି କୋଟପାଡ଼ ବ୍ଲକର ଶିକ୍ଷକ ମାନେ ମତ ପ୍ରକାଶ କରିଛନ୍ତି।
ଶ୍ରୀ ବିଚିତ୍ରାନନ୍ଦ ସେଠିଙ୍କ ଏହି ଦୁଇ ମୁହାଁ ନୀତି ପାଇଁ, ସବୁ ସମୟରେ ସେ ଶିକ୍ଷକ ମାନଙ୍କ ଆକ୍ରୋଶର ଶିକାର ହେଉଛନ୍ତି, ହେଲେ ସୁଧୀରିବାର ନାଁ ଧରୁ ନାହାନ୍ତି। କିଛି ଦିନ ପୂର୍ବରୁ ସିଆରସିସି ନିଯୁକ୍ତିରେ ହୋଇଥିବା ଦୁର୍ନୀତିର ଛାୟା ତାଙ୍କ ଉପରୁ ନ ହଟୁଣୁ ଆଉ ଏକ ବିବାଦ ତାଙ୍କୁ ମାଡି ବସିଲାଣି।
କୋରାପୁଟଜିଲ୍ଲା ପ୍ରତିନିଧି ଭବାନୀ ପ୍ରସାଦ ପାଢୀ