ଓଡ଼ିଶାର ୬ ନେତାଙ୍କୁ ମିଳିବ ସ୍ଵତନ୍ତ୍ର ସୁରକ୍ଷା ବ୍ୟବସ୍ଥା, ୩ ଜଣଙ୍କୁ Z ଓ ୩ ଜଣଙ୍କୁ Y ସୁରକ୍ଷା
ଭୁବନେଶ୍ବର: ନିର୍ବାଚନ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଓଡ଼ିଶାର ୬ ନେତାଙ୍କୁ ଯୋଗାଇ ଦିଆଯିବ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା। ୩ ନେତାଙ୍କୁ ଜେଡ୍ ସୁରକ୍ଷା ଏବଂ ଅନ୍ୟ ୩ ନେତାଙ୍କୁ ୱାଇ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବ। ରାଜ୍ୟ ସିକ୍ୟୁରିଟି ୱିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଗୁରୁବାର ଏ ନେଇ ସୂଚନା ଦିଆଯାଇଛି। ସୂଚନା ମୁତାବକ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଷ୍ଟ୍ରୀୟ ଉପ ସଭାପତି ବୈଜୟନ୍ତ ପଣ୍ଡା ଓ ବିଜେଡି ନେତା ଭିକେ ପାଣ୍ଡିଆନଙ୍କୁ ସ୍ବତନ୍ତ୍ର ଜେଡ୍ ସୁରକ୍ଷା ଯୋଗାଇ ଦିଆଯିବ। ସେହିପରି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଓ୍ବାଇ ଶ୍ରେଣୀ ସୁରକ୍ଷା ମିଳିବ। ଏହା ବ୍ୟତୀତ କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କୁ ମଧ୍ୟ ୱାଇ ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯିବ। । ରାଜ୍ୟ ସିକ୍ୟୁରିଟି ୱିଙ୍ଗ୍, ସ୍ପେଶାଲ ବ୍ରାଞ୍ଚ ପକ୍ଷରୁ ଏ ସଂପର୍କିତ ନିଷ୍ପତ୍ତି ନିଆଯାଇଛି। ବଲାଙ୍ଗୀରର କଣ୍ଟାବାଞ୍ଜିରେ କଂଗ୍ରେସ ସନ୍ତୋଷ ସିଂ ସାଲୁଜାଙ୍କୁ ପ୍ରାର୍ଥୀ କରିଥିବା ବେଳେ ତାଙ୍କ ବିରୋଧରେ ନିର୍ବାଚନ ଲଢୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହି ଦୃଷ୍ଟିରୁ ସାଲୁଜାଙ୍କ ସୁରକ୍ଷା ବ୍ୟବସ୍ଥା ବଢାଇବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି।