ଉତ୍କଳ ସମ୍ମିଳନୀ କୋରାପୁଟ ଶାଖା ସଭାପତି ଜଗଦୀଶ ଚନ୍ଦ୍ର ସାହୁଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ
କୋରାପୁଟଜିଲ୍ଲା(ସଖପ୍ର): ଆଜି ଜୟପୁରସ୍ଥିତ ଯାଦବ ଭବନରେ ପୂର୍ବତନ ପୌରାଧ୍ୟକ୍ଷ ସ୍ବର୍ଗତ ଜଗଦିଶ ଚନ୍ଦ୍ର ସାହୁଙ୍କ ଦେହାନ୍ତର ତୃତୀୟ ଦିନରେ ଉତ୍କଳ ସମ୍ମିଳନୀ ଜୟପୁର ଶାଖା ତରଫରୁ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଶ୍ରୀ ସାହୁ ଉତ୍କଳ ସମ୍ମିଳନୀ କୋରାପୁଟଜିଲ୍ଲା ଶାଖାର ସଭାପତି ଥିଲେ। ସେ ଜଣେ ବହୁ ଜନପ୍ରିୟ ଓ ମିଷ୍ଟଭାସୀ ଲୋକ ଥିଲେ । ତାଙ୍କର ଦେହାନ୍ତରେ ପୂରା ଜୟପୁର ସହରରେ ଶୋକର ଛାୟା ଖେଳିଯାଇଛି। ସେ ଜୟପୁର କଂଗ୍ରେସ ଦଳର ବରିଷ୍ଠ କର୍ମୀ ଥିଲେ। ଏହି ଅବସରରେ ଉପସ୍ଥିତ ଥିବା ସଦସ୍ୟମାନେ ସ୍ବର୍ଗତ ସାହୁଙ୍କର ସ୍ମୃତିଚାରଣ କରିଥିଲେ। ତାଙ୍କର ରାଜନୈତିକ ଜୀବନ ବିଷୟରେ ଚର୍ଚ୍ଚା ହୋଇଥିଲା। ଏହି ଶୋକସଭାରେ ଉତ୍କଳ ସମ୍ମିଳନୀର ରାଜ୍ୟ ଉପସଭାପତି ବିନୋଦ ମହାପାତ୍ର, କୋରାପୁଟଜିଲ୍ଲା କାର୍ଯ୍ୟକାରୀ ସଭାପତି ମଦନ ମୋହନ ନାୟକ, ଜିଲ୍ଲା ସଂପାଦକ ନବୀନ ମାଦଳା, ଜିଲ୍ଲା ସଂଗଠକ ସଂପାଦକ ଚନ୍ଦ୍ରକାନ୍ତ ସୁତାର, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରାଜେନ୍ଦ୍ର ଗୌଡ, କୋରାପୁଟ ସାଂସଦଙ୍କ ବ୍ଲକ ପ୍ରତିନିଧି କୃଷ୍ଣଚନ୍ଦ୍ର ନେପାକ, ନରେଶ ନାଥ ନାୟକ, ସୁରେଶ ଦାସ, ଖଲି ପଟ୍ଟନାୟକ, ଭେଙ୍କଟ ରାଓ ପଟ୍ଟନାୟକ, କବିରାଜ ପରମେଶ୍ବର ପାତ୍ର, ଗୁପ୍ତେଶ୍ୱର ଦଣ୍ଡସେନା, ରାମ ନାୟକ, ମୀନକେତନ ପରିଚ୍ଛା ପ୍ରମୁଖ ଉପସ୍ଥିତ ଥିଲେ।