ଆବାସ ଯୋଜନା ଗୃହ ପାଇଁ ବିଡିଓଙ୍କ ପାଖରେ ଅଭିଯୋଗ
ବାଲେଶ୍ବର ୧୩/୭(ସଖପ୍ର): ଆବାସ ଯୋଜନାରେ ଘରଟିଏ ପାଇବା ପାଇଁ ବିଡିଓଙ୍କୁ ଅଭିଯୋଗ କଲେ ହିତାଧିକାରୀ । ସରକାର ଗରିବ, ଖଟିଖିଆ ଓ ନିରାଶ୍ରୟ ଲୋକଙ୍କୁ ଆବାସ ଯୋଜନାରେ ଯୋଗାଇ ଦେଉଛନ୍ତି ବାସଗୃହ । ଗୃହ ନିର୍ମାଣ ପାଇଁ ସରକାର ସହାୟତା ରାଶି ମଧ୍ୟ ପ୍ରଦାନ କରୁଛନ୍ତି । କିନ୍ତୁ ପ୍ରକୃତ ହିତାଧିକାରୀ ଆବାସ ଯୋଜନାରେ ଗୃହ ପାଇବାରୁ ବଞ୍ଚିତ ହେଉଛନ୍ତି । ଯାହା ଗଣମାଧ୍ୟମର ପ୍ରଚାର ପ୍ରସାରରୁ ଜାଣିବାକୁ ମିଳେ । ଏପରି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ପଞ୍ଚାୟତ କୁମ୍ଭକା ଗ୍ରାମରେ । ହିତାଧିକାରୀ ଶ୍ରୀମତୀ ତୁଳସୀ ପାତ୍ର ଜଣେ ଗରିବ,ଖଟିଖିଆ ଓ ନିରାଶ୍ରୟ ହରିଜନ ଶ୍ରେଣୀର ଲୋକ । ଦୀର୍ଘଦିନ ଧରି ଭଙ୍ଗା ଚାଳଛପର ଘରେ ରହୁଛନ୍ତି । ଗତ ବାତ୍ୟାରେ ଚାଳଛପର ଘରଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା । ଗୃହ ନିର୍ମାଣ ସାମଗ୍ରୀ ଏଠୁସେଠୁ ମାଗଣ କରି ତିଆରି କଲେ ଚାଳ ଛପର ଘର । ସେଥିରେ ବହୁ କଷ୍ଟରେ ପରିବାର ସହିତ ରହୁଛନ୍ତି । ବଡ଼ ଦୁଃଖର କଥା ବାତ୍ୟାରେ ଘର ଭାଙ୍ଗିଗଲା ଅଥଚ ପଲିଥିନ ଖଣ୍ଡେ ମିଳିଲା ନାହିଁ । ଘରଟିଏ ପାଇବା ପାଇଁ ଖଇରା ବିଡିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି ହିତାଧିକାରୀ । ପ୍ରକୃତରେ ହିତାଧିକାରୀ ଶ୍ରୀମତୀ ପାତ୍ର ଆବାସ ଯୋଜନା ଗୃହ ପାଇବା ପାଇଁ ଯୋଗ୍ଯ କି ? ଯଦି ହଁ , ବ୍ଲକ ପ୍ରଶାସନ ତରଫରୁ ତଦନ୍ତ କରି ହିତାଧିକାରୀଙ୍କୁ ଆବାସ ଯୋଜନାରେ ଗୃହଟିଏ ଯୋଗାଇ ଦେଲେ ଖୁସି ହେବେ ବୋଲି ଅଭିଯୋଗରେ ଦର୍ଶାଇବା ସଙ୍ଗେ ସଙ୍ଗେ ଗଣମାଧ୍ୟମ ଆଗରେ ନିଜେ ହିତାଧିକାରୀ ପ୍ରକାଶ କରିଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ