କଳିଯୁଗର ବିଶ୍ବକର୍ମା ନିଶିକାନ୍ତ, ହାତ ପରଶରେ ନିର୍ଜୀବ ନେଉଛି ଜୀବନ୍ତ ରୂପ

କେନ୍ଦୁଝର: ଆଜିବି ବହୁ ଲୋକେ ନିଜ କୌଳିକ ବୃତ୍ତିକୁ ଆପଣେଇ ନିଜ ପରିବାରର ଭରଣ ପୋଷଣ କରୁଛନ୍ତି । କିଏ କାଠ କାମ କରୁଛି ତ କିଏ ମାଟି ହାଣ୍ଡି ତିଆରି କରୁଛି । ଆଉ କିଏ ଲୁଗା ବୁଣି ନିଜ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇ ଥାନ୍ତି । କିନ୍ତୁ ଏହି ପରିବାର ଭିତରୁ କିଛି କୌଳିକ ବୃତ୍ତିକୁ ଆଧୁନିକତାର ଛାପ ଦେଇ ବର୍ତ୍ତମାନ ଚାକଚକ୍ୟ ଦୁନିଆରେ ବଢିପାରିଛନ୍ତି । ଏଭଳି ଏକ କାରିଗର ହେଉଛନ୍ତି ନିଶିକାନ୍ତ ବେହେରା । ଆଦିବାସୀ ଅଧ୍ୟୁଷିତ କେନ୍ଦୁଝର ସଦର ବ୍ଲକ ମହାଦେଇଯୋଡ଼ା ପଞ୍ଚାୟତର ଟିକରପଡ଼ା ଗ୍ରାମରେ ନିଶିକାନ୍ତଙ୍କ ଘର । ନିଶିକାନ୍ତଙ୍କ ପିତା ପେଶାରେ ଜଣେ କୁମ୍ଭାର । କେନ୍ଦୁଝର ସହର ତଥା ରାଜଧାନୀ ଭୁବନେଶ୍ବରରେ ହେଉଥିବା ମେଳାକୁ ନିଜ ମାଟି ତିଆରି କାରୁକାର୍ଯ୍ୟ ବିକିବାକୁ ନେଇଥାନ୍ତି ନିଶିଙ୍କ ବାପା । ଆଉ ପ୍ରତିଥର ସାଙ୍ଗରେ ନିଶିକାନ୍ତ ଯାଉଥିବା ବେଳେ ଧୀରେ ଟେରାକୋଟା ଓ ବାଲୁକାକଳାର ତାଲିମ ନେବା ଆରମ୍ଭ କରିଥିଲେ ।
କେବଳ ଏତିକିରେ ସୀମିତ ନଥିଲା ନିଶିକାନ୍ତଙ୍କ କଳାର ଭଣ୍ଡାର । ସେ ରଙ୍ଗ ତୂଳୀ ଧରି ପେଣ୍ଟିଂ କରିବା ଆରମ୍ଭ କରିଥିଲେ । ଏହାସହ ଭଲ ପେଣ୍ଟିଂ ପାଇଁ ମଧ୍ୟ ତାଲିମ ନେଉଥିଲେ । ଚଳିତ ବର୍ଷ କୋଣାର୍କ ବାଲୁକା କଳା ମହୋତ୍ସବରେ ଭାଗ ନେଇ ପୁରସ୍କୃତ ମଧ୍ୟ ହେଇଛନ୍ତି ନିଶିକାନ୍ତ । ଆର୍ଥିକ ଅନାଟନ ସତ୍ତ୍ବେ ନିଶିକାନ୍ତ ପରିବାରର ସହଯୋଗରେ ବହୁ ଦୂରକୁ ଯିବାକୁ ଆଶା ରଖିଛନ୍ତି । ଏହା ସହ ଆଗାମୀ ଦିନରେ ସେ ଏକ ତାଲିମ କେନ୍ଦ୍ର ଖୋଲି ବେକାର ଆଦିବାସୀ ଯୁବକ ଯୁବତୀଙ୍କୁ ଏହି ମାଟିକାର୍ଯ୍ୟର ବିଭିନ୍ନ କଳା ଶିଖେଇବାର ମନସ୍ଥ କରିଛନ୍ତି । କିନ୍ତୁ ତାଙ୍କୁ ଏହି କାର୍ଯ୍ୟ ପାଇଁ ଅର୍ଥ ପ୍ରତିବନ୍ଧକ ସାଜିଥିବା ବେଳେ ସରକାରୀସ୍ତରରେ ପ୍ରୋତ୍ସାହନ ଆବଶ୍ୟକ ରହୁଛି । ଏତେ ବାଧାବିଘ୍ନ ସତ୍ତ୍ବେ ନିଶିକାନ୍ତଙ୍କ ସଫଳତାରେ ପରିବାର ଲୋକେ ବହୁତ ଖୁସି ଅନୁଭବ କରୁଛନ୍ତି । ସରକାରୀ ପ୍ରୋତ୍ସାହନ ନିଶିକାନ୍ତଙ୍କୁ ଆବଶ୍ୟକତା ରହିଥିବା ବେଳେ ଏନେଇ ଓରମାସର ଅଧିକାରୀଙ୍କୁ ପଚାରିବାରୁ ସେ ସମସ୍ତ ସହଯୋଗ ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ଏହା ସହ ଆଗାମୀ ଦିନରେ ନିଶିକାନ୍ତଙ୍କୁ ମାଷ୍ଟର ଟ୍ରେନର ଭାବେ ବିଭିନ୍ନ ଯୋଜନାରେ ସାମିଲ କରିବେ ବୋଲି ପ୍ରକାଶ କରିଛନ୍ତି ।