ଓଡ଼ିଶା ବିଧାନସଭାର ପ୍ରଥମ ବାଚସ୍ପତିଙ୍କ ୧୩୪ତମ ଜନ୍ମ ଜୟନ୍ତୀ ପାଳିତ

ବାଲେଶ୍ବର ୧୨/୮(ସଖପ୍ର):ଓଡିଶା ବିଧାନସଭାର ପ୍ରଥମ ବାଚସ୍ପତି ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ୧୩୪ ତମ ଜନ୍ମ ଜୟନ୍ତୀ ବାଲେଶ୍ବର ଜିଲ୍ଲା ଖଇରା ସ୍ଥିତ ଜନଜାଗରଣ ମଞ୍ଚ କାର୍ଯ୍ଯାଳୟ ପରିସରରେ ପାଳିତ ହୋଇ ଯାଇଛି । ଏହି ଉପଲକ୍ଷେ ମଞ୍ଚର କର୍ମକର୍ତ୍ତାମାନଙ୍କ ତରଫରୁ ସକାଳେ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଖଇରା ପଞ୍ଚାୟତ ଆଳଦା ଗ୍ରାମରେ ଥିବା ଆଦର୍ଶ ଶିକ୍ଷା ମନ୍ଦିର ପରିସରରେ ବୃକ୍ଷ ରୋପଣ କରାଯାଇଥିଲା । ପରେ ପରେ ଖଇରା ଜଳସେଚନ ବିଭାଗ କାର୍ଯ୍ଯାଳୟ ସାମ୍ମାରେ ଥିବା ଜନଜାଗରଣ ମଞ୍ଚ କାର୍ଯ୍ଯାଳୟ ପରିସରରେ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟିର କର୍ମକର୍ତ୍ତାମାନଙ୍କ ଦ୍ବାରା ଏକ ସଭାର ଆୟୋଜନ କରାଯାଇଥିଲା । ଉକ୍ତ ସଭାରେ ଖଇରା କଲେଜର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା କମିଟିର ସଭାପତି ପ୍ରଫେସର ଉମେଶ ଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ । ସଭାକାର୍ଯ୍ଯ ପୂର୍ବରୁ ପ୍ରଦୀପ ପ୍ରଜ୍ଜଳନ, ଭାଗବତ ପାରାୟାଣ,ଗୀତାପାଠ, ଜାତୀୟ ସଙ୍ଗୀତ ଗାନ ଓ ନୀରବ ପ୍ରାର୍ଥନା ପରେ ଅନୁଷ୍ଠିତ ସଭାରେ ସ୍ମୃତି କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ହୋଇ ସ୍ବର୍ଗତ ମୁକୁନ୍ଦ ପ୍ରସାଦ ଦାସଙ୍କ ଗୁଣାବଳୀ ଆଲୋଚନା କରିଥିଲେ । ସ୍ବର୍ଗତ ଦାସ ଖଇରା ବ୍ଲକ ପାର୍ବତୀପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ଓଡିଶା ତଥା ଦେଶମାତୃକା ପାଇଁ ତାଙ୍କର ଅବଦାନକୁ ବର୍ଣ୍ଣନା କରିହେବ ନାହିଁ । ସଭାପତି ଉମେଶ ଚନ୍ଦ୍ର ନାୟକ, ବୁଧିରାମ ପାଣିଗ୍ରାହୀ, ଚିନ୍ତାମଣି ସାହାଣୀ, ନିରଞ୍ଜନ ବେହେରା ଓ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟିର ଆବାହକ ଅଭିରାମ ମହାପାତ୍ର ପ୍ରମୁଖ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ଶ୍ରୀ ଦାସଙ୍କର ଗୁଣାବଳୀ ବିଷୟରେ ଖୁବ୍ ସୁନ୍ଦର ଭାବରେ ବର୍ଣ୍ଣନା କରିଥିଲେ । ଏଥିରେ ଗଗନ ବିହାରୀ ପଣ୍ଡା, ବିଭୁତି ଭୂଷଣ ତ୍ରିପାଠୀ, ଉପେନ୍ଦ୍ର ଦାସ,ପୂର୍ଣ୍ଣଚନ୍ଦ୍ର ଜେନା,ପଣ୍ଡିତ କୃଷ୍ଣଚନ୍ଦ୍ର ପତ୍ରୀ ପ୍ରମୁଖ ଯୋଗଦେଇଥିଲେ । ସ୍ମୃତି କମିଟି ତରଫରୁ ଡାକରା ପାଇ ବାଲେଶ୍ବର ଜିଲ୍ଲା ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା କାର୍ଯ୍ୟକ୍ରମରେ ଯୋଗଦେଇ ଓଡ଼ିଶାର ପ୍ରଥମ ବାଚସ୍ପତି ମୁକୁନ୍ଦ ପ୍ରସାଦ ଦାସଙ୍କ ବିଷୟରେ ଆଲୋଚନା କରିଥିଲେ । ଏହା ସଙ୍ଗେ ସଙ୍ଗେ ଉପସ୍ଥିତ ଥିବା ଜନଜାଗରଣ ମଞ୍ଚର କର୍ମକର୍ତ୍ତା ଓ ମୁକୁନ୍ଦ ପ୍ରସାଦ ସ୍ମୃତି କମିଟିର କର୍ମକର୍ତ୍ତା ଏବଂ ଆଜିର ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ । ଶ୍ରୀ ଦାସଙ୍କ ସ୍ମୃତି ରକ୍ଷା ନିମନ୍ତେ ଖଇରା ଠାରେ ଏକ ପାଠାଗାର ନିର୍ମାଣ ପାଇଁ ଓଡିଶା ସରକାରଙ୍କ ଠାରେ ଦାବୀ କରାଯିବା ନେଇ ଆଲୋଚନା ହୋଇଥିଲା । ଉକ୍ତ ଦାବୀ ଯଥାର୍ଥ ବୋଲି ସାମ୍ବାଦିକ ଶ୍ରୀ ବେହେରା କହିଥିଲେ । ଶେଷରେ ସ୍ମୃତି କମିଟିର ସଭାପତି ପ୍ରଫେସର ଶ୍ରୀ ନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ