03/25/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଆବାସ ଗୃହ ଯୋଗାଇବା ନାମରେ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଠିକାଦାରକୁ ଗିରଫ କରିଛି ପୋଲିସ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଆବାସ ଗୃହ କେଳେଙ୍କାରୀର ଏକଚିତ୍ର ଦେଖିବାକୁ ମିଳିଛି । ଗରିବ ହିତାଧିକାରୀଙ୍କୁ ଆବାସ ଗୃହ ତିଆରି କରାଇ ଦେବାକୁ କହି ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଜିଲ୍ଲାର ଜଣେ ଠିକାଦାରକୁ ପୋଲିସ ଗିରଫ କରିଛି । ରାଜ୍ୟରେ ବର୍ତ୍ତମାନ ଆବାସ ଯୋଜନାକୁ ନେଇ ମୁହାଁମୁହିଁ ବିଜେଡି ଓ ବିଜେପି । ଆବାସ ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ଗୃହ ନିର୍ମାଣରେ ବ୍ୟାପକ ଦୁର୍ନୀତି ଓ ଟଙ୍କା ହଡପ ଅଭିଯୋଗ କରି ବିଜେପି ତରଫରୁ ବ୍ଲକ କାର୍ଯ୍ୟାଳୟ ଘେରାଉ କାର୍ଯ୍ୟକ୍ରମ ଚାଲିଥିବା ବେଳେ ଏଭଳି ଏକ ଘଟଣା ସାମନାକୁ ଆସିଛି । ଗୃହ ନିର୍ମାଣକୁ କାର୍ଯ୍ୟାଦେଶ ପାଇ ମଧ୍ୟ ଆର୍ଥିକ ଅସମର୍ଥତା ହେତୁ ଗରିବ ଲୋକେ ଗୃହ ନିର୍ମାଣ ପାଇଁ ଠିକାଦାରଙ୍କ ଉପରେ ଭରସା କରିଥିବା ବେଳେ ଖୋଦ ଠିକାଦାର ଗୃହ ନିର୍ମାଣ ନ କରି ଟଙ୍କା ହଡପ କରି ନେଇଛି । କୁର୍ସି ପଞ୍ଚାୟତରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନାରେ ଅନେକ ହିତାଧିକାରୀଙ୍କ ନାଁରେ ଆସିଥିବା ଅନୁଦାନକୁ ଚଞ୍ଚକତା କରି ଉମରକୋଟର ଜଣେ ଠିକାଦାର ହଡ଼ପ କରିଥିବା ଉମରକୋଟ ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଆସିଥିବା ଏହି ୪୨୦ ଠିକାଦାର ଜଣକ ହେଲେ ଉମରକୋଟ ଝରିଗାଁ ରୋଡର ସଞ୍ଜୀବ ସୁବୁଦ୍ଧି । ଠିକାଦାରଙ୍କ ନାମରେ ଉମରକୋଟ ଥାନାରେ ଏକାବେଳେ ୫ ଟି ଏତଲା ଆସିବା ପରେ ଘଟଣାର ପ୍ରାଥମିକ ତଦନ୍ତ କରି ଠିକାଦାର ସଞ୍ଜୀବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଉମରକୋଟ ପୋଲିସ । ଘଟଣା ଅନୁସାରେ ଉମରକୋଟ ବ୍ଲକ କୁର୍ସି ପଞ୍ଚାୟତରେ ଗତ 5 ବର୍ଷ ତଳେ ରଜବତୀ କଲାର, ଫୁଲମତି ଗଣ୍ଡ, ମଙ୍ଗତି ଗଣ୍ଡ, ଜୟମଣି ଗଣ୍ଡ, ମାରୀ ଗଣ୍ଡ ଏମାନଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ ଓ ବିଜୁ ପକ୍କା ଘର ଯୋଜନାରେ ଘର ମିଳିଥିଲା । ନିରୀହ ହିତାଧିକାରୀମାନେ ଆଦିବାସୀ ସମ୍ପ୍ରଦାୟ ହୋଇଥିବାରୁ ଏମାନଙ୍କ ପକ୍କା ଘର ତିଆରି କରିବାରେ ଧାରଣା ନଥିଲା । ଏହାର ସୁଯୋଗ ନେଇ ସଂଜୀବ ସୁବୁଦ୍ଧି ନାମକ ଜଣେ ବ୍ୟକ୍ତି ସେମାନଙ୍କ ଘର ତିଆରି କରାଇ ଦେବାକୁ କହି ସେମାନଙ୍କର ଆଧାର କାର୍ଡ, ବ୍ୟାଙ୍କ ପାସବୁକ୍ ସହ ଆବଶ୍ୟକ କାଗଜପତ୍ର ମାଗି ନେଇଥିଲେ ଏବଂ ସେମାନଙ୍କ ଟିପ ଚିହ୍ନ ନେଇ ଆକାଉଣ୍ଟରୁ ସମସ୍ତ ଟଙ୍କା ଉଠାଇ ନେଇଥିଲେ । ଟଙ୍କା ଉଠାଇବା ପରେ ସେମାନଙ୍କ ଘରକୁ ସମ୍ପୂର୍ଣ୍ଣ ନକରି ଅଧାପନ୍ତରିଆ କରି ଛାଡି ଦେଲେ । ପରେ ଠିକାଦାର ଜଣକ ଆଉ ସେହି ଗ୍ରାମକୁ ଗଲେ ନାହିଁ । ଏହା ଭିତରେ ଅନେକ ଦିନ ବିତି ଗଲା ପରେ ହିତାଧିକାରୀମାନେ ବାଧ୍ୟ ହୋଇ ଅଳଙ୍କାର, ଜମି ବନ୍ଧା ପକାଇ ସେହି ଅର୍ଥରେ ଅର୍ଦ୍ଧନିର୍ମିତ ଗୃହକୁ ସମ୍ପୂର୍ଣ୍ଣ କରିଥିଲେ । କିଛି ଦିନ ପୂର୍ବରୁ ହିତାଧିକାରୀମାନେ ଠିକାଦାର ସଂଜୀବଙ୍କୁ ଫୋନ କରି ଘର କାମ ସଂପୂର୍ଣ୍ଣ କରିବାକୁ କହିବାରୁ ସେ ବିଭିନ୍ନ ଅସଭ୍ୟ ଭାଷାରେ ଗାଳି ଗୁଳଜ କରିବା ସହ ଖରାପ ବ୍ୟବହାର କରିଥିଲେ । ଏହାସହିତ ଜୀବନରୁ ମାରିଦେବାକୁ ଧମକ ଚମକ ଦେଉଥିବା ହିତାଧିକାରୀ ଅଭିଯୋଗ କରିଛନ୍ତି। ଅନ୍ୟପଟେ ଏହି ଅଭିଯୋଗକୁ ଭିତ୍ତି କରି କେସ ନମ୍ବର ୨୫୦, ୨୫୧, ୨୫୨, ୨୫୩, ୨୫୪ ଅନୁଯାୟୀ ଉମରକୋଟ ପୋଲିସ ସଂଜୀବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହି ମାମଲାରେ ଦଫା ୪୨୦ ଲାଗିଛି । ଉମରକୋଟ ଏସ୍ଡିପିଓ ଡା. ଦିନେସ ଚନ୍ଦ୍ର ନାୟକ ତଦନ୍ତର ଦାୟିତ୍ବ ନେଇ ତଦନ୍ତ ଜାରି ରଖିଛନ୍ତି । ପ୍ରକାଶ ଥାଉକି ଏହାପୂର୍ବରୁ ଠିକାଦାର ଜଣକ ମିଥ୍ୟା ବିଲ କରାଇବାକୁ ବିଡ଼ିଓଙ୍କୁ ବାଧ୍ୟ କରିଥିଲେ ଓ ସେଥିରେ ରାଜି ନହେବାରୁ ବିଡ଼ିଓଙ୍କ ସହ ଗଣ୍ଡଗୋଳ କରି ଗିରଫ ହୋଇଥିଲେ ଓ ଜେଲ ମଧ୍ୟ ଯାଇଥିଲେ ବୋଲି ସୂଚନା ମିଳିଛି ।

ଉମରକୋଟ ପ୍ରତିନିଧି ଘିନୁ ପନାକା

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *