12/15/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କେନ୍ଦୁଝରରେ ହିନ୍ଦୀ ଶିକ୍ଷକଙ୍କ ଆକ୍ରମଣରେ ଛାତ୍ର ଗୁରୁତର

କେନ୍ଦୁଝର ୨୪/୧୧ (ସଖପ୍ର): ଏବେ ବିଦ୍ୟାଳୟ ମାନଙ୍କୁ ଦଣ୍ଡ ମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି। ଆଉ ଗୁରୁମାନେ ବେତ ଧରି ପିଲାଙ୍କୁ ଆକଟ କରିପାରିବେନି। ଏହାର ପ୍ରଭାବ ନେଇ ଅନେକ ବିତର୍କ ଥିଲେ ବି ପିଲାଙ୍କୁ ଗାଈ ଗୋରୁ ପରି ପିଟିବା ପକ୍ଷରେ କେହି ନାହାନ୍ତି। ତେବେ କେନ୍ଦୁଝର ପରି ଜିଲ୍ଲାରେ ଏହାର ବ୍ୟତିକ୍ରମ ଦେଖା ଯାଇଛି। ଜଣେ ସମାଜସେବୀ ଯେ କରୋନା ପୀଡ଼ିତଙ୍କ ଲାଗି ଜୀବନକୁ ପାଣି ଛଡେଇ ସେବା କରୁଥିଲେ ତାଙ୍କରି ପୁଅକୁ ସ୍ଥାନୀୟ ରାଙ୍କି ସ୍ଥିତ ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟରେ ଅକଥନୀୟ ଅତ୍ୟାଚାର କରାଯାଇଛି। ସ୍କୁଲର ହିନ୍ଦୀ ଶିକ୍ଷକ ଅନୁରାଗ ମିଶ୍ର ଖେଳ ଛୁଟି ସମୟରେ ତା ୧୮/୧୧/୨୪ ରିଖ ଦିନ ଶ୍ରେଣୀ ଗୃହରେ ପ୍ରବେଶ କରି ତାଙ୍କ ପୁଅକୁ ଅଭଦ୍ର ଭାଷା କହି ଗୋଇଠା ପରେ ଗୋଇଠା ମାରିଛନ୍ତି। ତେଣୁ ନବମ ଶ୍ରେଣୀରେ ପଢୁଥିବା ଛାତ୍ର ଗୁରୁତର ହୋଇ ନିଜେ ଠିଆହୋଇ ଚାଲିବାକୁ ଅକ୍ଷମ ହୋଇଥିଲା। ପରେ ଅଭିଭାବକ ଯାଇ ଚିକିତ୍ସା ପାଇଁ ଛୁଆକୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ କେନ୍ଦୁଝର ଟାଉନ୍ ଥାନାରେ ପୀଡ଼ିତ ଛାତ୍ରଙ୍କ ବାପାଙ୍କ ଏତଲା ନଂ ୦୫୬୭/୨୦୨୪ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଦଫା ନଂ ୧୨୬(୨),୧୧୫(୨),୨୯୬ ଓ ଯୁଭେନାଇଲ ଜଷ୍ଟିସ( କେୟାର ଆଣ୍ଡ ପ୍ରୋଟେକ୍ସନ୍ ଅଫ ଚିଲ୍ଡରେନ୍) ଆକ୍ଟ ଦଫା ନଂ ୨୩ ଲଗାଇ ହିନ୍ଦୀ ମାଷ୍ଟର ଅନୁରାଗ ମିଶ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି। ପୋଲିସ ଅଧିକ ତଦନ୍ତ କରୁଥିବା ଜଣାଯାଇଛି ଏବଂ ସ୍କୁଲ ତରଫରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ଏହି ଘଟଣାରୁ କେନ୍ଦୁଝରରେ କିପରି ଶିଶୁ ସୁରକ୍ଷା ଚାଲିଛି ସ୍ପଷ୍ଟ ବାରି ହୋଇଛି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଇଛନ୍ତି। ସମାଜସେବୀ ଶାସକ ଦଳର ନେତା ହୋଇଥିବାରୁ କଥା ବାହାରକୁ ଆସି ପାରି ନଥିଲା। ଆଗରୁ ଏହି ଶିକ୍ଷକ ଉକ୍ତ ଛାତ୍ରକୁ ସମୟ ସମୟରେ ଧମକ ଚମକ ଦେଉଥିଲେ ବୋଲି ଅଭିଭାବକ ଅଭିଯୋଗ କରିଛନ୍ତି। ତେବେ ଏହି ସ୍କୁଲ ସମେତ ଜିଲ୍ଲାର ସମସ୍ତ ସ୍କୁଲରେ ସିସିଟିଭି କ୍ୟାମେରା ଲଗାଇବା ସହ ସ୍କୁଲ ଗୁଡିକୁ ଯାଞ୍ଚ କରିବାକୁ ଅଭିଭାବକ ମହଲରୁ ଦାବି ହେଉଛି।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *