କରୋନା ମହାମାରୀର ମୂକାବିଲା ସମୟରେ ସହଯୋଗ ବଦଳରେ ପେଟ୍ରୋଲ ପମ୍ପ ବ୍ୟବସାୟୀ ମୌଳିକ ସେବାରୁ ବଞ୍ଚିତ କରୁଛନ୍ତି

କୋରାପୁଟଜିଲ୍ଲା:(ସଖପ୍ର) ଦେଶରେ କରୋନା ମହାମାରୀକୁ ମୁକାବିଲା କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କଠୋର ପଦକ୍ଷେପ ଗ୍ରହଣ କରିଥିବା ସମସ୍ତଙ୍କୁ ଜଣାଅଛି।ଆମ ରାଜ୍ୟର ପ୍ରତି ଜିଲ୍ଲାରେ ପୋଲିସ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ କରୋନା ମହାମାରୀର ମୁକାବିଲା ପାଇଁ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ଲକଡାଉନ ସମୟରେ ପେଟ୍ରୋଲ ପମ୍ପର ମୌଳିକ ସେବାକୁ ନେଇ ଜୟପୁର ପେଟ୍ରୋଲ ଗ୍ରାହକମାନଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସହରରେ ଲକଡାଉନ ସମୟରେ ପୋଲିସ, ପ୍ରଶାସନିକ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି ଓ ସ୍ବେଚ୍ଛାସେବୀ ମାନେ ବ୍ୟବହାର କରୁଥିବା ଦୁଇଚକିଆ, ଚାରି ଚକିଆ ଯାନରେ ପେଟ୍ରୋଲ, ଡିଜେଲ ପକାଉଛନ୍ତି । ପେଟ୍ରୋଲ ପମ୍ପ ବ୍ୟବସାୟୀ ଗ୍ରାହକମାନଙ୍କୁ କେତେକ ମୌଳିକ ସେବା ଯୋଗାଇବାକୁ ବାଧ୍ୟ ହୋଇଥିବା ବେଳେ ଜୟପୁର ସହରରେ ଏହାର ବ୍ୟତିକ୍ରମ ଦେଖାଯାଇଛି।ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁସାରେ ସହରରେ ଖାଦ୍ୟସାମଗ୍ରୀ, ମେଡିସିନ, ଗ୍ୟାସ ଓ ପେଟ୍ରୋଲ ପମ୍ପ ଖୋଲାରହୁଛି। କୌଣସି ଟାୟାର ଓ୍ବାର୍କ ଦୋକାନ ଖୋଲା ଯାଉନାହିଁ। ଫଳରେ ଦୁଇଚକିଆ ଓ ଚାରି ଚକିଆ ଯାନର ଚକାରେ ପମ୍ପ ଭରିବା ସମ୍ଭବ ହେଉନାହିଁ। ଯାହା ଫଳରେ କରୋନା ମହାମାରୀର ମୁକାବିଲା ପାଇଁ କାର୍ଯ୍ୟରତ ପୋଲିସ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ପ୍ରଶାସନିକ କର୍ମଚାରୀ ଓ ସ୍ବେଚ୍ଛାସେବୀମାନେ ଦୁଇ ଚକିଆ ଯାନରେ ପମ୍ପ ଭରିବାକୁ ସୁବିଧା ପାଇପାରୁ ନାହାନ୍ତି।ପେଟ୍ରୋଲ ପମ୍ପ ବ୍ୟବସାୟୀ ପେଟ୍ରୋଲ ଗ୍ରାହକର ଯାନରେ ମାଗଣାରେ ହାଓ୍ବା ଚେକ କରିବାକୁ ନିୟମ ଥିବାବେଳେ, କରୋନା ମହାମାରୀର ମୁକାବିଲାର ଘଡିସନ୍ଧି ମୁହୁର୍ତ୍ତରେ ସହଯୋଗର ହାତ ବଢାଇବା ବଦଳରେ ଓଲଟା ହାଓ୍ବା ଭରିବା ଭଳି ମୌଳିକ ସେବାରୁ ପେଟ୍ରୋଲ ଗ୍ରାହକମାନଙ୍କୁ ବଞ୍ଚିତ କରି ଠକୁଥିବା ସାଧାରଣରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି। ଏହି ଲକଡାଉନ ସମୟରେ ଯେଉଁ ବ୍ୟବସାୟୀ କଳାବଜାରୀ କିମ୍ବା ଜନସାଧାରଣଙ୍କୁ ଠକାମୀରେ ପକାଇବ କିମ୍ବା ପକାଇବାକୁ ଚେଷ୍ଟା କରିବ ତା ପାଇଁ ଜେଲ ବ୍ୟବସ୍ଥା ହୋଇଛି। ତାହେଲେ ପେଟ୍ରୋଲ ପମ୍ପ ବ୍ୟବସାୟୀ ଗ୍ରାହକମାନଙ୍କୁ ହାଓ୍ବା ଚେକ ଭଳି ମୌଳିକ ସେବା ନ ଯୋଗାଇ ଠକୁଥିବାରୁ ପୋଲିସ ଓ ଜିଲ୍ଲା ପ୍ରଶାସନ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବୁଦ୍ଧିଜୀବି ମହଲରୁ ମତପ୍ରକାଶ ପାଇଛି ।