କୋଟପାଡରେ କଂଗ୍ରେସ କାର୍ଯ୍ୟାଳୟ ପାଇଁ ଦ୍ବିତୀୟ ଥର ଭିତ୍ତିପ୍ରସ୍ତର ସ୍ଥାପନ
କୋରାପୁଟଜିଲ୍ଲା/କୋଟପାଡ(ସଖପ୍ର): କୋଟପାଡ ରାଜୀବଗାନ୍ଧୀ ଚିତ୍ତବିନୋଦନ କେନ୍ଦ୍ର ପରିସରରେ କଂଗ୍ରେସ କାର୍ଯ୍ୟାଳୟ ନିର୍ମାଣ କରିବା ପାଇଁ ଜୟପୁର ବିଧାୟକ ଶ୍ରୀ ତାରାପ୍ରସାଦ ବାହୀନିପତି ଶୁକ୍ରବାର ସଂଧ୍ୟା ୬ଘଟିକା ୩୦ମିନିଟ ସମୟରେ ନଡିଆ ଭାଙ୍ଗି ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। କର୍ମୀଙ୍କ କହିବାନୁଯାୟୀ ଦୀର୍ଘ ୪୭ବର୍ଷରୁ ଉର୍ଦ୍ଧ୍ବ ଦଳର ସାଂସଦ ଏବଂ ବିଧାୟକ ମାନେ ପଦପଦବୀରେ ରହିଥିଲେ ଓ ପୂର୍ବତନ ସାଂସଦ ଶ୍ରୀ ପ୍ରଦୀପ ମାଝୀ ପାଞ୍ଚବର୍ଷ ହେବ ଉକ୍ତ ସ୍ଥାନରେ କାର୍ଯ୍ୟାଳୟ ନିର୍ମାଣ ପାଇଁ ନଗଦ ୩୦ହଜାର ଟଙ୍କା ଦେଇ ଭୂମିପୂଜା କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ମୁଠାଏ ବାଲି ମଧ୍ୟ ପଡିଲା ନାହିଁ। ଦ୍ବିତୀୟଥର ପାଇଁ ଆଜି ବିଧାୟକ ବାହିନୀପତିଙ୍କ ଦ୍ବାରା ଶୁଭ ଦିଆଯାଇଥିବାରୁ କର୍ମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି। ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଏକ ଲକ୍ଷ ଟଙ୍କା ଦେବାପାଇଁ ଘୋଷଣା କରିଥିବା ବେଳେ ଶ୍ରୀ ବାହିନୀପତି ୧୦୦ବସ୍ତା ସିମେଣ୍ଟ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଂଗ୍ରେସ ନେତା ଶ୍ରା ଗୁପ୍ତ ମଲ୍ଲିକ ,କାଲା ଦଣ୍ଡସେନା,ସନପତି ଭତରା,ପୂର୍ବତନ ବିଧାୟକ ଶ୍ରୀ ଚନ୍ଦ୍ରଶେଖର ମାଝୀ,ବ୍ଲକ ଅଧ୍ୟକ୍ଷ ବୈଦନାଥ ପୂଜାରୀ,ରାଜ୍ୟ କଂଗ୍ରେସ ସଂପାଦକ ଶ୍ରୀ ମଣି ପଟ୍ଟନାୟକ, ଏନ,ଏ,ସି ଉପାଧ୍ୟକ୍ଷ ବାପୁନ ତ୍ରିପାଠୀ,ପ୍ରକାଶ ଚନ୍ଦ୍ର ମହାନ୍ତି, ଘନଶ୍ୟାମ ବିଶୋୟୀ,ରାଜେନ୍ଦ୍ର ନାୟକ,ବୁଲୁ ହୋତା,ସଂଜୟ ବେହେରା,ନରେଶ ପଟନାୟକ, ଏ ସନ୍ତୋଷ,ତପନ ମହାପାତ୍ର, ସମେତ କର୍ମୀମାନେ ଉପସ୍ଥିତ ଥିଲେ। କେତେକ ଆଗ ଧାଡି ନେତାଙ୍କ ଗୋଷ୍ଟି କନ୍ଦଳ ପାଇଁ କୋଟପାଡ କଂଗ୍ରେସ ଗଡ ଆଜି ଭୁଷୁଡି ପଡିଥିବା କଂଗ୍ରେସ କର୍ମୀଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି।