ଏସ୍ପିଙ୍କ ଉପସ୍ଥିତିରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ
ଜୟପୁର ୨୨/୦୭(ସଖପ୍ର): ଜୟପୁର ଟାଉନ୍ ଥାନା ପରିସରରେ ଆମ ପୁଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି। କୋରାପୁଟ ଏସପି ଅଭିନବ ସୋନକର ବୈଠକରେ ଯୋଗଦେଇ ପୁଲିସ ଉପରେ ଭରସା ଅତୁଟ ରଖିବାକୁ ପରାମର୍ଶ ଦେଇଥିଲେ | ଜନସାଧାରଣଙ୍କ ସୁରକ୍ଷା ଆମର ଦାୟିତ୍ବ ସନ୍ଦିଗ୍ଧ କିମ୍ବା ଅପରାଧୀଙ୍କ ଗତିବିଧି ସମ୍ପର୍କରେ କୌଣସି ସୂଚନା ପାଇଲେ ତୁରନ୍ତ ଜଣାଇବାକୁ ଏସପି ନିବେଦନ କରିଥିଲେ । ସୂଚନାକାରୀଙ୍କ ନାଁ ଗୋପନ ରଖାଯିବ ବୋଲି ଏସପି କହିଥିଲେ। ନିକଟରେ ମିଲ୍ସ୍ ମାଲିକ ଅପହରଣ ମାମଲାର ସଫଳତାକୁ ବୈଠକରେ ଦୋହରାଇଥିଲେ ଏସପି । ମାମଲାର ମାଷ୍ଟର ମାଇଣ୍ଡ ଅଭିଯୁକ୍ତ ଅଭିଜିତ୍ ଓରଫ ଜିତ୍ ମହୁରିଆଙ୍କ ସହ ପୁରା ଗ୍ୟାଙ୍ଗର ୧୩ ସଦସ୍ୟଙ୍କୁ ପୁଲିସ୍ ଗିରଫ କରିଥିବା ବେଳେ ଅଭିଯୁକ୍ତଙ୍କ ନିକଟରୁ ୩ଟି କାର, ଗୋଟିଏ ବାଇକ, ୩ଟି ବନ୍ଧୁକ, ୧୫ଟି ଖୋକା, ୨ଟି ଖଣ୍ଡା, ୧୪ଟି ମୋବାଇଲ୍ ଫୋନ ଓ ନଗଦ ୨୪ଲକ୍ଷ ୮୫ ହଜାର ଟଙ୍କା ଜବତ କରାଯାଇଥିବା ସୂଚନା ଦେଇଥିଲେ ଏସପି। ନକଲି ମାଓବାଦୀ ନାଁରେ ଚିଠି ଦେବା ଘଟଣାରେ ମଧ୍ୟ ଅଭିଯୁକ୍ତଙ୍କୁ ବାନ୍ଧିଛି ପୁଲିସ୍ । ଜୟପୁରରେ ଆଇନଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ପାଇଁ ଯୁବ ଆଇପିଏସ୍ ଅଫିସର୍ ଅଙ୍କିତ ବର୍ମାଙ୍କୁ ଏସଡିପିଓ ଦାୟିତ୍ଵ ଦିଆଯାଇଛି। ବୈଠକକୁ ଟାଉନ୍ ଥାନା ଅଧିକାରୀ ରମଣୀ ରଂଜନ ଦଳାଇ ପରିଚାଳନା କରିଥିଲେ| ସଦର ଥାନା ଅଧିକାରୀ ଈଶ୍ବର ତାଣ୍ଡି, ଜୟପୁର ଚାମ୍ବର ଅଫ କମର୍ସ ସଭାପତି ଭି. ପ୍ରଭାକର, ସଂପାଦକ ଡି. ମାଧବ ରାଓ, କୋରାପୁଟ ଜିଲ୍ଲା ମିଲର୍ସ ଆସୋସିଏସନ୍ ସଭାପତି ପୂର୍ଣ୍ଣ ପଟ୍ଟନାୟକ, ତ୍ରିପତି ରାଓ, ବ୍ୟବସାୟୀ ସଂଜୟ ଜୈନ, ସୂର୍ଯ୍ୟ ପଟ୍ଟନାୟକ, ବରୁଣ ଜୈନଙ୍କ ସହ ଶତାଧିକ ବ୍ୟବସାୟୀ ବୈଠକରେ ଅଂଶଗ୍ରହଣ କରିଥିଲେ |