ଆମାଜନରେ ବିକ୍ରି ନିମନ୍ତେ ପ୍ରସ୍ତୁତ ହେଉଛି ନିୟମ ଡ଼ଙ୍ଗରିଆଙ୍କ ଝାଡୁ
ରାୟଗଡା(ସଖପ୍ର): ଆମାଜନରେ ବିକ୍ରି ନିମନ୍ତେ ତିଆରି ଚାଲିଛି ନିୟମ ଡ଼ଙ୍ଗରିଆଙ୍କ ଭଳିକି ଭଳି ରଙ୍ଗବେରଙ୍ଗର ଝାଡୁ। ଦେଖିବାକୁ ଯେମିତି ସୁନ୍ଦର ବ୍ୟବହାର କରିବା ନିମନ୍ତେ ମଧ୍ୟ ବେଶ ଉପଯୋଗୀ । କପଡାଗୁନ୍ଦା ସାଲ୍ ପରେ ନିୟମଗିରିର ଝାଡୁ ଏବେ ଦ୍ବିତୀୟ ସାମଗ୍ରୀଭାବେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିବାକୁ ଯାଉଛି । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ନିୟମଗିରିର ଡଙ୍ଗରିଆ ଜନଜାତିଙ୍କ ହାତରୁ ନିର୍ମାଣ କରାଯାଉଥିବା କପଡାଗୁନ୍ଦା ସାଲ୍ ରାଜ୍ୟ ତଥା ରାଜ୍ୟ ବାହାରେ ନିଜର ସ୍ବତନ୍ତ୍ର ପରିଚୟ ହାସଲ କରିସାରିଛି। ପରେ ଏବେ ଆସିଛି ଏହି ଅଞ୍ଚଳର ଝାଡୁ। ବିଷମକଟକ ଦକ୍ଷତା ତାଲିମ କେନ୍ଦ୍ରରେ ଯୋରସୋରରେ ଚାଲିଛି ଝାଡୁ ପ୍ରସ୍ତୁତି କାର୍ଯ୍ୟ । ଆଗକୁ ରାଜ୍ୟ ତଥା ରାଜ୍ୟ ବାହାରେ ବକ୍ରିହେବା ସହ ଆମାଜନରେ ବିକ୍ରି ନିମନ୍ତେ ମଧ୍ୟ ଲକ୍ଷ୍ୟ ରଖାଯାଇଛି । ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ କୁର୍ଲୀ ପଞ୍ଚାୟତର ବ୍ୟବସାୟ ଗୋଷ୍ଠୀର ଡଙ୍ଗରିଆ କନ୍ଧଙ୍କ ଠାରୁ କିଣାହେଉଛି ଏହି ଝାଡୁ । ଏହାକୁ ଆଣିଲା ପରେ ଉନ୍ନତମାନର ଝାଡୁ ପ୍ରସ୍ତୁତି ନିମନ୍ତେ କଲିକତାର କିଛି କାରିଗରଙ୍କୁ ମଧ୍ୟ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । କାରୀଗରମାନେ ମହିଳାମାନଙ୍କୁ ତାଲିମ ଦେଉଛନ୍ତି । ବିଷମକଟକ ଅଞ୍ଚଳର କେତେକ ସ୍ବୟଂ ସହାୟକ ଗୋଷ୍ଠିର ମହିଳାମାନେ ମଧ୍ୟ ଏଠାରେ ଝାଡୁ ପ୍ରସ୍ତୁତ ନିମମ୍ତେ ଯୋରସୋରରେ ତାଲିମ ନେଉଛନ୍ତି । ମହିଳାମାନେ ତାଲିମ ସମାପ୍ତ ପରେ ନିଜେ ଝାଡୁ ପ୍ରସ୍ତୁତ କରି ଦୁଇପଇସା ରୋଜଗାର କରିବୁ ବୋଲି ଆଶା ମଧ୍ୟ ରଖିଛନ୍ତି। ଏଠାରେ ତିନି ପ୍ରକାର ଝାଡୁ ପ୍ରସ୍ତୁତି ଚାଲିଛି ଷ୍ଟିଲପାଇପ୍ ଝାଡୁ, ପ୍ଲାଷ୍ଟିକ ପାଇପ ଝାଡୁ ଏବଂ କମ୍ପୁଟର ଝାଡୁ । ତିଆରି କାର୍ଯ୍ୟରେ ମହିଳାମାନେ ମଧ୍ୟ ତାଲିମ ନେଉଛନ୍ତି। ଆଉ ଅଳ୍ପ ଦିନମଧ୍ୟରେ ସଂମ୍ପୂର୍ଣ୍ଣ ମାତ୍ରାରେ ଶିଖିଯିବେ। ସବୁଠାରୁ ବଡକଥା ନିୟମଗିରିରୁ ଆସୁଥିବା ଝାଡୁ ସବୁଠାରୁ ଭଲଝାଡୁ ବୋଲି କହିଛନ୍ତି କଲିକତାରୁ ଆସିଥିବା କାରିଗର। ସେପଟେ ଝାଡୁ ପ୍ରସ୍ତୁତି କାର୍ଯ୍ୟ ପ୍ଲାଷ୍ଚିକ କଭର ଓ ଏବଂ ଷ୍ଚିଲ୍ ପାଇପ ଦେଇ ସୁନ୍ଦର ଭାବେ ପ୍ରସ୍ତୁତି କରାଯାଉଛି । ଓରମାସ୍ ଓ ଓଡିଶା ଜୀବିକା ମିଶନର ତତ୍ବାବଧାନରେ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ନିୟମଗିରିର ଡଙ୍ଗରିଆ ମହିଳାମାନଙ୍କ ଠାରୁ ଏହିଝାଡୁ କ୍ରୟ କରାଯାଉଛି । ସେମାନେ ଆଗରେ ବାହାର ବ୍ୟବସାୟୀ ପାଖରେ କମ୍ ଦରରେ ବିକ୍ରି କରିଦେଉଥିଲେ। ବର୍ତ୍ତମାନ ଆମେ ଉଚିତ ଦରରେ ଆମେ କ୍ରୟ କରୁଛୁ I ପ୍ରସ୍ତୁତି କାର୍ଯ୍ୟ ସମାପ୍ତ ପରେ ଆଗକୁ ପଡୋଶୀ ରାଜ୍ୟମାନଙ୍କୁ ପଠାଯିବା ସହ ଅନଲାଇନରେ ବିକ୍ରି ନିମନ୍ତେ ଇ- କମର୍ସ କମ୍ପାନି ଆମାଜନ ସହ ମଧ୍ୟ ଚୁକ୍ତି ହୋଇସାରିଛି ବୋଲି କହିଛନ୍ତି ଜୀବିକା ମିଶନ କର୍ମଚାରୀ।
ରାୟଗଡା ପ୍ରତିନିଧି ଅମୂଲ୍ୟ ନିଶଙ୍କ