ଉଚ୍ଛେଦ କରିବାକୁ ଯାଇ ଫେରିଲେ ମାଜିଷ୍ଟ୍ରେଟ, ପୋଲିସ
ଭଦ୍ରକ (ସଖପ୍ର) ଭଦ୍ରକ ପୌରଂଚଳର ୧୦ୱାର୍ଡରେ ଥିବା ମ୍ୟୁନିସିପାଲଟିର ମାର୍କେଟ କଂପ୍ଲେକ୍ସ ପରିସରକୁ ଜବରଦଖଲ କରିଥିବା ଏକ ଚାଳଘର ଉଚ୍ଛେଦ ପାଇଁ ପ୍ରଶାସନ ପକ୍ଷରୁ ଆଜି ପଦକ୍ଷେପ ନିଆଯାଇଥିଲା । ଏହି ପଦକ୍ଷେପ ସ୍ୱରୂପ ଉଚ୍ଛେଦ ପାଇଁ ଅତରିକ୍ତ ତହସିଲଦାର, ପୌରପାଳିକା ଯନ୍ତ୍ରୀ, ଅମୀନ ଓ ଶ୍ରମିକଙ୍କ ସହ ଜେସିବି ମେସିନ ବି ଯାଇଥିଲା । ଏହାବ୍ୟତୀତ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ୧ପ୍ଲାଟୁନ୍ ଫୋର୍ସ ସହ ଟାଉନ ଥାନା ଆଇଆଇସି ଉପସ୍ଥିତ ଥିଲେ । ପ୍ରକାଶ ଯୋଗ୍ୟ, ପୌରପାଳିକାର ଏହି ମାର୍କେଟ କଂପ୍ଲେକ୍ସକୁ ଲାଗି ଦୀର୍ଘ ବର୍ଷ ହେବ ଏହି ଚାଳ ଘରେ ଭାସ୍କର ବାରିକଙ୍କ ପରିବାର ରହୁଥିଲେ । ପୌରପାଳିକାର ଏହି ଜବରଦଖଲ ଉଚ୍ଛେଦକୁ ପରିବାର ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା । ତେବେ ପୋଲିସ ଓ ପ୍ରଶାସନ ଚାପରେ ଉକ୍ତ ପରିବାର ବର୍ଗ ଉକ୍ତ ଘରୁ ଜିନିଷପତ୍ର ବାହାର କରି ଦେଇଥିଲେ । ସେଠାରେ ଥିବା ଜେସିବି ଭାଙ୍ଗିବାକୁ ଉଦ୍ୟମ କରିବା ସମୟରେ ହଠାତ୍ ଫୋନ ପାଇଁ ଉପସ୍ଥ୍ିତ ମାଜିଷ୍ଟ୍ରେଟ ଉଚ୍ଛେଦ ପ୍ରକ୍ରିୟାକୁ ବନ୍ଦ ରଖିବା ସହ ଫେରି ଆସିଥିଲେ । ଫଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ମୀନାକ୍ଷୀ ଦାସ, ପୋଲିସ ଫୋର୍ସ, ପୌରକର୍ମଚାରୀମାନଙ୍କୁ ଜବଦ ଦଖଲ ଉଚ୍ଛେଦ ସ୍ଥଳରୁ ଫେରିବା ସହ ଜେସିବି ମେସିନ୍କୁ ବି ଫେରାଇ ଆଣିଥିଲେ । ଆଜିର ଏହି ପୌରପ୍ରଶାସନର ଜବରଦଖଲ ଉଚ୍ଛେଦ କାର୍ଯ୍ୟକ୍ରମ ବହୁ ଆଡମ୍ବରରେ ଲଘୁକ୍ରିୟାରେ ପରିଣତ ହୋଇଛି । ଉଚ୍ଛେଦ କାର୍ଯ୍ୟ ବନ୍ଦ ରହିବା ସଂପର୍କରେ ପୌର ନିର୍ବାହୀ ଅଧିକାରିଣୀ ମନୋରମା ଭୂୟାଁ କୁହଁନ୍ତି, ଆଜିର ପ୍ରତିକୂଳ ପାଗକୁ ଲକ୍ଷ୍ୟ କରି ମାନବିକତା ଦୃଷ୍ଟିରୁ ଏହାକୁ ବନ୍ଦ କରାଗଲା । ତେବେ ସଂପୃକ୍ତ ଜବରଦଖଲକାରୀଙ୍କୁ ୨ଦିନ ସମୟ ଦିଆଯାଇଛି, ସେ ନିଜ ଆଡୁ ଉଚ୍ଛେଦ କରିବେ ବୋଲି କହିଥିଲେ ।