01/22/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଓଏମ୍‌ପି ଛକ ନିକଟରେ ଦୁଇ ପିଲାଙ୍କୁ ଛାଡ଼ି ପ୍ରେମିକ ସହ ମା’ ଫେରାର୍‌: ପିଲା ଦୁହିଁଙ୍କୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍‌

କଟକ ୨୪/୧୧: (ସଖପ୍ର) ଓଏମ୍‌ପି ନିକଟରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ଜଣେ ନିର୍ଦୟ ମାଆ ତାଙ୍କର ଦୁଇ ଛୋଟ ପିଲାଙ୍କୁ ବିଚ୍‌ ରାସ୍ତାରେ ଛାଡ଼ିଦେଇ ଜଣେ ଯୁବକଙ୍କ ସହ ଫେରାର୍‌ ହୋଇଯାଇଛନ୍ତି । ରାସ୍ତାରେ ଅସହାୟ ଅବସ୍ଥାରେ ବସିଥିବା ଦୁଇ ଶିଶୁଙ୍କୁ ଉଦ୍ଧାର କରି ଜଣେ ବ୍ୟକ୍ତି ଚାଇଲ୍ଡ ଲାଇନ୍‌କୁ ହସ୍ତାନ୍ତର କରିଛନ୍ତି । ଘଟଣାଟି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ସକାଳେ ଓଏମ୍‌ପି ସ୍ଥିତ ବ୍ରହ୍ମପୁର ବସ୍ତି ପାଖରେ ଜଣେ ୯ ବର୍ଷର ଝିଅ ଓ ଜଣେ ୫ ବର୍ଷର ପୁଅ ବସି କାନ୍ଦୁଥିବା ଅବସ୍ଥାରେ ସ୍ଥାନୀୟ ଅଞ୍ଚଳର ଟୁକୁନା ଦାସ ଦେଖିବାକୁ ପାଇଥିଲେ । ପିଲା ଦୁଇ ଜଣଙ୍କୁ ପଚାରବା ପରେ ସେମାନେ ଯେଉଁ କଥା କହିଥିଲେ ତାହା ଟୁକୁନାଙ୍କୁ ଚକିତ କରିଥିଲା। ପିଲାଙ୍କର ଘର ପୁରୀ ବାସେଳୀ ସାହି ଅଞ୍ଚଳରେ। ତାଙ୍କ ମାଆ ଦୁହିଁଙ୍କୁ ସାଙ୍ଗରେ ନେଇ କଟକ ଓଏମ୍‌ପି ଆସିଥିଲେ। ସେଠାରେ ଆଗରୁ ଜଣେ ଯୁବକ ଅପେକ୍ଷା କରି ରହିଥିଲେ । ପିଲାଙ୍କ ସହିତ ମହିଳା ଜଣକ ଓଏମ୍‌ପିରେ ପହଞ୍ଚିବା ପରେ ଉଭୟଙ୍କ ମଧ୍ୟରେ କିଛି ସମୟ କଥାବାର୍ତ୍ତାା ହୋଇଥିଲା । ପରେ ସେହି ଯୁବକ ଜଣକ ସଂପୃକ୍ତ ମହିଳାଙ୍କୁ ବିବାହ କରିବାକୁ ପ୍ରସ୍ତାବ ଦେଇ ତାଙ୍କ ସହ ଯିବାକୁ ବାଧ୍ୟ କରିଥିଲା। କିଛି ସମୟ ପରେ ଯୁବକଙ୍କ ସହିତ ମହିଳା ଜଣକ ବାଇକ୍‌ରେ ବସି ପଳାଇଥିଲେ।

ଏହି ସମୟରେ ଛୋଟ ପିଲା ଦୁଇ ଜଣ କାନ୍ଦିକାନ୍ଦି ବାଇକ୍‌ ପଛରେ କିଛି ବାଟ ଦୌଡ଼ିଥିଲେ ବି ମହିଳା ଜଣକ ପିଲାଙ୍କ କାନ୍ଦ ଶୁଣିନଥିଲେ। ପିଲା ଦୁହିଁଙ୍କଠାରୁ ଏ ସଂପର୍କରେ ଜାଣିବା ପରେ ଶ୍ରୀ ଦାସ ସେମାନଙ୍କୁ ସାଙ୍ଗରେ ନେଇ ଚାଉଳିଆଗଞ୍ଜ ଥାନାକୁ ଯାଇଥିଲେ । ସେଠାରେ ପୁଲିସ ସବୁ କଥା ଶୁଣିବା ପରେ ଘଟଣା ନେଇ ଚାଇଲ୍ଡ ଲାଇନ୍‌କୁ ସୂଚନା ଦିଆଯାଇଥିଲା । ଚାଇଲ୍ଡ ଲାଇନ୍‌ର କର୍ମକର୍ତ୍ତା ପହଞ୍ଚି ଶିଶୁ ଦୁଇ ଜଣଙ୍କୁ ସାଙ୍ଗରେ ନେଇ ଶିଶୁ ମଙ୍ଗଳ କମିଟି (ସିଡବ୍ଲୁସି) ସମ୍ମୁଖରେ ହାଜର କରିଥିଲେ । କମିଟିର ନିର୍ଦ୍ଦେଶ ପରେ ଶିଶୁ ଦୁଇ ଜଣଙ୍କୁ ବସୁନ୍ଧରାରେ ରଖାଯାଇଛି । ଶିଶୁ ଦୁଇ ଜଣ ଦେଇଥିବା ନିଜର ଠିକଣା ବିଷୟରେ ଚାଇଲ୍ଡ ଲାଇନ୍‌ ଯାଞ୍ଚ କରୁଛି । ଏନେଇ ପୁରୀ ଜିଲ୍ଳା ଚାଇଲ୍ଡ ଲାଇନ୍‌କୁ ସୂଚନା ଦିଆଯାଇଛି। ଶିଶୁ ଦୁଇ ଜଣଙ୍କର ବାପା ଜଣେ ରିକ୍ସା ଚାଳକ ବୋଲି ସୂଚନା ମିଳିଛି । ତେଣୁ ଏବେ ପୁରୀ ଚାଇଲ୍ଡ ଲାଇନ୍‌ର ରିପୋର୍ଟକୁ ଅପେକ୍ଷା କରାଯାଇଛି । ଜଣେ ଜନ୍ମଦାତ୍ରୀ ମା’ କେମିତି ଏତେ ନିଷ୍ଠୁର ହୋଇପାରେ, ତାହା ସାଧାରଣରେ ଚର୍ଚ୍ଚା ହେଉଛି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *