ଆଧ୍ଯାତ୍ମିକ ଚେତନାର ଉତ୍ସ ଶୂନ୍ୟ ମଠ ପଳସା

ବାଲେଶ୍ବର: ଏ ସଂସାର ବଡ଼ ବିଚିତ୍ରମୟ । ନୀଳାମୟଙ୍କ ନୀଳାର ପଟ୍ଟାନ୍ତର ନାହିଁ । ନୀଳାମୟ ସ୍ବୟଂ ହରି ସର୍ବବିଦ୍ଯମାନ । ସେ କାହାକୁ କେତେବେଳେ କେଉଁ ସ୍ଥାନରେ ଅବସ୍ଥାପିତ କରନ୍ତି କେବଳ ସେ ନିଜେ ହିଁ ଜାଣିଥାନ୍ତି । ଏ ବିଶ୍ଵବ୍ରହ୍ମାଣ୍ଡ ଯାହାଙ୍କ ନିୟନ୍ତ୍ରଣରେ ନିୟନ୍ତ୍ରିତ ସେ ଚାହିଁଲେ କାହାକୁ ଇଚ୍ଚପାହ୍ଯାକୁ ଉଠେଇ ପାରନ୍ତି ତ କାହାକୁ ନୀଚ୍ଚ ପାହ୍ଯାକୁ ଖସାଇଦେଇ ପାରନ୍ତି । କାହାକୁ ରଜା ବନେଇ ଦିଅନ୍ତି ତ କାହାକୁ ଦାଣ୍ଡର ଭିକାରୀ ସଜାଇ ଦିଅନ୍ତି । କାହା ମନରେ ବିଷ ଭରି ଦିଅନ୍ତି ତ ପୁଣି କାହା ମନରେ ଆଧ୍ୟାତ୍ମିକ ଚେତନା ଭରିଦେଇ ଚରଣାଶ୍ରୀତ କରିଥାନ୍ତି । ଜଣେ ଚାକିରୀ କରୁଥିବା ବ୍ଯକ୍ତି କିପରି ଆଧ୍ୟାତ୍ମିକ ମାର୍ଗରେ ପ୍ରବେଶ କରି ମଠର ମହନ୍ତ ସାଜି ଆଜି ଦୁନିଆ ଦାଣ୍ଡରେ ନିଜେ ପରିଚିତ ହେବା ସଙ୍ଗେ ସଙ୍ଗେ ତାଙ୍କର ଆଧ୍ୟାତ୍ମିକ ଭାବଧାରାକୁ ବିଚ୍ଛୁରିତ କରି ଚାଲିଛନ୍ତି , ତାହାର ଏକ ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ପଳସା ପଞ୍ଚାୟତ ପଳସା ଗ୍ରାମର ପିତା ସ୍ବର୍ଗତ ଲକ୍ଷ୍ମଣ ମହାନ୍ତି ଓ ମାତା ସ୍ବର୍ଗତା ରମ୍ଭାମଣୀ ମହାନ୍ତିଙ୍କ ଗର୍ଭରୁ ୧୯୪୦ ମସିହା ନଭେମ୍ବର ମାସ ୨୨ ତାରିଖରେ ଜନ୍ମଗ୍ରହଣ କରିଥିବା ଗଙ୍ଗାଧର ମହାନ୍ତିଙ୍କ ଠାରେ । ପିତା ଲକ୍ଷ୍ମଣ ମହାନ୍ତିଙ୍କର ୩ ଜଣ ପୁତ୍ର ଥିଲେ ଯଥା-ଗଙ୍ଗାଧର ମହାନ୍ତି, ଭାଗିରଥି ମହାନ୍ତି ଓ ଉଦୟ ନାରାୟଣ ମହାନ୍ତି । ସେଥିମଧ୍ୟରୁ ଗଙ୍ଗାଧର ଥିଲେ ବଡ଼ ପୁତ୍ର । ସେ ସମୟ ଥିଲା ଅଭାବ ଅନାଟନର ସମୟ । ମନରେ ପାଠ ପଢିବାର ଇଚ୍ଛା ଥାଏ, ହେଲେ ଘରର ଆର୍ଥିକ ଅନାଟନ ଯୋଗୁଁ ନିକଟସ୍ଥ ଅର୍ଜୁନପୁର ଗ୍ରାମର ଚନ୍ଦ୍ର ଶେଖର ଦାସମହାପାତ୍ରଙ୍କ ଘରେ ରହି ସେହି ଗ୍ରାମରେ ଥିବା ଅର୍ଜୁନପୁର ପ୍ରାଥମିକ ବିଦ୍ୟାଳୟରେ ନାମ ଲେଖାଇ ପ୍ରାଥମିକ ଶିକ୍ଷା ଆରମ୍ଭ କଲେ । ସେଠାରୁ ଶିକ୍ଷା ସାରି ନିଜ ଗ୍ରାମକୁ ଲାଗିଥିବା ନଛିପୁର ଏମ.ଇ. ସ୍କୁଲରେ ନାମ ଲେଖାଇ ପଢିବାକୁ ଲାଗିଲେ । ପରିବାରର ଅଭାବ ଅନାଟନ ହେତୁ ତାଙ୍କର ପଢା ଆଉ ଆଗକୁ ବଢି ପାରିଲା ନାହିଁ । ସେହିଠାରୁ ପଢାରେ ଡୋରି ବନ୍ଧାହେଲା । ମନରେ ପ୍ରବଳ ଇଛା ଥାଏ ପଢିବାକୁ ହେଲେ ପରିବାରର ଅଭାବ ତାଙ୍କୁ ଏତେ ମାତ୍ରାରେ ବ୍ଯଥିତ କରିଥିଲା ଯେ ଆଉ ଅଧିକ ପଢିବାକୁ ଇଚ୍ଛା ହେଲାନାହିଁ । ସେତେବେଳକୁ ତାଙ୍କର ପିତା ଲକ୍ଷ୍ମଣ ମହାନ୍ତିଙ୍କର ଦେହତ୍ଯାଗ ହୋଇସାରିଥାଏ । ସେ ସମୟରେ ତାଙ୍କର ନିଜ ମାମୁଁ ଉପେନ୍ଦ୍ର ମହାନ୍ତି ସୁଦୂର କଲିକତାରେ ରହୁଥିଲେ । ଗଙ୍ଗାଧର ପରିସ୍ଥିତି ଦେଖି ନିଜ ପାଖକୁ ନେଇଯାଇଥିଲେ । ଏମିତି କିଛି ଦିନ ସେଠାରେ ରହିବା ପରେ ଦିନେ ରାତ୍ରରେ ଏକ ଶବ୍ଦ ଶୁଣିବାକୁ ପାଇଲେ ଯେ ମାମୁଁ କହୁଛନ୍ତି ସେ ପୁଅ ଡରିବ । ମାମୁଁ ଗଙ୍ଗାଧରକୁ ସ୍ନେହରେ ପୁଅ ବୋଲି ଡାକୁଥିଲେ । ଶବ୍ଦଶୁଣି ଗଙ୍ଗାଧରଙ୍କର ହଠାତ୍ ନିଦ୍ରା ଭଙ୍ଗ ହେଲା । ବିଛଣାରୁ ଉଠିପଡନ୍ତେ ଆପେ ଆପେ ତାଙ୍କ ଶୋଇବା ଘର କବାଟ ଖୋଲି ଗଲା । ଦେଖିଲେ ସ୍ବୟଂ ମା' କାଳୀ ତାଙ୍କ ସମ୍ମୁଖରେ ଉଭା ହୋଇଛନ୍ତି । ମା' ଙ୍କର ଗୋଟିଏ ହାତରେ ଅର୍ଥାତ ଡାହାଣ ହାତରେ ରୁଦ୍ରାକ୍ଷ ମାଳ ଓ ଅନ୍ୟ ଏକ ହାତରେ ଖର୍ପର ଥିଲା । ବାଳକ ଗଙ୍ଗାଧର ମା' ଙ୍କ ହଠାତ୍ ଆର୍ବିଭାବ ଦେଖି ଡରି ନ ଯାଇ ଆଣ୍ଠୁମାଡ଼ି ପ୍ରଣାମ କଲେ ଏବଂ ମା' କାଳୀ ତାଙ୍କର ଡାହାଣ ହସ୍ତଟି ବାଳକ ଗଙ୍ଗାଧରଙ୍କ ମସ୍ତକରେ ରଖି ଆର୍ଶୀବାଦ ଦେଲେ । ପ୍ରଣାମ ସାରି ଉଠି ଦେଖନ୍ତି ତ ମା' ନାହାନ୍ତି । ସେତେବେଳକୁ ମା' ଅନ୍ତର୍ଦ୍ଧାନ ହୋଇ ଯାଇଥାନ୍ତି । ଗଙ୍ଗାଧର ମା' କାଳୀଙ୍କୁ ଦର୍ଶନ କଲାପରେ ରାତ୍ରିର ବାକି ସମୟ ନିଦ ଆସିନଥିଲା । ରାତିପାହି ସକାଳ ହେଲା । ଗଙ୍ଗାଧରଙ୍କ ଜୀବନରେ ସକାଳର ସୂର୍ଯ୍ୟାଲୋକ ପରି ନୂତନ ସୂର୍ଯ୍ଯୋ ଉଦୟ ହେଲା । ଯଦିଓ ଆଉ କିଛିଦିନ ମାମୁଁଙ୍କ ପାଖରେ ରହିବାର ଇଚ୍ଛା ଥିଲା ମା' ଙ୍କ ଦର୍ଶନ ପରେ ସେଠାରେ ବେଶି ଦିନ ରହିପାରି ନ ଥିଲେ । ଘରକୁ ଆସିବା ପାଇଁ ମନବଳାଇଲେ । ପାଖରେ ପଇସା ପତ୍ର ନ ଥାଏ । ମାତ୍ର ଗୋଟିଏ ହାପ୍ ପ୍ଯାଣ୍ଟ୍ ପିନ୍ଧିଥାନ୍ତି । କେମିତି ଟ୍ରେନରେ ଆସି ଘରେ ପହଞ୍ଚିଲେ ସେ ନିଜେ ବି ଜାଣି ପାରି ନ ଥିଲେ । ଘରକୁ ଫେରି ଚନ୍ଦ୍ରଶେଖର ଦାସମହାପାତ୍ରଙ୍କ ସହ ଭୁବନେଶ୍ୱର ଚାଲିଗଲେ । ଭୁବନେଶ୍ୱରରେ ରହୁଥିବା ବେଳେ ହଠାତ୍ ଜଣେ ବ୍ଯକ୍ତି ଦର୍ଶନ ଦେଇ ଗଙ୍ଗାଧରଙ୍କୁ ପରାମର୍ଶ ଦେଲେ ବିଜେବି କଲେଜ ପାଖରେ ଥିବା ଏକ୍ସଚେଞ୍ଜ ଅଫିସରେ ଚାକିରୀ ପାଇଁ ଫର୍ମ ପକାଇବାକୁ । ଫର୍ମ ମଧ୍ୟ ପକାଇଲେ ଗଙ୍ଗାଧର । ପରଦିନ ବୁଲୁ ବୁଲୁ ହଠାତ୍ ଜଣେ ଅଜଣା ବ୍ଯକ୍ତିଙ୍କ ସହିତ ଭେଟ ହୁଅନ୍ତେ ସେ କହିଲେ ଗଙ୍ଗାଧର ଇଣ୍ଟରଭିୟୁ ଅଛି ତୁମେ ଶୀଘ୍ର ଯାଇ ଇଣ୍ଟରଭିୟୁ ଦିଅ । ସବୁ ସେହି ମା' କାଳୀଙ୍କ ଦୟା । ଗଙ୍ଗାଧର ୧୯୬୩ ମସିହାରେ ଗୃହବିଭାଗ ଅଧିନରେ ଚାକିରୀ ଜୀବନ ଆରମ୍ଭ କଲେ । ଦୀର୍ଘ ୨୩ ବର୍ଷ ଧରି ଗୃହ ବିଭାଗରେ ଚାକିରୀ କଲେ । ସେହି ଚାକିରୀ କାଳ ଭିତରେ ବାଲେଶ୍ଵର (ବର୍ତ୍ତମାନ ଭଦ୍ରକ) ଜିଲ୍ଲା ବିଦେଇପୁରର ହାଡିବନ୍ଧୁ ରାୟଙ୍କ କନିଷ୍ଠ କନ୍ୟା ସରୋଜିନୀଙ୍କ ସହିତ ବିବାହ ହୋଇଥିଲା । ଚାକିରୀ କରିବାର ୪/୫ ବର୍ଷ ପରେ ଗଙ୍ଗାଧରଙ୍କ ଜଗନ୍ନାଥଙ୍କ ପ୍ରତି ଭକ୍ତି ସଂଚାର ହୋଇଥିଲା । ମହାପ୍ରଭୁଙ୍କୁ ସବୁବେଳେ ଭକ୍ତି ସହକାରେ ଡାକୁଥିଲେ । ଏମିତି ଡାକୁଡାକୁ ଗଙ୍ଗାଧରଙ୍କ ଆଧ୍ୟାତ୍ମିକ ଦିଗପ୍ରତି ମନ ବଳିଲା । ପ୍ରଭୁଙ୍କ ଠାରେ ପ୍ରଗାଢ ଭକ୍ତି ଓ ବିଶ୍ୱାସ ଜନ୍ମିବାରୁ ଜଗନ୍ନାଥଙ୍କୁ ସର୍ବଦା ମନେମନେ ଧ୍ଯାନ କରୁଥାନ୍ତି ଏବଂ ସକାଳେ ସଞ୍ଜେ ପ୍ରାର୍ଥନା ଓ ଭଜନ କରୁଥାନ୍ତି । ଭଜନ ଓ ପ୍ରାର୍ଥନା ପରେ ପ୍ରଭୁଙ୍କୁ ସ୍ମରଣ କରି ଲେଖନୀ ଧରି ବସିଯାନ୍ତି କିଛି ଲେଖିବାକୁ । ଲେଖିବାରେ ପ୍ରଭୁ ସହାୟ ହେଲେ । ତାଙ୍କରି ଦୟାରୁ ଗଙ୍ଗାଧର ରଚନା କରିଚାଲିଲେ ଗୋଟିଏ ପରେ ଗୋଟିଏ ବହି । ସେଥିମଧ୍ୟରୁ ଗଙ୍ଗାଧରଙ୍କ ଦ୍ବାରା ରଚିତ " ତ୍ରୀବୀଜ ଵିଭୂତି ", " ଗୀତା ରସସାର ", " ତ୍ରୀପଦ ଦର୍ଶନ ", ଓ ବ୍ରହ୍ମତତ୍ତ୍ବରେ ପୁରାଣର ସାର " ପ୍ରକାଶିତ ହୋଇ ସାରିଥିବା ବେଳେ ଅନେକ ଲେଖା ପ୍ରକାଶ ହୋଇପାରି ନାହିଁ । ଜଗନ୍ନାଥଙ୍କ ପ୍ରତି ଏତେ ପରିମାଣରେ ଭକ୍ତିଭାବ ଜାଗ୍ରତ ହେଲା ଯେ ସେ ଆଉ ଅଧିକ ସମୟ ଚାକିରୀ କରିପାରିଲେ ନାହିଁ । ଶେଷରେ ବାଧ୍ୟ ହୋଇ ୧୩ ବର୍ଷ ପୂର୍ବରୁ ଅର୍ଥାତ୍ ୧୯୮୬ ମସିହାରେ ନିଜ ଇଛାରେ ତାଙ୍କୁ ଚାକିରୀ ଛାଡିବାକୁ ପଡିଲା । ତା' ପୂର୍ବରୁ ଅର୍ଥାତ୍ ୧୯୮୨ ମସିହାରୁ ନିଜ ଗ୍ରାମ ପଳସାରେ ବ୍ରହ୍ମ ଏକାକ୍ଷରୀ ନାମ ଯଜ୍ଞ ଆରମ୍ଭ କରିଥିଲେ । ଯାହାକି ଆଜି ପର୍ଯ୍ୟନ୍ତ ଚାଲୁ ରହିଛି । ଏହି ଯଜ୍ଞ ପ୍ରତି ବର୍ଷ ମାଘମାସ ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ୩ଦିନ ଧରି ଚାଲିଥାଏ । ପ୍ରତ୍ୟେକ ଦିନ ଗାହାଣ ବଜାଣ,ନାମ କିର୍ତ୍ତନ, ଜଗନ୍ନାଥ ଜଣାଣ,ହରିନାମ, ଭାଗବତ ପାଠ ଚାଲିଥାଏ । ତାଙ୍କ ଦ୍ବାରା ନିର୍ମିତ ଭାଗବତ ଟୁଙ୍ଗୀରେ ଦୈନିକ ଭାଗବତ ପାଠ ହୋଇଥାଏ । ଶୂନ୍ୟ ମଠର ମହନ୍ତ ହିସାବରେ ବହୁ ଦୂରଦୂରାନ୍ତ ପର୍ଯ୍ୟନ୍ତ ତାଙ୍କର ନାମ ବିଖ୍ୟାତ ହୋଇଯାଇଥିବାରୁ ଭକ୍ତ ବି ଅନେକ ସୃଷ୍ଟି ହୋଇଛନ୍ତି । ସେଥିମଧ୍ୟରୁ ମଣିଭଦ୍ର ସେଠୀ,ଗୟାଧର ସାହୁ,ସରୋଜିନୀ ରାଉତ,ଉମାରାଣୀ ବାରିକ,ସ୍ବର୍ଣ୍ଣଲତା ଦାସ,ଶାନ୍ତିଲତା ବେହେରା, ରଶ୍ମିତା ବୈଶାଖ, ରୁକ୍ମଣୀ ଭୂୟାଁ, ସୁମିତ୍ରା ମହାନ୍ତି, ହରେକୃଷ୍ଣ ପଣ୍ଡା,କୈଳାସ ମିଶ୍ର ଓ ସଦାନନ୍ଦ ପ୍ରଧାନ ପ୍ରମୁଖ ଭକ୍ତ ଅଟନ୍ତି । ବହୁ ଦୂରଦୂରାନ୍ତରୁ ଭକ୍ତମାନେ ଆସି ସଂକ୍ରାନ୍ତି ଦିନ ବାବା ଗଙ୍ଗାଧରଙ୍କ ଶୂନ୍ୟ ମଠରେ ହେଉଥିବା ବ୍ରହ୍ମ ଏକାକ୍ଷରୀ ଯଜ୍ଞସ୍ଥଳରେ ପହଞ୍ଚନ୍ତି ଏବଂ ପ୍ରତିଟି କାର୍ଯ୍ୟରେ ଅଂଶ ଗ୍ରହଣ କରନ୍ତି । ଗୁରୁ ନ ଧରିଲେ ଶିକ୍ଷା କ'ଣ ସମ୍ଭଵ ? ମନେ ମନେ ଭାଳି ହେଉଥାନ୍ତି ମୋତେ କେହିଜଣେ ଗୁରୁ ମିଳିଯାଆନ୍ତେ କି ତାଙ୍କର ଶିଷ୍ୟତ୍ବ ଗ୍ରହଣ କରି ପ୍ରଭୁଙ୍କ ବିଷୟରେ ଅଧିକ କିଛି ଜାଣନ୍ତି । ବିଧିର ବିଧାନ ବଡ଼ ବିଚିତ୍ର , ଏମିତି ସମୟ ଆସିଲା, ହଠାତ୍ ଜଣେ ଭଦ୍ରବ୍ଯକ୍ତିଙ୍କ ସହିତ ଗଙ୍ଗାଧରଙ୍କର ଭେଟ ହେଲା ଯାହାଙ୍କର ନାମ ଥିଲା ଭରତ ଚନ୍ଦ୍ର ଦାସ । ତାଙ୍କର କୌଣସି ସ୍ଥାୟୀ ବାସ ନଥାଏ । ବିଭିନ୍ନ ମଠ ଆଶ୍ରମ ବୁଲିବୁଲି ଦୀକ୍ଷା ଦେବା ଲକ୍ଷ ଥିଲା ତାଙ୍କର । ସେ ଯେତେବେଳେ ଗୀତା ରସସାର ଲେଖୁଥିଲେ ମା' କାଳୀ ଆବିର୍ଭୂତା ହୋଇ କହିଥିଲେ ରେ ଗଙ୍ଗାଧର ମୋ କଥା ଟିକେ ଲେଖିବୁ । ସବୁଠାରୁ ବଡ଼ ଆଶ୍ଚର୍ଯ୍ୟର କଥା ହେଲା ଗଙ୍ଗାଧରଙ୍କ ନାମ । ଯେତେବେଳେ ଗଙ୍ଗାଧରଙ୍କ ପିତା ଲକ୍ଷ୍ମଣ ମହାନ୍ତି କଲିକତାରେ ରହୁଥିଲେ ସେତେବେଳେ ମାତା ରମ୍ଭାମଣୀ ମଧ୍ୟ ସ୍ବାମୀ ଲକ୍ଷ୍ମଣ ମହାନ୍ତିଙ୍କ ପାଖରେ ରହୁଥିଲେ । ଦିନେ ରମ୍ଭାମଣୀ କଲିକତା କାଳିଘାଟିର ଗଙ୍ଗା ଘାଟକୁ ସ୍ନାନ କରିବାକୁ ଯାଉଥିଲେ । ଏହି ସମୟରେ ଗଙ୍ଗାଧରଙ୍କର ଜନ୍ମ ହୋଇଥିବାରୁ ବାପାମାଆ ଅତି ସରଧାରେ ଗଙ୍ଗାଧର ବୋଲି ନାମ ରଖିଥିଲେ । ଗଙ୍ଗାଧରଙ୍କର ଜନ୍ମରୁ ହିଁ ଜଣାପଡିଥିଲା ଆଧ୍ୟାତ୍ମିକ ଲକ୍ଷଣ । ଯାହାଆଜି ପ୍ରମାଣିତ ହୋଇଛି । ନିଜ ଗ୍ରାମରେ ମଠଟିଏ କରି ଆଧ୍ୟାତ୍ମିକ ଚର୍ଚ୍ଚା କରି ମଠର ମହନ୍ତ ପାଲଟି ଯାଇଛନ୍ତି । ଯାହାକି ଅନ୍ୟ ମାନଙ୍କ ପାଇଁ ଏକ ଉଦାହରଣ ପାଲଟି ଯାଇଛନ୍ତି ଗଙ୍ଗାଧର । ଦୈନିକ ସକାଳେ ଆଉ ସନ୍ଧ୍ୟାରେ ମାଇକ୍ ଦ୍ବାରା ସମସ୍ତଙ୍କୁ ଆଧ୍ୟାତ୍ମିକ ବାଣୀ ଶୁଣାଇ ଖୁବ୍ ଆନନ୍ଦ ଉପଲ୍ବଧୀ କରନ୍ତି । ତାଙ୍କର ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବହୁ ଭକ୍ତ ମଧ୍ଯ ସୃଷ୍ଟି ହୋଇ ସାରିଲିଣି । ତୁଳସୀ ଦୁଇ ପତ୍ରରୁ ବାସିଲା ପରି ଗଙ୍ଗାଧରଙ୍କଠାରେ ଜନ୍ମରୁ ଜଣାପଡି ଥିଲା । ମଠରେ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଏକ ଛୋଟ ମନ୍ଦିର ମଧ୍ୟରେ ରହି ପୂଜା ପାଉ ଅଛନ୍ତି । ଏଥିସହିତ ବିଭିନ୍ନ ଦେବାଦେବୀ, ଶିବ ପାର୍ବତୀ ମଧ ପୂଜା ପାଉଛନ୍ତି । ଦୈନିକ ପୂଜାଆରାଧନା ଚାଲିଛି, ବିଭିନ୍ନ ସ୍ଥାନରେ ବାବାଙ୍କର ପ୍ରାୟ ଦେଢ ହଜାରରୁ ଉର୍ଦ୍ଧ ଭକ୍ତ ଅଛନ୍ତି । ବର୍ତ୍ତମାନ ବାବାଙ୍କର ମହିମା ଚାରିଆଡକୁ ବ୍ଯାପୀବାରେ ଲାଗୁଛି । ସର୍ବଦା ସତ୍ଯ କହିବା, ସତ୍ ଚିନ୍ତା, ସତ୍ କର୍ମରେ ରହି ନିଜକୁ ପ୍ରଭୁଙ୍କ ଠାରେ ନିବେଶ ଜଗତକଲ୍ଯାଣ ନିମନ୍ତେ କାର୍ଯ୍ୟ କରିବାକୁ ପରାମର୍ଶ ଦେଉ
ଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ