ଉତ୍କଳ ସମ୍ମିଳନୀ ତରଫରୁ ମହାରାଜା କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଜୟନ୍ତୀ ପାଳିତ
କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ଉତ୍କଳ ସମ୍ମିଳନୀ କୋରାପୁଟ ଜିଲ୍ଲା ଜୟପୁର ଶାଖା ତରଫରୁ ମହାରାଜା ଶ୍ରୀ ଶ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓଙ୍କ ଜୟନ୍ତୀ ଅବସରରେ ଜୟପୁର ଲେବର ଅଫିସ ଛକସ୍ଥିତ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଛି। ଶାଖା ସଭାପତି ମଦନ ମୋହନ ନାୟକଙ୍କ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ନବୀନ ମାଦଳା, ଉପଦେଷ୍ଟା ବିନୋଦ ମହାପାତ୍ର,ସଂଗଠନ ସମ୍ପାଦକ ପରମେଶ୍ବର ପାତ୍ର, ଶ୍ରମିକ ନେତା ବାଲା ରାଏ, ସବୁବର୍ଗ ଖବର ସମ୍ବାଦପତ୍ର ସମ୍ପାଦକ ତଥା କ୍ଷୁଦ୍ର ମଧ୍ୟମ ସମ୍ବାଦପତ୍ର ମହାସଂଘର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୁତାର ପ୍ରମୁଖ ଅନେକ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ। ଓଡ଼ିଶା ସ୍ବତନ୍ତ୍ର ପ୍ରଦେଶ ଭାବରେ ଗଠିତ ହେଲା ୧୯୩୬ ଏପ୍ରିଲ ପହିଲା ଦିନ । ଏହା ଥୁଲା ଓଡ଼ିଆ ଜାତିପାଇଁ ଏ ଏକ ଅବିସ୍ମରଣୀୟ ଘଟଣା । କାରଣ ବିଗତ ଦେଢ଼ ଶହ ବର୍ଷ ଇଂରେଜ ଶାସନାଧୀନ କାଳରେ ଏହାର ରାଜନୀତିକ ଅସ୍ତିତ୍ବ ନ ଥୁଲା । କଟକ, ପୁରୀ ଓ ବାଲେଶ୍ବର ବଙ୍ଗପ୍ରଦେଶ, ସମ୍ବଲପୁର ଓ ନିକଟବର୍ତ୍ତୀ ଅଞ୍ଚଳ ମଧ୍ୟପ୍ରଦେଶ ଏବଂ ଗଞ୍ଜାମ ସହିତ ଦକ୍ଷିଣ ଓଡ଼ିଶା ମାନ୍ଦ୍ରାଜ ପ୍ରଦେଶ ଅଧୀନରେ ଶାସିତ ହେଉଥିବାରୁ ଓଡ଼ିଆ ଭାଷାଭାଷୀ ଅଞ୍ଚଳଗୁଡ଼ିକ ଏକିକୃତ ଶାସନ ସମ୍ଭବ ନ ଥିଲା । ଏହି ରାଜନୀତିକ ଅବିଚାରର ଶିକାର ହୋଇଥୁଲା ଓଡ଼ିଆ ଜାତି ଓ ତାର ସଂସ୍କୃତି । ଏହା ଏକ ଅନ୍ୟାୟ ଓ ଅବିଚାରର ଦୃଷ୍ଟାନ୍ତ ଥୁବାରୁ ଓଡ଼ିଆ ଜାତିର ପ୍ରତିରୋଧ ଅବଶ୍ୟମ୍ଭାବୀ ଥିଲା । ଏହି ପ୍ରତିରୋଧ ସଂଗ୍ରାମର ମହାରଥୀ ଥିଲେ ଗୌରୀଶଙ୍କର ରାୟ, ମଧୁସୂଦନ ଦାସ, ପଣ୍ଡିତ ନୀଳମଣି ବିଦ୍ୟାରତ୍ନ, ଗଜପତି ଶ୍ରୀକୃଷ୍ଣଚନ୍ଦ୍ର ନାରାୟଣଦେଓ ଆଦି ପ୍ରାତଃସ୍ମରଣୀୟ ବ୍ୟକ୍ତିଗଣ । ସେମାନଙ୍କ ମଧ୍ୟରେ ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଅବଦାନ ଥୁଲା ମହତ୍ତ୍ୱପୂର୍ଣ୍ଣ । ଓଡ଼ିଆ ଭାଷାଭାଷୀ ବିଚ୍ଛିନ୍ନାଞ୍ଚଳମାନଙ୍କୁ ଏକତ୍ରିତ କରି ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ସେ ଯେଉଁ ଭୂମିକା ଗ୍ରହଣ କରିଥିଲେ ତାହା ଓଡ଼ିଆ ଜାତିର ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇରହିଛି ବୋଲି ବିନୋଦ ମହାପାତ୍ର ବକ୍ତବ୍ୟରେ କହିଥିଲେ। ଶେଷରେ ବାଲା ରାୟ ଧନ୍ୟବାଦ ଅର୍ପଣ କରିଥିଲେ।