05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

କରୋନା ମୁକାବିଲା : ଉତ୍କଳ ଆଲୁମିନା ପକ୍ଷରୁ ୪୨ହଜାର ମାସ୍କ ବଣ୍ଟନ

ରାୟଗଡ଼ ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ବିଶ୍ବ ମହାମାରୀ କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶ ଲକଡାଉନ ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି । ସାମାଜିକ ଦୂରତା, ହାତ ଧୋଇବା ଓ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ବ ଦିଆଯାଇଛି । ଏହି ପରିପ୍ରେକ୍ଷିରେ କରୋନା ମୁକାବିଲା ଦିଗରେ ନିଜର ନିରନ୍ତର ଉଦ୍ୟମକୁ ଅଧିକ ବ୍ୟାପକ କରିବା ପାଇଁ ଉତ୍କଳ ଆଲୁମିନା ପକ୍ଷରୁ ମାସ୍କ ବଣ୍ଟନ କରାଯାଇଛି । ରାୟଗଡା ଜିଲ୍ଲା କାଶୀପୁର ଠାରେ ଅବସ୍ଥିତ ଆଦିତ୍ୟ ବିର୍ଲା ଗ୍ରୁପ୍‍ କମ୍ପାନୀ ଉତ୍କଳ ଆଲୁମିନା ଇଣ୍ଟରନ୍ୟାସନାଲ ଲିମିଟେଡ (ୟୁଏଆଇଏଲ), ଦୋରାଗୁଡା, ପକ୍ଷରୁ ତାହାର ସମସ୍ତ ପାରିପାର୍ଶ୍ୱିକ ଗ୍ରାମରେ ନିଜର ସମସ୍ତ ଅଂଶୀଦାର ଏବଂ ଜନସାଧାରଣଙ୍କ ମଧ୍ୟରେ ୪୨,୦୦୦ ମାସ୍କ ବଣ୍ଟନ କରାଯାଇଥିବା କମ୍ପାନୀ ସୁତ୍ରରୁ ପ୍ରକାଶ କରାଯାଇଛି । ଟିକିରି ଗ୍ରାମରେ ଥିବା କମ୍ପାନୀର ନିଜସ୍ୱ ପୋଷାକ ପ୍ରସ୍ତୁତକାରୀ କେନ୍ଦ୍ର ‘ସକ୍ଷମ’ରେ ପ୍ରାୟ ୧୨,୦୦୦ ମାସ୍କ ପ୍ରସ୍ତୁତ କରାଯାଇ ଥିବା ବେଳେ ଅବଶିଷ୍ଟ ମାସ୍କକୁ ଜନସାଧାରଣଙ୍କ ମଧ୍ୟରେ ବଣ୍ଟନ କରିବା ସକାଶେ କମ୍ପାନୀ ପକ୍ଷରୁ କ୍ରୟ କରାଯାଇଛି ।
ଏଠାରେ ସୂଚନା ଯୋଗ୍ୟଯେ, ଗ୍ରାମୀଣ ମହିଳାଙ୍କୁ ସଶକ୍ତ କରିବା ଏବଂ ୟୁଏଆଇଏଲର ପାରିପାର୍ଶ୍ୱିକ ଗ୍ରାମଗୁଡିକରେ ବାସ କରୁଥିବା ମହିଳାମାନଙ୍କୁ ଜୀବିକା ଉପାର୍ଜନର ସୁଯୋଗ ଯୋଗାଇ ଦେବାକୁ କମ୍ପାନୀ ପକ୍ଷରୁ ୨୦୧୫ରେ ପ୍ରକଳ୍ପ ‘ସକ୍ଷମ’ ସ୍ଥାପନ କରାଯାଇଥିଲା । ଟିକିରି ଗ୍ରାମରେ ସ୍ଥାପିତ ପୋଷାକ ପ୍ରସ୍ତୁତକାରୀ କେନ୍ଦ୍ର ‘ସକ୍ଷମ’ରେ ସମସ୍ତ ପ୍ରକାର ପୋଷାକ ପ୍ରସ୍ତୁତି ନିମନ୍ତେ ଅତ୍ୟାଧୁନିକ, ସ୍ୱତନ୍ତ୍ର ମେସିନ ସ୍ଥାପନ କରାଯାଇଛି । ନିକଟବର୍ତ୍ତୀ ଗ୍ରାମଗୁଡିକର ମହିଳାମାନେ ଅତ୍ୟନ୍ତ ଉଲ୍ଲେଖଯୋଗ୍ୟ ବ୍ୟକ୍ତିତ୍ୱର ଅଧିକାରିଣୀ, ଯେଉଁମାନେ ଏଭଳି ସଙ୍କଟ ସମୟରେ ସମସ୍ତ ପ୍ରତିବନ୍ଧକକୁ ଏଡାଇ ଗୋଷ୍ଠୀର ସେବା କରିବା ନିମନ୍ତେ ଆଗେଇ ଆସିଛନ୍ତି ଏବଂ ଆଜି ପର୍ଯ୍ୟନ୍ତ ଦଶହଜାର ମାସ୍କ ପ୍ରସ୍ତୁତ କରିଛନ୍ତି ଏବଂ ସେମାନେ ଦୈନିକ ହାରାହାରି ୯୦୦ରୁ ଏକହଜାର ମାସ୍କ ପ୍ରସ୍ତୁତ କରୁଛନ୍ତି ।
ଏହି ପ୍ରୟାସ ସମ୍ପର୍କରେ ‘ସକ୍ଷମ’ର ଜଣେ ମହିଳା କହିଛନ୍ତି, “ସମ୍ପ୍ରତି ଅନେକ ଲୋକ ମାସ୍କ ଆବଶ୍ୟକ କରୁଛନ୍ତି, କିନ୍ତୁ ତାହା ପର୍ଯ୍ୟାପ୍ତ ପରିମାଣରେ ଉପଲବ୍ଧ ହେଉନାହିଁ । ଏହି ଜଟିଳ ସମୟରେ ୟୁଏଆଇଏଲ ତରଫରୁ ଆମେ ଜନସାଧାରଣଙ୍କୁ ସହଯୋଗ କରିବାକୁ ଚାହିଁଲୁ । କମ୍ପାନୀର ସିଏସଆର୍‍ ଟିମ୍‍ ଆମକୁ ତାଲିମ ପ୍ରଦାନ କରିସାରିଛି ଏବଂ ବର୍ତ୍ତମାନ ମାସ୍କ ପ୍ରସ୍ତୁତି ନିମନ୍ତେ କଞ୍ଚାମାଲ ଉପଲବ୍ଧ କରାଯିବା ପରେ ଆମେ ମାସ୍କ ପ୍ରସ୍ତୁତି କାର୍ଯ୍ୟ ଜାରି ରଖିଛୁ ଏବଂ ତାହାକୁ ମହତ୍‍ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇପାରିବ ।” ଏହା ଆମମାନଙ୍କୁ ଖୁବ୍‍ ଆତ୍ମତୃପ୍ତି ଦେଉଛି ବୋଲି ସେ କହିଛନ୍ତି ।
ଏ ସମ୍ପର୍କରେ ନିଜର ମତରଖି ୟୁଏଆଇଏଲର ୟୁନିଟ ମୁଖ୍ୟ ଶ୍ରୀ ଏନ ନାଗେଶ କହିଛନ୍ତି, “ଆମ ଜିଲ୍ଲାରେ ଏବଂ ଆମର କାର୍ଯ୍ୟ ଜାରି ରହିଥିବା ସ୍ଥଳଗୁଡିକର ଚତୁପାର୍ଶ୍ୱରେ ବାସ କରୁଥିବା ଗୋଷ୍ଠୀଗୁଡିକୁ ନିରାପଦ ରଖିବା ଦିଗରେ ଆମର ନିରନ୍ତର ପ୍ରୟାସରେ ଆମେ ଯାହା ସମ୍ଭବ ତାହା କରିବୁ ଏବଂ ମୁଁ ମାସ୍କ ପ୍ରସ୍ତୁତି ନିମନ୍ତେ ‘ସକ୍ଷମ’ର ଏହି ମହିଳାମାନଙ୍କର ଏକାଗ୍ରତା ଏବଂ ଉଦ୍ୟମକୁ ବାସ୍ତବରେ ପ୍ରଶଂସା କରୁଛି ଏବଂ କ୍ଷେତ୍ର ସ୍ତରରେ ଏହି ମାସ୍କ ଆବଣ୍ଟନ ଦିଗରେ କାର୍ଯ୍ୟ କରୁଥିବା ଆମର ସମୁଦାୟ ଟିମ୍‍କୁ ମଧ୍ୟ ମୁଁ ପ୍ରଶଂସା କରୁଛି ।” ଏହି ଆହ୍ୱାନ ମୂଳକ ସମୟରେ ମାନବ ଗୋଷ୍ଠୀକୁ ସେବା ପ୍ରଦାନ ନିମନ୍ତେ ଆଗେଇ ଆସିଥିବା ଏହି ସାହସୀ ମହିଳାମାନଙ୍କୁ ଧନ୍ୟବାଦ ଜଣାଉଛି ବୋଲି ଶ୍ରୀ ନାଗେଶ କହିଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *