କରୋନା କଟକଣା ମଧ୍ୟରେ ଶେଷ ହେଲା ରାୟଗଡାର ରଥଯାତ୍ରା

ଅସ୍ଥାୟୀ ମଣ୍ଡପରେ ବିଜେ ହେଲେ ଚତୁର୍ଦ୍ଧାମୂର୍ତ୍ତି
ରାୟଗଡା/୧୨/୭(ସଖପ୍ର): ଓଡିଆଙ୍କ ଆରାଧ୍ୟ ଦେବତା ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା ତଥା ଘୋଷଯାତ୍ରା କରୋନା କଟକଣା ମଧ୍ୟରେ ଶ୍ରଦ୍ଧା ଶ୍ରୀକ୍ଷେତ୍ର ରାୟଗଡା ଶ୍ରୀ ଜଗନ୍ନାଥ ମନ୍ଦିର ବେଢା ମଧ୍ୟରେ ଶାନ୍ତିଶୃଙ୍ଖଳା ସହ ଅନୁଷ୍ଠିତ ହୋଇଯାଇଛି । ରାୟଗଡା ଜିଲ୍ଳାପାଳ ସରୋଜ କୁମାର ମିଶ୍ର, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବିବେକାନନ୍ଦ ଶର୍ମା, ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ,ଉପଜିଲ୍ଳାପାଳ ପ୍ରତାପଚନ୍ଦ୍ର ପ୍ରଧାନ,ତହସିଲଦାର ତଥା ଦେବତ୍ତୋର ଅଧିକାରୀ ଉମାଶଙ୍କର ବେହେରା ଓ ଅତିରିକ୍ତ ତହସିଲଦାର ସୁନୀଲ ଖରା,ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନଙ୍କ ସମେତ ଅନ୍ୟ ପ୍ରଶାସନିକ ଓ ପୋଲିସ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ରଥଯାତ୍ରା କାର୍ଯ୍ୟକ୍ରମକୁ ଅନୁଧ୍ୟାନ କରିଥିଲେ । ଆଜି ପ୍ରାତଃରେ ଶ୍ରୀ ଜଗନ୍ନାଥ ମନ୍ଦିର ଦ୍ୱାରଫିଟା ଯିବା ପରେ ଚତୁର୍ଦ୍ଧାମୂର୍ତିଙ୍କ ମଙ୍ଗଳ ଆଳତୀ,ମଇଲମ,ପ୍ରାତଃ ଆଳତୀ ପରେ ଗୋପାଳବଲ୍ଲଭ ଭୋଗ,ଖେଚେଡି ଭୋଗ,ଶେରନା ପାଟ ଲାଗି ଏବଂ ଦ୍ୱାରପାଳ ପୂଜାବିଧି ଅନୁଷ୍ଠିତ ହୋଇଥିଲା । ରାଜ ପୁରୋହିତ ବିରଂଚି ନାରାୟଣ ଦାଶଙ୍କ ପୈାରାହିତ୍ୟରେ ସମସ୍ତ ରୀତିକାନ୍ତି ଅନୁଷ୍ଠିତ ହୋଇଥିଲା । କରୋନା କଟକଣାକୁ ଦୃଷ୍ଟିରେ ରଖି ସୀମିତ ସେବାୟତମାନଙ୍କ ଦ୍ୱାରା ରଥଯାତ୍ରା ନୀତିକାନ୍ତି କରାଯାଇଥିଲା । ପୂର୍ବାହ୍ନ ସାଢେ ଦଶଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି କରାଯାଇ ମନ୍ଦିର ବେଢା ପରିସରରେ ନିର୍ମିତ ଅସ୍ଥାୟୀ ଶ୍ରୀ ଗୁଣ୍ଡିଚା ମନ୍ଦିର ମଣ୍ଡପରେ ବିରାଜମାନ କରାଯାଇଥିଲା । ପବିତ୍ର ରଥଯାତ୍ରାରେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭକ୍ତମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ଆଜି ସକାଳ ୬ଟାରୁ ଆସନ୍ତା ୨୧ତାରିଖ ସକାଳ ୬ଘଂଟା ପର୍ଯ୍ୟନ୍ତ ମନ୍ଦିରରୁ ୫ଶହ ମିଟର ଦୂରତା ମଧ୍ୟରେ ୪ଜଣରୁ ଅଧିକ ବ୍ୟକ୍ତି ହେବା ଓ ଚଳପ୍ରଚଳ ଉପରେ ନିଷେଧାଦେଶ ଜାରି କରାଯିବା ସହ ୧୪୪ଧାରା ନିୟମ ଲାଗୁ କରାଯାଇଛି । ତେବେ ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଅନୁଷ୍ଠିତ ରଥଯାତ୍ରା କାର୍ଯ୍ୟକ୍ରମକୁ ଇଂ.ବ୍ୟୋମକେଶ ମହାନ୍ତିଙ୍କ ଶ୍ରଦ୍ଧା ଏଣ୍ଟରଟେନ୍ମେଣ୍ଟ ୟୁଟ୍ୟୁବ୍ ଚ୍ୟାନେଲ୍ ମାଧ୍ୟମରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଥିବାରୁ ଶତାଧିକ ଲୋକେ ଏହା ଦେଖିପାରିଥିଲେ । ସେବାୟତ ବାପି ତ୍ରିପାଠୀ,ତ୍ରିନାଥ ଦାସ,କୃଷ୍ଣଚନ୍ଦ୍ର ଦାସ,ପ୍ରଶାନ୍ତ ନନା,ମହେନ୍ଦ୍ର ରଥ, ରଂଜନ ରଥ,ସୁଜିତ ପଣ୍ଡା,ସନ୍ତୋଷ ଦାଶ,ମନୋଜ ଦାଶ,ବୃନ୍ଦାବନ ମିଶ୍ର,ରାମ ରଥଙ୍କ ସମେତ ଅନ୍ୟ ସେବାୟତମାନେ ଯୋଗ ଦେଇ ନୀତିକାନ୍ତି ପାଳନରେ ସହଯୋଗ କରିଥିଲେ ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ